ରାୟଗଡ଼ା: ରାୟଗଡ଼ା ରେଲୱେ ଓଭରବ୍ରିଜ୍ ଜରାଜୀର୍ଣ୍ଣ। ଜେକେପୁର ନାଗାବଳୀ ବ୍ରିଜ ଭୁଷୁଡ଼ିବା ଅବସ୍ଥାରେ! ୩୨୬ ନଂ ଜାତୀୟ ରାଜପଥରେ ଥିବା ଏହି ଦୁଇ ପୋଲ ଅବିଭକ୍ତ କୋରାପୁଟକୁ କଳାହାଣ୍ଡି-କନ୍ଧମାଳ ସମେତ ଦକ୍ଷିଣ ଓଡ଼ିଶାକୁ ଯୋଡୁଛି। ଅଥଚ ଦୁଇ ପୋଲର ମରାମତି ଦିଗରେ ବେଫିକର୍ ପାଲଟିଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଯାହାର ପରିଣାମ ଭୋଗୁଛନ୍ତି ଯାତ୍ରୀ। ବିପଦ ସଙ୍କୁଳ ଅବସ୍ଥାରେ ଥିବା କୋରାପୁଟ, କଳାହାଣ୍ଡିର ଦୁଇ ପୋଲ ଭୁଷୁଡ଼ିବା ପରେ ଏବେ ରାୟଗଡ଼ା ଜିଲ୍ଲାର ଅସୁରକ୍ଷିତ ପୋଲକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘ ବର୍ଷ ପୁରୁଣା ଏହି ଦୁଇ ପୋଲର ମରାମତି ପାଇଁ ଦାବି ହୋଇ ଆସୁଛି। ପୋଲର ମରାମତି ନିହାତି ଜରୁରି ହୋଇ ପଡିଥିବାରୁ ସ୍ଥାନୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉଭୟ ପୋଲର ସ୍ଥାୟୀ ମରାମତି ପାଇଁ ଦେଢ଼ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତାବ ବିଭାଗକୁ ପଠାଇଛନ୍ତି। କିନ୍ତୁ ଗତ ଦେଢ଼ ବର୍ଷ ହେଲା ପ୍ରସ୍ତାବକୁ ମଞ୍ଜୁରି ମିଳିପାରୁନି। ମରାମତି ଅଭାବରୁ ଦିନକୁ ଦିନ ପୋଲ ଅବସ୍ଥା ଅତ୍ୟନ୍ତ ସାଂଘାତିକ ହେବାରେ ଲାଗିଛି। ରାୟଗଡ଼ା ରେଲୱେ ଓଭରବ୍ରିଜ ଉପରୁ ପିଚୁ ସଂପୂର୍ଣ୍ଣ ଉଠିଯିବା ସହ ବିଭିନ୍ନ ସ୍ଥାନରେ ଲୁହା ଛଡ଼ ଦେଖା ଗଲାଣି।
ବିରାଟ ଗର୍ତ୍ତ ଯୋଗୁ ପୋଲ ଉପରେ ବର୍ଷା ଦିନରେ ଭ୍ରମ ସୃଷ୍ଟି ହେବା ସହ ଦୁର୍ଘଟଣା ବଢ଼ିବାରେ ଲାଗିଛି। କେବଳ ଓଭରବ୍ରିଜ୍ ମୁଖ୍ୟ ରାସ୍ତା ନୁହେଁ ପାର୍ଶ୍ବ ସୁରକ୍ଷା ବାଡ଼ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ। ପାଥ୍ ୱେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚାଲିବା ଯୋଗ୍ୟ ନାହିଁ। ଅନେକ ସମୟରେ ଓଭରବ୍ରିଜ୍ ଦେଇ ଓଭରଲୋଡ୍ ଭାରିଯାନ ଚଳାଚଳ କରୁଥିବାରୁ ଦୋହଲୁଛି ବ୍ରିଜ୍। ଗୋଟିଏ ଦୁଇଟି ସ୍ଥାନରେ ଓଭରବ୍ରିଜର ମୂଳ ପିଲର ଦୁର୍ବଳ ହୋଇ ପଡ଼ିଥିବାରୁ ଲୁହାଭାର ପାଲଟିଛି ସାହାରା। ୪୦୦ ମିଟର ଲମ୍ବ ଫ୍ଲାଏ ଓଭରବ୍ରିଜ୍ର ନିର୍ମାଣ ୧୯୮୯ ମସିହାରେ ଆରମ୍ଭ ହୋଇ ୧୯୯୫-୯୬ରେ ସରିଥିଲା। ୨୬ ବର୍ଷ ପୁରୁଣା ଏହି ଓଭରବ୍ରିଜ୍ ୩୦ ଟନ୍ କ୍ଷମତା ପରିବହନ ବିଶିଷ୍ଟ ହୋଇଥିବା ବେଳେ ଓଭରବ୍ରିଜ୍ ଦେଇ ଚଳାଚଳ କରୁଛନ୍ତି ୪୦ରୁ ୫୦ ଟନ୍ ମାଲ ବୋଝେଇ କରିଥିବା ଯାନବାହନ। ଫଳରେ ଓଭରବ୍ରିଜର ଆୟୁଷ କମିବାରେ ଲାଗିଛି। ପ୍ରତି ବର୍ଷ ୨୫ରୁ ୩୦ ଦୁର୍ଘଟଣା ଓଭରବ୍ରିଜ୍ ଉପରେ ଘଟୁଛି। ୫୦ ବର୍ଷ ପୁରୁଣା ଜେକେପୁର ନାଗାବଳୀ ପୋଲର ମଧ୍ୟ ସମାନ୍ ଅବସ୍ଥା। ପୋଲର ମରାମତି ନିହାତି ଜରୁରି ହୋଇ ପଡିଥିଲେ ମଧ୍ୟ ଅନୁଦାନ ନଥିବାରୁ ବିଭାଗ ହାତ ବାନ୍ଧି ବସିଛି। ଅସରାଏ ବର୍ଷା ହେଲେ ବ୍ରିଜ୍ ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଜମୁଛି।
୭୦ରୁ ଉର୍ଦ୍ଧ୍ବ ଖାଲଖମା ବ୍ରିଜରେ ଥିବାରୁ ଭାରିଯାନ, ଯାତ୍ରୀବାହୀ ଗାଡ଼ିକୁ ଛାଡିଲେ ଅନ୍ୟ ଯାତ୍ରୀ ଯାତାୟାତ ସମୟରେ ତ୍ରାହି ତ୍ରାହି ଡାକୁଛନ୍ତି। ଅନ୍ୟପକ୍ଷରେ ବ୍ରିଜ୍ ଅଣଓସାରିଆ ହୋଇଥିବାରୁ ବହୁ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଛି। ଟ୍ରାଫିକ୍ ସମସ୍ୟା ଯୋଗୁ ବହୁ ଗୁରୁତ୍ବପୂର୍ଣ୍ଣ କାମରେ ମେଡ଼ିକାଲ୍, ଜିଲ୍ଲା ସଦର ମହକୁମାକୁ ଯାତାୟାତ କରୁଥିବା ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଭୟ ପୋଲର ମରାମତି ପାଇଁ ଦାବି ଜୋରଦାର୍ ହେବା ପରେ ଆସନ୍ତାକାଲି ଜାତୀୟ ରାଜପଥ ବିଭାଗର ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍ ରେଲୱେ ଓଭରବ୍ରିଜ୍ ଏବଂ ଜେକେପୁର ନାଗାବଳୀ ବ୍ରିଜର ସ୍ଥାୟିତ୍ବ ଯାଞ୍ଚ କରିବ। ବିଶେଷଜ୍ଞ ଟିମ୍ ଆଜି ରାୟଗଡ଼ାରେ ପହଞ୍ଚିଛନ୍ତି। ଯାଞ୍ଚ ପରେ ଉଭୟ ପୋଲର ସ୍ଥାୟୀ ୨ ମାସ ମଧ୍ୟରେ ଶେଷ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।