ଯୋଗାଣ ବିଭାଗ ଦୁର୍ନୀତି, ବନ୍ଦ ହେଉନି ଓଭରଲୋଡିଂ

ସୁନ୍ଦରଗଡ଼ : ଜିଲ୍ଲାରେ ପିଡିଏସ୍ ଓଭରଲୋଡିଂ ବନ୍ଦ ହେବାର ନାଁ ଧରୁନି। ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ବି ଏହା ବେଧଡ଼କ ଚାଲିଛି। ବଡ଼ କଥା ହେଲା, ଓଭରଲୋଡିଂ ଯୋଗୁଁ ଅନେକ ସମୟରେ ଟ୍ରକ ଦୁର୍ଘଟଣା ଘଟୁଥିବା ଓ ଏଥିରେ ନିରୀହ ଲୋକଙ୍କ ପ୍ରାଣହାନୀ ହେଉଥିବା ଦେଖାଯାଇଛି। ଅଥଚ ଏଥରେ ଲଗାମ ଲାଗିପାରି ନାହିଁ। ଗତ ବର୍ଷ ଯୋଗାଣ ବିଭାଗ ଦୁର୍ନୀତିକ୍ରମରେ ପିଡିଏସ୍ ସାମଗ୍ରୀର ଓଭରଲୋଡିଂ କଥା ସାମ୍ନାକୁ ଆସିଥିଲା। ଜିଲ୍ଲାର ସମସ୍ତ ଚାଉଳ ସଂଗ୍ରହ କେନ୍ଦ୍ର (ଆରଆରସି)ରୁ ପରିବହନକାରୀ ଠିକାଦାରଙ୍କ ଟ୍ରକରେ କ୍ଷମତା ଠାରୁ ଅଧିକ ପିଡିଏସ୍ ସାମଗ୍ରୀ ପଠାଯାଉଥିବା ଜଣାପଡ଼ିଥିଲା। ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲା ଯୋଗାଣ ଅଧିକାରୀ ଓଭରଲୋଡିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ସେପ୍ଟେମ୍ବର ୩ ତାରିଖରେ ସେ ବାଲିଝୋରି ଓ ରାଉରକେଲା ଏଫଏସଡି ଗୋଦାମର ଲିଫ୍ଟିଂ ଅଫିସର ସହ ଜିଲ୍ଲା ସମସ୍ତ ଚାଉଳ ସଂଗ୍ରହ କେନ୍ଦ୍ରର ସଂଗ୍ରହ ନିରୀକ୍ଷକ (ପିଆଇ)ଙ୍କୁ କୌଣସି ପରିସ୍ଥିତିରେ କ୍ଷମତା ଠାରୁ ଅଧିକ (ଓଭରଲୋଡିଂ) ପିଡିଏସ ସାମଗ୍ରୀ ବୋଝେଇ ନକରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ଏପରିକି ଏଥିରେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଥିଲେ ।

କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ଓଭରଲୋଡିଂ ଜାରି ରହିଲା। ବିଶେଷ କରି ପିଡିଏସ୍ ସାମଗ୍ରୀ ଓଭରଲୋଡିଂ ଲୁଚାଛୁପାରେ ନୁହେଁ, ସମସ୍ତଙ୍କ ଜାଣତରେ ଖୋଲାଖୋଲି ଚାଲିଥିବା ଓ ଓଭରଲୋଡିଂରେ ପରିବହନ ହେଉଥିବାର ସବୁ ପ୍ରମାଣ ସରକାରଙ୍କ ୱେବସାଇଟ୍ରେ ଥିବା ସତ୍ତ୍ବେ ଯୋଗାଣ ବିଭାଗ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କେବଳ ଚିଠି ଲେଖି ଦାୟିତ୍ବ ସାରି ଦେଇଥିବାରୁ ଚାଉଳ ସଂଗ୍ରହ କେନ୍ଦ୍ରଗୁଡ଼ିକ ଏହାକୁ ଖାତିର କରୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଓଭରଲୋଡିଂ ପ୍ରତି ପରିବହନ ବିଭାଗ ନିରବତା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବେ କେମିତି ପିଡିଏସ୍ ଓଭରଲୋଡିଂ କରି ନେଉଥିବା ଟ୍ରକ ଦୁର୍ଘଟଣାଗ୍ରସ୍ତ ହେଲେ ହିଁ ଲୋକ ଦେଖାଣିଆ ଭାବେ ସାମାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖାଯାଇଛି। ନହେଲେ ଅନେକ ସମୟରେ ଓଭରଲୋଡିଂ ଯାଞ୍ଚ ପାଇଁ ବିଭାଗ ଆଦୌ ଆଗ୍ରହ ପ୍ରକାଶ କରୁ ନାହିଁ। ଗତବର୍ଷ ଓଭରଲୋଡିଂ ଜନିତ ଟ୍ରକ ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣ ଯାଇଥିଲା। ଏପରିକି ଅନେକ ପିଡିଏସ୍ ଗାଡ଼ିର ଫିଟନେସ ନଥିବା ଓ ବୀମା ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ପରିବହନ ବିଭାଗ ଆଖି ବୁଜି ଦେଉଥିବା ଅଭିଯୋଗ ହୋଇଛି। ସରକାରୀ ୱେବସାଇଟ୍ରେ ଓଭରଲୋଡିଂର ସମସ୍ତ ପ୍ରମାଣ ଥିବା ସତ୍ତ୍ବେ ଏପରି ବେନିୟମ କାର୍ଯ୍ୟ ରୋକାଯାଇ ପାରୁ ନଥିବାରୁ ଉଭୟ ଯୋଗାଣ ଓ ପରିବହନ ବିଭାଗ ଉପରକୁ ଅଙ୍ଗୁଳି ଉଠିଛି।

ସମ୍ବନ୍ଧିତ ଖବର