ଭଦ୍ରକ: ଘରେ ଶୋଇଥିବା ବେଳେ ତାଲାଭାଙ୍ଗି ଲୁଟି ନେଲେ ସୁନା ଓ ଲକ୍ଷାଧିକ ଟଙ୍କା

ଦୁର୍ବୃତ୍ତଙ୍କ ଟେର୍‌ ପାଉନାହିଁ ପୁଲିସ

ଭଦ୍ରକ: ପରିବାର ଲୋକେ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଲୁଟି ନେଲେ ସୁନା ଓ ଟଙ୍କା। ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏହି ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଚରମ୍ପା ନିକଟସ୍ଥ ଏରେଇ ପଞ୍ଚାୟତର ବିଶାଣିଖରିଦା ଗ୍ରାମର ନାରାୟଣ ଗିରିଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଛି। ବିଳମ୍ବିତ ରାତିରେ ଘରେ ପରିବାର ଲୋକ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଠାକୁର ଘରର ଝରକା ଭାଙ୍ଗି ଘର ଭିତରକୁ ପଶିଥିଲେ। ଘରେ ଥିବା ଏକ ଟିଣ ବାକ୍ସକୁ ନେଇ ଦୁର୍ବୃତ୍ତମାନେ ପଳାଇ ଯାଇଥିଲେ। ସେଠାରୁ କିଛିବାଟ ଯିବା ପରେ ଟ୍ରଙ୍କ (ଟିଣବାକ୍ସ) ଖୋଲି ଏଥିରେ ଥିବା ଏକ ଭରି ଓଜନର ସୁନା ଗହଣା ଓ ନଗଦ ଏକ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି।

ଘର ପାଖରୁ କିଛି ବାଟ ଯିବା ପରେ ଖାଲି ଟ୍ରଙ୍କଟିକୁ ଦୁର୍ବୃତ୍ତମାନେ ଫିଙ୍ଗିଦେଇ ପଳାଇ ଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକମାନେ ଏକ ଟ୍ରଙ୍କ ରାସ୍ତା କଡରେ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଜଣାପଡିଥିଲା ଯେ ନାରାୟଣ ରଣାଙ୍କ ଘରୁ ଚୋରି ହୋଇଥିବା ଟ୍ୟଙ୍କଟି ହେଉଛି ସେହି ଟ୍ରଙ୍କ। ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏଇ ଘଟଣାରେ ପୁଲିସ କେବଳ ଏକ ମାମାଲା ରୁଜୁ କରିଥିବା ବେଳେ କାହାରିଙ୍କୁ ଗିରଫ କରିନାହିଁ।

ସମ୍ବନ୍ଧିତ ଖବର