ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଆସନ୍ତାକାଲି ନିର୍ବାଚିତ ସମିତି ସଭ୍ୟଙ୍କ ମଧ୍ୟରେ ମତଦାନ ହେବ। ଏହାକୁ ନେଇ ଖୋର୍ଦ୍ଧା ବ୍ଲକର ରାଜନୀତି ସରଗରମ। ଏହି ସମୟରେ ଆଜି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଗୋଡା ଲୋକନାଥ ମନ୍ଦିର ପରିସରରେ ଖୋର୍ଦ୍ଧା ବ୍ଲକର ଜିତିଥିବା ସମିତି ସଭ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ କେତେକଙ୍କୁ ନେଇ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ଭାବେ ସମର୍ଥନ ଦେବା ପାଇଁ ଶପଥ କରାଉଥିବା ଭିଡ଼ିଓ ଭାଇରାଲ୍ ହୋଇଛି। ଏହି ଘଟଣାରୁ ଜିଲ୍ଲା ବିଜେଡି ଓ ଖୋର୍ଦ୍ଧା ବିଧାୟକ ନିଜକୁ ଦୂରେଇ ରଖିଥିବା ବେଳେ ଦଳର ଗୋଷ୍ଠୀ କନ୍ଦଳ ନିର୍ବାଚନ ପରେ ତୀବ୍ର ହୋଇଥିବା ସ୍ପଷ୍ଟ ହୋଇଛି। ଗଣତନ୍ତ୍ରର ତୃଣମୂଳସ୍ତରରେ ବିକାଶକୁ ଦଳୀୟ ରାଜନୀତି ଠାରୁ ଦୂରେଇ ରଖିବା ପାଇଁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସରପଂଚ, ସମିତି ଓ ୱାର୍ଡ଼ ସଭ୍ୟ ନିର୍ବାଚନ ନିର୍ଦଳୀୟ କରାଯାଇଛି। କିନ୍ତୁ ବାସ୍ତବରେ ୱାର୍ଡ଼ର୍ ସଭ୍ୟଙ୍କ ଠାରୁ ଆରମ୍ଭ କରି ସରପଂଚ ଦଳୀୟ ପ୍ରୋତ୍ସାହନରେ ହିଁ ହୋଇଥାଏ। ନିକଟରେ ଅତୀତ ହୋଇଥିବା ପଂଚାୟତ ନିର୍ବାଚନରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ଖୋର୍ଦ୍ଧା ବ୍ଲକର ଜିତିଥିବା ୨୨ଟି ସମିତି ସଭ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ଜଣ ବିଜେଡି ଦଳର କର୍ମୀ ଥିଲେ କିମ୍ବା ବିଜେଡି ଦ୍ୱାରା ସମର୍ଥିତ ଥିଲେ। ଏଣୁ ଖୋର୍ଦ୍ଧା ବ୍ଲକ ଅଧ୍ୟକ୍ଷ ବିଜେଡିର କୌଣସି ନେତା କିମ୍ବା ବଡ଼ ସମର୍ଥକ ହେବା ଥୟ ଥିଲା। ତେବେ ଏହି ସମୟରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ ଜିତିଥିବା ୨୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ଜଣଙ୍କୁ ନେଇ ଗୋଡ଼ା ଲୋକନାଥ ମନ୍ଦିରରେ ଦୀପ, ନଡ଼ିଆ ଆଦି ଛୁଆଁଇ ବଙ୍ଗିଦା ପଂଚାୟତରୁ ସମିତି ସଭ୍ୟ ଶ୍ରୀମୟୀ ପ୍ରିୟଦର୍ଶିନୀଙ୍କୁ ଜିତାଇବା ପାଇଁ ପ୍ରତିଜ୍ଞା ଓ ତ୍ରିବାରସତ୍ୟ ବୋଲି ଶପଥ ନେଉଥିବା ଦେଖିବାକୁ ମିଳିଛି।
ଏନେଇ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେ ଭିଡ଼ିଓ ଦେଖି ନାହାନ୍ତି କିମ୍ବା ଶପଥ ସମ୍ପର୍କରେ କିଛି ଜାଣନ୍ତି ନାହିଁ। ସମିତି ସଭ୍ୟ ନିର୍ଦଳୀୟ ଅଟେ। ଗାଣତାନ୍ତ୍ରିକ ପଦ୍ଧତିରେ ଯାହାକୁ ୧୨ରୁ ଅଧିକ ସମିତି ସଭ୍ୟଙ୍କ ସମର୍ଥନ ମିଳିବ ସିଏ ଅଧ୍ୟକ୍ଷ ହେବ। ବିଜେଡି ଏକ ଗଣତାନ୍ତ୍ରିକ ମୂଲ୍ୟବୋଧର ଦଳ, ଦଳ ପକ୍ଷରୁ ଏଭଳି ଶପଥ କରିବାକୁ ନିର୍ଦେଶ ମିଳିନଥିବ। ଅପରପକ୍ଷରେ, ଏନେଇ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଏକାଧିକ ଥର ଯୋଗାଯୋଗ କରାଯାଇଥିଲା, କିନ୍ତୁ ସେ ଫୋନ ଉଠାଇନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଗୋଟିଏ ପଟେ ଟାଙ୍ଗୀ ବ୍ଲକର ଅଧ୍ୟକ୍ଷ ପଦକୁ ନେଇ ବିଜେଡି ମଧ୍ୟରେ ଟଣାଟଣି ଚାଲିଥିବା ବେଳେ ଏହି ଭିଡ଼ିଓ ଖୋର୍ଦ୍ଧା ବିଜେଡିର କ୍ଷମତା କେନ୍ଦ୍ର ପାଇଁ ଚାଲିଥିବା ଗୋଷ୍ଠୀ ବିବାଦକୁ ଅଧିକ ସ୍ପଷ୍ଟ କରିଛି। ଏହି ବିବାଦ ପୌର ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଦଳର ନିରପେକ୍ଷ କର୍ମୀ ଓ ନେତାମାନେ ଆଶଙ୍କା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Raju-Sahu-MLA-shapath-Khordha.jpg)