ଜୟପୁର: ୬୮ଲକ୍ଷ ଟଙ୍କା ବ୍ୟୟରେ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଫୁଟ ଓଭରବ୍ରିଜ ନିର୍ମାଣାଧୀନ ରହିଛି। ଗତ ଅଗଷ୍ଠ ମାସରୁ ଅଚାନକ ଭାବେ ନିର୍ମାଣ କାମ ଅଧାରୁ ବନ୍ଦ ରହିଛି। ସମ୍ମୁଖ ଗେଟ୍ ନିକଟରେ ଛାତ୍ରଛାତ୍ରୀଙ୍କ ଶହଶହ ବାଇକ ଥୁଆ ହୋଇ ରହିବା ଏବଂ କାମ ପାଇଁ କଢ଼ା ଯାଇଥିବା ମାଟି ଜମା ହୋଇ ରହିବାରୁ ଛୋଟ ବଡ଼ ଦୁର୍ଘଟଣା ନିୟମିତ ଘଟୁଛି। ତା’ ସାଙ୍ଗକୁ କଲେଜ ସମ୍ମୁଖରେ ନିୟମିତ ଭାବେ ଟ୍ରାଫିକ୍ ଜାମ୍ ହେବା ସହ ଲୋକଙ୍କ ଯାତାୟତରେ ବାଧା ଉପୁଜୁଛି। ସୂଚନାଯୋଗ୍ୟ, ଅବିଭକ୍ତ କୋରାପୁଟ ଜିଲ୍ଲାର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରମୁଖ କଲେଜ ଭାବେ ପରିଚିତ।

Advertisment

ଏଠାରେ ଯୁକ୍ତଦୁଇ, ଯୁକ୍ତତିନି ଓ ସ୍ନାତକ, ବିଇଡି ଆଦି ପାଠ୍ୟକ୍ରମ ସହ ଇଗ୍ନୋର କେନ୍ଦ୍ର ବି ରହିଛି। ପ୍ରତ୍ୟେକ ଦିନ କଲେଜକୁ ୨ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଶତାଧିକ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନଙ୍କର ଯିବା ଆସିବା ଲାଗି ରହୁଛି । କଲେଜର ମଧ୍ୟ ଭାଗ ଦେଇ ଜାତୀୟ ରାଜପଥ ୨୬ ଯାଇଛି। ଲାଇଫ୍ ଲାଇନ୍ ରାସ୍ତା ଭାବେ ଏହା ପରିଚିତ। ଏହି ରାସ୍ତାରେ ୨୪ ଘଣ୍ଟା ତମାମ ଭାରୀଯାନ ଠାରୁ ଆରମ୍ଭ କରି ବସ, ଟ୍ୟାକ୍ସି, ଶହଶହ ବାଇକରେ ଲୋକେ ଯିବା ଆସିବା କରୁଛନ୍ତି । ଅନ୍ୟ ପକ୍ଷରେ କଲେଜ ସମ୍ମୁଖର ଗେଟ ବନ୍ଦ ରହୁଥିବାରୁ କଲେଜକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ବାଇକ, ଅଭିଭାବକ ମାନଙ୍କ ବାଇକ୍ ଆଦି ଗେଟ ନିକଟରେ ରଖାଯିବା ପାଇଁ ପାର୍କିଂ କରାଯାଇଛି ।

publive-image Sambad

ଛାତ୍ରଛାତ୍ରୀ ମାନେ ମଧ୍ୟ ରାସ୍ତାର ଅନ୍ୟ ପାର୍ଶ୍ବରେ ଥିବା ଶ୍ରେଣୀଗୃହ ଓ ବିଭିନ୍ନ ଛାତ୍ରୀନିବାସର ଅନ୍ତୋବାସୀ ଛାତ୍ରୀ ମାନେ ଛାତ୍ରୀନିବାସକୁ ଯାଇ ଶ୍ରେଣୀ ଗୁଡ଼ିକୁ ଯିବା ଆସିବା କରୁଛନ୍ତି। ଏହାସହ ଫୁଟ ଓଭର ବ୍ରିଜ୍ ପାଇଁ କଢ଼ାଯାଇଥିବା ମାଟି ସେଭଳି ଗଦା ହୋଇ ପଡ଼ିରହିଛି। ଏହା ସାଙ୍ଗକୁ କଲେଜ ସମ୍ମୁଖ ଗେଟରୁ ମୁଖ୍ୟଟ୍ରାଫିକ ପୋଷ୍ଟ ୩୦୦ମିଟର ଦୂରତାରେ ରହିଛି। ସେଠାରେ ପାର୍କିଂ ଲାଇଟ୍ ଲାଗିବା ମାତ୍ରକେ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଗହଳି ସହ ରାସ୍ତାରେ ଯା’ଆସ ହେଉଥିବା ଗାଡି ଗୁଡ଼ିକ ସେଭଳି ରଖିବା ସହ ସେଠାରେ ଟ୍ରାଫିକ ଜାମ୍ ହେଉଛି। ଛୋଟ ବଡ଼ ଦୁର୍ଘଟଣା ନିୟମିତ ପାଲଟିଛି । ଆଜି ସେଭଳି ୨ଜଣ ଛାତ୍ରୀଙ୍କୁ ଗୋଟିଏ କାର ଧକ୍କା ଦେଇଥିଲା। ଏଥିରେ ଛାତ୍ରୀ ମାନେ ଆହତ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ତୁରନ୍ତ ମାଟି ହଟାଇବା ସହ କାମ ସାରି ହସ୍ତାନ୍ତର କରିବାକୁ ପୂର୍ତ୍ତବିଭାଗକୁ ଅନୁରୋଧପତ୍ର ଲେଖାଯାଇଛି ବୋଲି କହିଛନ୍ତି ଅଧ୍ୟକ୍ଷ ଡଃ. ଗୋପାଳ ହାଲଦାର । ୨୦ ମିଟର ଲମ୍ବ ଓ ୩ ମିଟର ଓସାର ବିଶିଷ୍ଟ ଫୁଟ ଓଭର ବ୍ରିଜର ପ୍ଲେଟ୍ ଲଗାଯିବା କାମ ବାକି ରହିଛି। ଏହି ପ୍ଲେଟ୍ ଆସିଲେ କାମ ଶେଷ ହେବ। ଠିକାଦାର ଏକ କମ୍ପାନୀଙ୍କୁ ଏହା କରିବା ପାଇଁ ଅର୍ଡର ଦେଇଛନ୍ତି ବୋଲି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ଭାସ୍କର ଚନ୍ଦ୍ର ସାମନ୍ତରାୟ। ତେବେ ଏହି ମାସରେ ଏହି କାମ ଶେଷ ହେବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ।