ଜୟପୁର: ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ବସବାସ କରୁଥିବା ଗ୍ରାମବାସୀଙ୍କ ସହଭାଗିତା‌ରେ ସେମାନଙ୍କର ଜୀବିକାରେ ଅଭିବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ‘‘ଆମ ଜଙ୍ଗଲ ଯୋଜନା’’ ଆରମ୍ଭ କରିଥିଲେ। ଏହି ଯୋଜନାରେ ଜୟପୁର ବନାଂଚଳରେ ୨ଲକ୍ଷ ୩୦ହଜାର ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେଣୁ ଜୟପୁର ବନାଂଚଳ ପକ୍ଷରୁ ଗାତ ଖୋଳା ବି ସରିଥିଲା। ଅଚାନକ ଭାବେ ଏହି ଯୋଜନାକୁ ରାଜ୍ୟସରକାର ସଂପୁର୍ଣ୍ଣ ରୁପେ  ବନ୍ଦ କରି ଦେଇଥିବା ଜୟପୁର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। କେବଳ ଜୟପୁର ବନାଂଚଳ ନୁହେଁ ସମଗ୍ର ରାଜ୍ୟରେ ଏହି ଯୋଜନା ଅଚାନକ ଭାବେ ରାଜ୍ୟସରକାର ବନ୍ଦ କରିବାକୁ ଘୋଷଣା ପରେ ଏହି ଯୋଜନାରେ କାମ ଆରମ୍ଭ କରି ଦେଇଥିବା ବେଳେ ସେସବୁ ଖର୍ଚ୍ଚର ଟଙ୍କା କିଭଳି ଦେବେ ସେ ନେଇ  ବନବିଭାଗର ଅଧିକାରୀ ଓ କର୍ମଚାରୀ ମାନେ କିଂକର୍ତ୍ତବ୍ୟବିମୁଢ଼ ହୋଇଯାଇଛନ୍ତି।

Advertisment

ସୂଚନା ଅନୁଯାୟୀ, ଜୟପୁର ବନଖଣ୍ଡ ଅର୍ନ୍ତଗତ ଜୟପୁର ବନାଂଚଳରେ ଥିବା ୨୩ଟି ବନସୁରକ୍ଷା ସମିତି ମାଧ୍ୟମରେ ୫୦ହେକ୍ଟର ଲେଖାଏଁ ୧୧୫୦ ହେକ୍ଟର ଜମିରେ ଏହି ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।ଏଥି ପାଇଁ ୨ଲକ୍ଷ ୩୦ହଜାର ଚାରା ବି ପ୍ରସ୍ତୁତି ସରିଥିଲା। ଏପରିକି ଗାତ ମାରିବା କାମ ବି ଏକ ରକମର ଶେଷ ପର୍ଯ୍ୟାୟରେ ରହିଥିଲା। ଅଚାନକ ରାଜ୍ୟ ସରକାର ଏହି ଯୋଜନାକୁ ବନ୍ଦ କରି ଦେବା ପରେ ଗାତ ମାରିଥିବା ଶ୍ରମିକଙ୍କୁ ସେମାନଙ୍କ ମଜୁରୀ କିଭଳି ଦିଆଯିବ ତାହାକୁ ନେଇ ବନବିଭାଗ ଅଧିକାରୀ ମାନେ ଚିନ୍ତା‌ରେ ପଢ଼ିଛନ୍ତି। ରାଜ୍ୟଯୋଜନା ଏମଜିନରେଗା, କାମ୍ପା, ଓଜାତୀୟ ଗ୍ରାମୀଣ ଜୀବିକା ମିଶନକୁ ନେଇ  ସଂଯୋଗୀକରଣ କରି ମୋ ଜଙ୍ଗଲ ଅଭିଯାନ କରାଯାଇଛି।

ଅଚାନକ ରାଜ୍ୟ ସରକାର ଏହି ଅଭିଯାନକୁ ବନ୍ଦ କରିଦେବା ପରେ ଗ୍ରାମାଂଚଳରେ ଏହି ଅଭିଯାନ ଜରିଆରେ ଗଠନ କରାଯାଇଥିବା ବନସୁରକ୍ଷା ସମିତି ଗୁଡ଼ିକର ଭୂମିକା କଣ ରହିବ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଜଙ୍ଗଲ ପାର୍ଶ୍ବ ଗାଁ ଲୋକ, ମହିଳା ସ୍ବୟଂସହାୟକ ଦଳଙ୍କୁ ଏହି ଅଭିଯାନରେ ସାମିଲ କରି ଖରା, ବର୍ଷା ଓ ଶୀତରେ ଜଙ୍ଗଲର ସୁରକ୍ଷାରେ ନିୟୋଜିତ କରିବା ସହ ଜୀବନ ଜୀବିକା ଓ ଆର୍ଥିକସଶକ୍ତ କରାଯାଉଥିଲା। ‌ ସେମାନଙ୍କୁ ନିଜସ୍ବ ଜଙ୍ଗଲର ମ‌ନୋଭାବ ଜାଗ୍ରତ କରିବା ସହ ଆର୍ଥିକସଶକ୍ତ କରିବା ଭଳି ମହତ ଯୋଜନାକୁ କାହିଁକି ସରକାର ଅଚାନକ ବନ୍ଦ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବୃକ୍ଷରୋପଣ ପାଇଁ ଚାରା ପ୍ରସ୍ତୁତି ସରିଥିବା ବେଳେ ଗାତ ମରା କାମ ବି ଶେଷ ପର୍ଯ୍ୟାୟରେ ରହିଥିଲା। ସେଭଳି ବୃକ୍ଷରୋପଣ ପାଇଁ ଆବଶ୍ୟକ ପଡ଼ୁଥିବା ସାର୍ ଆଦି ବି କିଣାଯାଇଥିଲା।  ଅଚାନକ ରାଜ୍ୟସରକାର କାହିଁକି ଓ କେଉଁ ପରିସ୍ଥିତିରେ ଏହି ଅଭିଯାନକୁ ବନ୍ଦ କଲେ ତାହା ସେ ଜାଣି ନାହାନ୍ତି ବୋଲି କହିଛନ୍ତି ଜୟପୁର ବନାଂଚଳ ଅଧିକାରୀ ସଚ୍ଚିଦାନନ୍ଦ ପରିଡ଼ା।