୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫିସ ଛାଡ଼ କରିବାକୁ ଓଷ୍ଟାର ଦାବି

ଖୋର୍ଦ୍ଧା : ଚଳିତ ଶିକ୍ଷା ବର୍ଷ ୨୦୨୦-୨୧ ଶିକ୍ଷା ବର୍ଷରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫିସ୍ ଛାଡ଼ କରିବାକୁ ଓଷ୍ଟା ଦାବି କରିଛି । ଆଜି ଏନେଇ ଓଷ୍ଟା ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଏକ ପ୍ରସ୍ତାବ ଗୃହୀତ ହେବା ସହ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆଜି ସଂଘର ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମହାମାରୀ କରେନାରେ ଅନେକ ଅଭିଭାବକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି । ଏଭଳି ଏକ ବିଶ୍ୱ ଆପଦରେ ଛାତ୍ରଛାତ୍ରୀଙ୍କ ଠାରୁ ପରୀକ୍ଷା ଫିସ୍ ଛାଡ଼ କରିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହା ସହ ଅନୁଦାନରୁ ବଂଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ୭ମ ବେତନ କମିଶନ ପ୍ରଦାନ, ଯୋଗ୍ୟତା ଭିତ୍ତିରେ ହିନ୍ଦି, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକଙ୍କୁ ଉଚ୍ଚ ବେତନ ଦେବା, ଚୁକ୍ତିଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଚାକିରୀ ଯୋଗଦାନକୁ ମିଶାଇ ଓ ଚାକିରୀ କାଳ ଗଣତି କରି ପେନ୍ସନ ପ୍ରଦାନ କରିବା ଆଦି ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା । ଏନେଇ ଅନେକ ଥର ରାଜ୍ୟ ସରକାରଙ୍କୁ ଅବଗତି କରାଯାଇଛି, ଏହାର ତୁରନ୍ତ ସମାଧାନ ନହେଲେ ଓଷ୍ଟା ପକ୍ଷରୁ ବିଧିବଦ୍ଧ ଭାବେ ଆନେ୍ଦାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର, ରାଜ୍ୟ କାର୍ଯ୍ୟକାରୀ ସଭାପତି ଭିକାରୀ ଚରଣ ସାହୁ, କୋଷାଧ୍ୟ ଅଶୋକ କୁମାର ମହାପାତ୍ର, ଯୁଗ୍ମ ସାଧାରଣ ସମ୍ପାଦକ ରଂଜନ କୁମାର ଦାଶ, ଶିକ୍ଷା ପ୍ରଦୀପର ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି, ସଂପାଦକ ମଧୁସୂଦନ ଦାଶ, ଉପଦେଷ୍ଟା ଉପେନ୍ଦ୍ର ଦାଶ, ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର ପ୍ରମୁଖ ଯୋଗ ଦେଇତିଲେ । ସଂଘର ବେଗୁନିଆ ବ୍ଲକ ସମ୍ପାଦକ ରତିକାନ୍ତ କହଲ ସିଂହ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର