ଅବଧି ସରି ୧୫ ମାସ ବିତିଲା; ନୂଆ ଓଏସଆରଟିସି ବସଷ୍ଟାଣ୍ଡର କାମ ସରୁନି

ଜୟପୁର: ଧା‌ର୍ଯ୍ୟ ଅବଧିର ୧୫ମାସ ସରିଲାଣି। ତଥାଫି ନୂଆ ଓଏସଆରଟିସି ବସଷ୍ଟାଣ୍ଡର କାମ ସରିବା ନାଁ ନେଉନି। ବିଭିନ୍ନ କାରଣକୁ ନେଇ ଏହାର ନିର୍ମାଣ କାମ ବିଳମ୍ବ ହେବାରେ ଲାଗିଛି। ପୁଲିସ ହାଉସିଂ ବୋର୍ଡ ପ୍ରକଳ୍ପ ପରିଚାଳକ ଅଜୟ ଜେନା କହିଛନ୍ତି ଯେ ଆସନ୍ତା ଏପ୍ରିଲ ସୁଦ୍ଧା କାମ ହସ୍ତାନ୍ତର କରାଯିବା ଲକ୍ଷ୍ୟ ରହିଛି। ବିଭାଗୀୟ ଯନ୍ତ୍ରୀ କହିବା ମୁତାବକ, ଏହାର ନିର୍ମାଣ କାମ ପାଇଁ ଠିକା ସଂସ୍ଥା ସହ ୨୦୧୭ ନଭେମ୍ବରରେ ଚୁକ୍ତି ହୋଇଥିଲା। ଚୁକ୍ତି ମୁତାବକ ୨୦୧୯ ନଭେମ୍ବର ସୁଦ୍ଧା କାମ ସରିବା କଥା। ଅତ୍ୟାଧୁନିକ ସେବା ଓ ସୁବିଧା ରହିଥିବା ଏହି ବସ ଷ୍ଟାଣ୍ତର ନିର୍ମାଣ ପାଇଁ ୮କୋଟି ୧୭ଲକ୍ଷ ୭୬ହଜାର ୩୮୦ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ ନିର୍ମାଣ କାମରେ ପ୍ରଥମେ ଜମି ବାଧା ସୃଷ୍ଟି କରିଥିଲା। ଏହି ବସଷ୍ଟାଣ୍ଡକୁ ୬ଏକର ପରିମିତ ଅଂଚଳରେ କରାଯିବାର ଯୋଜନା ରହିଥିଲା। ତେବେ ଏଥିରୁ ୨ଏକର ଜମି ଜବରଦଖଲ ମଧ୍ୟରେ ରହିବା ସହ ସେଠାରେ ଛୋଟିଆ ବସ୍ତି ତିଆରି ହୋଇସାରିଛି। ଓଏସ୍ଆ‌ରଟିସି ପକ୍ଷରୁ ଏହି ସ୍ଥାନକୁ ଖାଲି କରାଇବାକୁ ପ୍ରୟାସ କରି ଫେଲ୍ ମାରିଥିଲେ। ୬ଏକର ଅଂଚଳ ପାଇଁ କରାଯାଇଥିବା ଡିଜାଇନକୁ ପୁଣି ପରିବର୍ତ୍ତନ କରି ୪ଏକରରେ କରାଯାଇଥିଲା। ସେଭଳି ଏହାରି ମଧ୍ୟରେ ବଡ଼ ବଡ଼ ଆମ୍ବ ସହ ଅନ୍ୟାନ୍ୟ ଗଛ ରହିଥିଲା। ଏହାକୁ ଜଙ୍ଗଲ ବିଭାଗ ଠାରୁ ଅନୁମତି ଆଣି କଟାଯିବା ପାଇଁ ଦୀର୍ଘ ଦିନ ଧରି ବିଳମ୍ବ ହୋଇଥିଲା।

