ଜୟପୁର: ଜୟପୁରରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଥିବା ଓଏସଆରଟିସି ବସଷ୍ଟାଣ୍ଡ ତୁରନ୍ତ ନିର୍ମାଣକୁ ନେଇ ଗତ ୧୭ ତାରିଖ ଦିନ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଜୟପୁର ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ନିର୍ମାଣ ଦାୟିତ୍ୱ ନେଇଥିବା ଓଡ଼ିଶା ପୋଲିସ ହାଉସିଂ ବୋର୍ଡ ନିର୍ବାହୀ ଯନ୍ତ୍ରୀ ଶିବ ଶଙ୍କର ନାୟକ ଏହାର ସମୀକ୍ଷା ପାଇଁ ଆସିଥିଲେ । ନିର୍ମାଣ ହୋଇଥିବା ୫୧ଟି ଷ୍ଟଲ ମଧ୍ୟରୁ ୯ଟି ଭଙ୍ଗା ଯାଇ ଯାତ୍ରୀଙ୍କ ପାଇଁ ବ୍ୟବହାର ଉପଯୋଗୀ ସ୍ଥାନ କରାଯିବ ବୋଲି ଇଂ.ନାୟକ ମଞ୍ଚର କର୍ମକର୍ତ୍ତାଙ୍କୁ ଅବଗତ କରିଥିଲେ।

Advertisment

ସେଭଳି  ଚାରି ପା‌ର୍ଶ୍ବରେ ଡ୍ରେନ ନିର୍ମାଣ ସହ ଚଟାଣ ଫ୍ଲେବର ଗୁଡିକ ପରିବର୍ତ୍ତନ କରାଯିବବୋଲି କହିଥିଲେ।। ଡିଜାଇନରେ ବ୍ୟାପକ  ପରିବର୍ତ୍ତନ , ଶୁଭଦିଆଯିବା ସମୟରେ ୪.୭ ଏକର ଜମି ଦୋବ କୁହାଯାଇଥିବା ବେଳେ  ନିର୍ମାଣ ସମୟରେ ପ୍ରଶାସନ ପକ୍ଷରୁ ୨.୭ ଏକର ଜମି ଯୋଗାଇ ଦିଆଯାଇଥିଲା।  ଫଳରେ ପ୍ରସ୍ତାବିତ ପେଟ୍ରୋଲ ଟ୍ୟାଙ୍କ, ଗ୍ୟାରେଜ ପାଇଁ ଜମି ନଥିବାରୁ ଡିଜାଇନ ପରିବର୍ତ୍ତନ ହେଲା ବୋଲି ନିର୍ବାହୀ ଯନ୍ତ୍ରୀ କହିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଯାତ୍ରୀଙ୍କ ବିଶ୍ରାମଗାର ନିର୍ମାଣ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଥିଲେ।  ବିଭାଗ ପକ୍ଷରୁ ସୁରେଶ ବେହେରାଙ୍କ ସହ ମଞ୍ଚ ପକ୍ଷରୁ ରାଜେନ୍ଦ୍ର କୁମାର ଗୌଡ଼, ବାଲା ରାୟ, ଚନ୍ଦ୍ରକାନ୍ତ ସୁତାର, ଟି ଗୌରି ଶଙ୍କର ପ୍ରମୁଖ ଭାଗ ନେଇଥିଲେ।

ସହରରେ ରହିଥିବା ବସଷ୍ଟାଣ୍ଡକୁ ଓଡ଼ିଶା ସହ ପଡୋଶୀ ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ରାଜ୍ୟ ରାଜଧାନୀ ବିଶେଷ କରି ରାୟପୁର, ହାଇଦ୍ରାବାଦ, ଭୁବନେଶ୍ୱର ସହ ବିଜୟବାଡା, ବିଶାଖାପାଟଣା ଭଳି ସହରକୁ ଯାତ୍ରୀବାହି ବସ ଚଳାଚଳ କରେ । ପ୍ରତ୍ୟେହ ଶହ ଶହ ବସର ହଜାର ହଜାର ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଠାରେ ଏକ ବିଶ୍ୱସ୍ତରୀୟ ବସ ଟର୍ମିନାଲ ପ୍ରତିଷ୍ଠା ନିଷ୍ପତ୍ତି ନେଇଥିଲେ । ଏପରିକି ୧୨ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରି ରାଜ୍ୟ ପରିବହନ ନିଗମ ଅଧୀନରେ ରହିଥିବା ଜମି ମଧ୍ୟ ଯୋଗାଇ ଦେଇଥିଲେ ।

ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩-୧୨-୨୦୧୬ ମସିହାରେ ଜୟପୁର ଆସି ଏହାର ଶୁଭ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ୭ ବର୍ଷ ବିତିଯାଇଥିଲେ ବି ଲୋକଙ୍କୁ ଏହି ବସଷ୍ଟାଣ୍ଡର ସୁବିଧା ମିଳୁ ନାହିଁ । ଫଳରେ ପ୍ରତିଦିନ ବସଯାତ୍ରୀ ମାନେ ନାନା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ବୋଲି ମଞ୍ଚ ପକ୍ଷରୁ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରିଥିଲେ। ତୁରନ୍ତ ଏହାର ଲୋକାର୍ପଣ କରିବା ସହ ଜନସାଧାରଣର ସେବାରେ ଲଗାଯାଉ ବୋଲି କହିଥିଲେ।