ସରି ଆସୁଛି ରାୟଗଡ଼ା ଓଭରବ୍ରିଜର ଆୟୁଷ: ଯାଞ୍ଚ ପାଇଁ ଆସୁଛନ୍ତି ବିଶେଷଜ୍ଞ ଟିମ୍, ନିଷେଧ ହେବ ଭାରୀଯାନ ଚଳାଚଳ
ରାୟଗଡ଼ା: ରାସ୍ତା ଉପରୁ ଉଠି ଗଲାଣି ପିଚୁ। ଖାଲଖମା ଯୋଗୁ କଂକ୍ରିଟ୍ ଛାତର ଲୁହା ଛଡ଼ ଦେଖା ଗଲାଣି। ପାର୍ଶ୍ବ ସୁରକ୍ଷା ବାଡ଼ ଜରାଜୀର୍ଣ୍ଣ ଅବସ୍ଥାରେ। ପାଥ୍ ୱେ ଚାଲିବା ଯୋଗ୍ୟ ନାହିଁ। ଭାରିଯାନ ଚଳାଚଳ ବେଳେ ଦୋହଲୁଛି ବ୍ରିଜ୍। ମୂଳ ପିଲର ଦୁର୍ବଳ ହୋଇ ପଡ଼ିଥିବାରୁ ଲୁହାଭାର ପାଲଟିଛି ସାହା ଭରସା। ଏପରି ଅନେକ ସମସ୍ୟା ଯୋଗୁ ସରି ଆସୁଛି ରାୟଗଡ଼ା ଫ୍ଲାଏ ଓଭରବ୍ରିଜର ଆୟୁଷ। ୩୨୬ ନଂ ଜାତୀୟ ରାଜପଥରେ ରହିଛି ରାୟଗଡ଼ାର ଲାଇଫ୍ ଲାଇନ୍ କୁହାଯାଉଥିବା ଫ୍ଲାଏ ଓଭରବ୍ରିଜ୍। ଜାତୀୟ ରାଜପଥ ଦେଇ ରାୟଗଡ଼ା-ବିଶାଖାପାଟଣା ରେଳ ଲାଇନ୍ ଯାଇଥିବାରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୪୦୦ ମିଟର ଲମ୍ବ ଫ୍ଲାଏ ଓଭରବ୍ରିଜ୍ର ନିର୍ମାଣ ୧୯୮୯ ମସିହାରେ ଆରମ୍ଭ ହୋଇ ୧୯୯୫-୯୬ରେ କାର୍ଯ୍ୟକ୍ଷମ ହୋଇଥିଲା। ବର୍ତ୍ତମାନ ଏହି ଫ୍ଲାଏ ଓଭରବ୍ରିଜ୍ ବିଜୟୱାଡା-ରାଞ୍ଚି କରିଡର୍ ସହ କେବି ଲାଇନ୍ (କୋରାପୁଟ-ବ୍ରହ୍ମପୁର)କୁ ସଂଯୋଗ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାର ଉତ୍କଳ ଆଲୁମିନା, ଜେକେ କାଗଜକଳ, ଇମ୍ଫା ସମେତ ଲକ୍ଷ୍ମୀପୁର ସ୍ଥିତ କୋଡ଼ିଙ୍ଗାମାଳି, ଦାମନଯୋଡ଼ି ନାଲକୋ ଏବଂ ଅନ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନକୁ ବାହାର ରାଜ୍ୟରୁ ଆସୁଥିବା ଶହଶହ ଭାରିଯାନ ଏହି ଓଭରବ୍ରିଜ୍ ଦେଇ ଚଳାଚଳ କରୁଛି। ୨୫ ବର୍ଷ ପୁରୁଣା ଏହି ଓଭରବ୍ରିଜ୍ ୩୦ ଟନ୍ କ୍ଷମତା ପରିବହନ ବିଶିଷ୍ଟ ହୋଇଥିବା ବେଳେ ଓଭରବ୍ରିଜ୍ ଦେଇ ଚଳାଚଳ କରୁଛନ୍ତି ୪୦ ରୁ ୫୦ ଟନ୍ ମାଲ ଲୋଡ୍ କରିଥିବା ଯାନବାହନ। ଶିଳ୍ପାନୁଷ୍ଠାନ ଓ ରାଜନୈତିକ ଚାପରେ ପୁଲିସ୍-ପ୍ରଶାସନ- ପରିବହନ ବିଭାଗ ଏଥିପ୍ରତି ଆଖି ବୁଜି ଦେଇଥିବାରୁ ଓଭରବ୍ରିଜ୍ର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଫ୍ଲାଏ ଓଭରବ୍ରିଜ୍ ୨୦୧୬-୧୭ ମସିହାରେ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର ହୋଇଥିଲା। ପ୍ରତିବର୍ଷ ଓଭରବ୍ରିଜ୍ ମରାମତି ନାଁରେ ଜାତୀୟ ରାଜପଥ ବିଭାଗ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି। ତଥାପି ଅବସ୍ଥା ସୁଧୁରି ପାରୁନି। ୨୦୨୦ ମାର୍ଚ୍ଚ ମାସରେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଓଭରବ୍ରିଜ୍ର ପିଚୁକରଣ ହୋଇଥିଲା।
