ଜୟପୁର: ଜୟପୁର ଓଏସଆରଟିସି ଜୋନର ବସଗୁଡିକ ପ୍ରବାସୀ ଶ୍ରମିକ ପରିବହନରେ ତେଲ ଖର୍ଚ୍ଚ ହଡପ ଏବଂ ବ୍ୟାପକ ଅନିୟମିତତାକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ନିର୍ଦେଶକ ଗତ ଅକ୍ଟୋବର ୩୦ରୁ ସାମାୟିକ ଭାବେ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଜୋନ ବନ୍ଦ ହୋଇ ଏହାରି ମଧ୍ୟରେ ପ୍ରାୟ ୪୭ଦିନ ବିତିଗଲାଣି। ଏହାରି ମଧ୍ୟରେ ରାଜ୍ୟର ୯ଟି ଜୋନର ବସ ଜୟପୁର ସରକାରୀ ବସଷ୍ଟାଣ୍ଡକୁ ବି ଯିବା ଆସିବା କରିସାରିଲାଣି।
ଜୟପୁର ଜୋନର ବସ ଚଳାଚଳ କରୁ ନଥିବା ବେଳେ ଅନ୍ୟ ଜୋନର ବସ ଯିବା ଆସିବା କରିବା ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ ଜୋନ ଏଭଳି ଅଚାନକ ଭାବେ ବନ୍ଦ ହେବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ତେବେ ଏହାକୁ ନେଇ ଏବେ ସବୁଜ ସଂକେତ ମିଳିବା ସହ ଆସନ୍ତା ଡିସେମ୍ବର ୧ରୁ ଏହି ଜୋନ ଖୋଲିବ ବୋଲି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିକଟରୁ ସୂଚନା ମିଳିଛି।
କୋଭିଡ୍ ପର ଠାରୁ ହିଁ ବସ ଚଳାଚଳ ବନ୍ଦ ରହିଥିଲା। ଜୋନର ବ୍ୟାପକ ଅନିୟମିତତା ଏବଂ ତେଲ ଖର୍ଚ୍ଚ ହଡପକୁ ନେଇ ପରିଚାଳନା ନିର୍ଦେଶକ ସାମୟିକ ଭାବେ ଏହାକୁ ବନ୍ଦ କରିଥିଲେ। ତେବେ ସାଧାରଣ ଯାତ୍ରୀଙ୍କ ସମସ୍ୟା ଏବଂ ବିଭିନ୍ନ ବର୍ଗର ଲୋକଙ୍କର ଦାବି ଓ ଅନୁରୋଧକୁ ରକ୍ଷା କରି ଆସନ୍ତା ଡିସେମ୍ବର ୧ରୁ ଜୋନର ବସ ଚଳାଚଳ ଆରମ୍ଭ ହେବ ବୋଲି କହିଛନ୍ତି ଓଏସଆରଟିସି ପରିଚାଳନା ସଂସ୍ଥାର ଓଏସଡି ଦୀପ୍ତି ମହାପାତ୍ର ଓ ସାଧାରଣ ପରିଚାଳକ।
ତେବେ ସବୁ ରୁଟରେ ନ କରି ଅଳ୍ପ କିଛି ରୁଟରୁ ବସ ଚଳାଚଳ ଆରମ୍ଭ ହେବ ବୋଲି କହିଛନ୍ତି ଓଏସଡି। ଏହି ଖବର ପ୍ରଚାର ହେବା ପରେ ବସ କର୍ମଚାରୀଙ୍କ ସମେତ ଏହା ଉପରେ ନିର୍ଭର ଥିବା କୁଲି, ଅଟୋରିକ୍ସା ଚାଳକ, ହୋଟେଲ ଓ ପାନଦୋକନୀ ଆଦି ଖୁସି ପ୍ରକଟ କରିଛନ୍ତି। ଓଏସଆରଟିସି କର୍ମଚାରୀ ସଂଘର ସଭାପତି ବାଲା ରାୟ ଆଜି ଓଏସଡି ଓ ଜିଏମଙ୍କ ସହ ବସ ଚଳାଚଳକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/jpr-osrtc-2-1-1.jpg)