ଖୋର୍ଦ୍ଧା: କରୋନା ମହାମାରୀ ବେଳେ ସରକାରଙ୍କ ନିର୍ଦ୍ଦେଶାନୁସାରେ ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକର କ୍ଷେତ୍ରମୁଣ୍ଡଳୀ ସ୍କୁଲରେ କ୍ୱାରେଣ୍ଟାଇନ୍ କେନ୍ଦ୍ର କରିବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଯୁବକ ସେହି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଓଷ୍ଟା) ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଦାବିପତ୍ର ପ୍ରଦାନ କରାଯାଇ ଆକ୍ରମଣକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି ।

Advertisment

ଏନେଇ ଖୋର୍ଦ୍ଧା ଜିଲ୍ଲା ଓଷ୍ଟା ଶାଖାର ଏକ ପ୍ରତିନିଧିଦଳ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଦର୍ଶାଯାଇଛି ଯେ ସରକାରଙ୍କ ନିର୍ଦ୍ଦେଶମାନି ସ୍କୁଲକୁ କ୍ୱାରେଣ୍ଟାଇନ କେନ୍ଦ୍ର କରିଥିବାରୁ ଜଗନ୍ନାଥପ୍ରସାଦ କ୍ଷେତ୍ରମୁଣ୍ଡଳୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ନାୟକଙ୍କୁ ମାଡ଼ ମାରିବା, ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋଟାପଡ଼ା ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ କରୋନା ସନ୍ଦିଗ୍ଧଙ୍କ ମୋଟରସାଇକଲ ସାନିଟାଇଜ କରିବାକୁ କେନ୍ଦ୍ର କରି ଆକ୍ରମଣ କରିବା ଘଟଣା ଘଟିଛି । ଏହି ଆକ୍ରମଣ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ମଧ୍ୟ ଆକ୍ରମଣକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇନାହିଁ ।

ସେହିଭଳି କରୋନା ମହାମାରୀରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରୁଥିବା ଶିକ୍ଷକଙ୍କୁ ଜୀବନ ବୀମାଭୁକ୍ତ କରାଯାଇନାହିଁ । ଏହି ସମସ୍ତ ଘଟଣା ଦ୍ୱାରା ଶିକ୍ଷକଙ୍କ ମନୋବଳ ଦୁର୍ବଳ ହେଉଛି ବୋଲି ମତ ଦେଇ କାର୍ଯ୍ୟରତ ଶିକ୍ଷକଙ୍କୁ ସୁରକ୍ଷା ଦେବା ଓ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଉଛି ବୋଲି ସଭାପତି ଯୁଧିଷ୍ଠିର ସାହୁ, ମହାସଚିବ ଜିତ୍ ରଂଜନ ମହାପାତ୍ର, ସାଧାରଣ ସମ୍ପାଦକ ଆରତଭଂଜନ ସାହୁ କହିଛନ୍ତି ।