ଏହା ସାଙ୍ଗକୁ ଏହା ପରିସରରେ ପୂର୍ବରୁ ଓଏସ୍ଆ‌ରଟିସିର ଗ୍ୟାରେଜ୍ ଓ ଅଫିସ ରହିଥିଲା। ଗ୍ୟାରେଜକୁ ଆସୁଥିବା ସବୁ ବସ ବସଷ୍ଟାଣ୍ଡ ନିର୍ମାଣ ସମୟରେ ବି ଆସି ରହୁଥିଲେ। ଏପରିସ୍ଥିତିରେ ଠିକା ସଂସ୍ଥା ପ୍ରାୟ ୪ମାସ ବିଳମ୍ବରେ କାମ ଆରମ୍ଭ କରିଥିଲେ। ଏହାରି ପରିସରରେ ୪୯ଟି ଷ୍ଠଲ, ସୁରକ୍ଷା କର୍ମୀ ରୁମ, ଘରୋଇ ବସ ଓ ଓଏସ୍ଆ‌ରଟିସି ବସର ଟିକେଟ ବୁକିଂ ରୁମ, ୪ଟି ଡରମ୍ଟ‌ରୀ, ୩ଟି ଏଟିଏମ୍ କାଉଣ୍ଟର, ୪ଟି ଭିଆଇପି ସୁଟ୍, ଓଏସଆରଟିସିର କାର୍ଯ୍ୟାଳୟ, ଅଡିଟ ରୁମ, ୪ଟି ଶୌଚାଳୟ, ରେଷ୍ଟୁରାଣ୍ଟ ସହ ୩ଟି ଲିଫ୍ଟ ଲଗାଯିବାର ବି ଯୋଜନା ରହିଥିଲା। ଏସବୁର ନିର୍ମାଣ କାମ ସରିଥିବା ବେଳେ ଶେଷରେ କରାଯିବାକୁ ଥିବା ଅନୁସଙ୍ଗିକ କାମ ଏବଂ ଲିଫ୍ଟ ଲାଗିବା କାମ ସହ ତଳେ କରାଯିବାକୁ ଥିବା ସାଜସଜ୍ଜା ଏବଂ ରଂଗ ଦିଆ କାମ ଏବେ ବାକି ରହିଛି। ଏହା ପରିସରରେ ଥିବା ଓଏସଆରଟିସିର କାର୍ଯ୍ୟାଳୟ ଏବେ ବି ଭଙ୍ଗା ଦଦରା ଏବଂ ବିପଦସଂକୁଳ ଘରେ ଚାଳିଛି। ଏହାକୁ ଭଙ୍ଗା ଗଲେ ଏହାରି ଚାରିପଟେ ପାଚେରୀ ବି ନିର୍ମାଣ କରାଯିବାର କାମ ବି ବାକି ରହିଛି। ଏହି ବସ ଷ୍ଟାଣ୍ଡରେ ତିନୋଟି ଗେଟ୍ ରହିଛି। ଏହାର ନିର୍ମାଣ ସରିଲେ ଏଠାକୁ ସରକାରୀ ବସ ସହ ସବୁ ଘରୋଇ ବସ, ରାତ୍ରକାଳୀନ ଦ୍ରୁତଗାମୀ ଏକ୍ସପ୍ରେସ ବସ ବି ଯିବା ଆସିବା କରିବ। ଟ୍ରାଫିକ୍ ଛକରୁ ପାରାବେଢ଼ା ଛକ ପର୍ଯ୍ୟନ୍ତ ସବୁ ଦିନ ସଂଧ୍ୟାରେ ରାତ୍ରକାଳୀନ ଦ୍ରୁତଗାମୀ ଏକ୍ସପ୍ରେସ ବସର ଭୀଡ଼ କମିବା ସହ ଟ୍ରାଫିକ ସମସ୍ୟାର ବି ସମାଧାନ ହୋଇ ପାରିବ। ଅବଧିର ୧୫ମାସ ବିତିଯାଇଥିବା ବେଳେ ଏହା ସଂପୁର୍ଣ୍ଣ ହେବା ପାଇଁ ମାସ ପରେ ମାସ ସମୟ ଗଢ଼ି ଗଢ଼ି ଚାଳିଛି। କେବେ ଏହାର ନିର୍ମାଣ କାମ ସରିବ ତାହାକୁ ହିଁ ଅପେକ୍ଷା।

ସମ୍ବନ୍ଧିତ ଖବର