ନିମ୍ନମାନର କାମ ଯୋଗୁ ପିଚୁ ଉଠି ଏବେ ଖାଲଖମାରେ ପରିପୂର୍ଣ୍ଣ ହୋଇ ପଡିଛି ଓଭରବ୍ରିଜ୍। ଦିନକୁ ଦିନ ଓଭରବ୍ରିଜ୍ର ଅବସ୍ଥା ଶୋଚନୀୟ ହେଉଥିବା ସତ୍ତ୍ବେ ସ୍ଥାୟୀ ମରାମତି ଦିଗରେ ବିଭାଗ ଦୃଷ୍ଟି ଦେଉ ନଥିବାରୁ ଏହି ବ୍ରିଜ୍ ଏବେ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ପ୍ରତି ବର୍ଷ ୨୫ ରୁ ୩୦ ଦୁର୍ଘଟଣା ବ୍ରିଜ୍ ଉପରେ ଘଟୁଛି। ବିପଦପୂର୍ଣ୍ଣ ବୁଲାଣିରେ କୌଣସି ସଙ୍କେତ ନଥିବାରୁ ଗତ ଅଗଷ୍ଟ ମାସରେ ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରକ୍ ବୁଲାଣିରେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼ ଭାଙ୍ଗି ଝୁଲି ରହିଥିଲା। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ କାହାର କିଛି କ୍ଷତି ହୋଇନଥିଲା।
ସେହିପରି ଗତ ଗୁରୁବାର ରାତିରେ ଖାଲଖମାରେ ରାସ୍ତାରେ ପଡି ଡ଼ାନିଏଲ୍ ମୁନା ନାମକ ଜଣେ ସ୍କୁଟି ଚାଳକଙ୍କ ଜୀବନ ଯାଇଛି। ମୃତକଙ୍କ ପରିବାର କ୍ଷତିପୂରଣ ପ୍ରଦାନ, ଓଭରବ୍ରିଜ୍ ମରାମତି ଦାବିରେ ରାସ୍ତାରୋକ କରିବା ସହ ଥାନା ଘେରାଉ କରିବା ପରେ ଜାତୀୟ ରାଜପଥ ବିଭାଗର ଚେତା ପଶିଛି। ବାରମ୍ବାର ମରାମତି ପରେ ବି ଓଭରବ୍ରିଜରୁ ପିଚୁ ଉଠି ଯାଉଥିବାରୁ ଏହାର କାରଣ ଓ ବ୍ରିଜର ସ୍ଥାୟୀତ୍ବ ଯାଞ୍ଚ କରିବା ପାଇଁ ଏକ ବିଶେଷଜ୍ଞ ଟିମ୍ ରାୟଗଡ଼ା ଆସୁଛନ୍ତି। ବିଶେଷଜ୍ଞ ଟିମ୍ କର୍ତ୍ତୃପକ୍ଷ ଓଭରବ୍ରିଜକୁ ଯାଞ୍ଚ କରି ରିପୋର୍ଟ ଦେବା ପରେ ଜାତୀୟ ରାଜପଥ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ କିଶୋର ସିଂହ। ଅନ୍ୟପକ୍ଷରେ ଓଭରବ୍ରିଜ୍ ଦୁର୍ବଳ ହୋଇ ପଡିଥିବାରୁ ଟେକ୍ନିକାଲ୍ କମିଟିର ଯାଞ୍ଚ ପରେ ଜିଲ୍ଲାପାଳ, ଏସ୍ପି, ଜିଲ୍ଲା ପରିବହନ ଅଧିକାରୀଙ୍କ ସହ ଆଲୋଚନା କରି ବ୍ରିଜ୍ ଦେଇ ଭାରିଯାନ ଚଳାଚଳକୁ ବ୍ୟାନ୍ କରାଯିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଯନ୍ତ୍ରୀ ଶ୍ରୀ ସିଂହ।