ଯୋଡ଼ା: ୫-ଟି ସଚିବ ଭିକେ ପାଣ୍ଡିଆନ ଯୋଡ଼ା ଗସ୍ତରେ ଆସି ନିର୍ମାଣାଧୀନ ଫ୍ଲାଏଓଭର କାମର ସମୀକ୍ଷା କରିଛନ୍ତି। ଓବିସିସିର ଭାରପ୍ରାପ୍ତ ଯନ୍ତ୍ରୀ ନରସିଂହ ମହାନ୍ତ,କନିଷ୍ଠ ଯନ୍ତ୍ରୀ ଧନେଶ୍ଵର ମାଝୀ,  ଇଂଜିନିୟର ପ୍ରଶାନ୍ତ ମିଶ୍ର, ଏସଡିଓ ଚିନ୍ମୟ ଜେନାଙ୍କ ସମେତ ଠିକାସଂସ୍ଥା ଚେଭରୋକ୍ସ କମ୍ପାନୀର ଭାରପ୍ରାପ୍ତ ପରିଚାଳକ ବିପୁଲ ବର।ଟ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ମାଣ କାମରେ କାହିଁକି ବିଳମ୍ବ ହେଉଛି ସେ ସମ୍ପର୍କରେ ଶ୍ରୀ ପାଣ୍ଡିଆନ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଭାରପ୍ରାପ୍ତ ଯନ୍ତ୍ରୀ ନରସିଂହ ମହାନ୍ତ କହିଥିଲେ ଯେ, ଫ୍ଲାଏଓଭର ନିର୍ମାଣର ଏଗ୍ରିମେଣ୍ଟ ୨୦୨୧ ମାର୍ଚ୍ଚରେ ହୋଇଥିଲେ ହେଁ ଏହା ଜୁନ୍‌ରେ କାର୍ଯ୍ୟକାରୀ ହୋଇଥିଲା। ବିଭିନ୍ନ ଖଣି କମ୍ପାନିମାନେ ସ୍ଲରି ପାଇପ୍‌ଲାଇନ୍‌ ବିଛାଇବା ପାଇଁ ଖୋଳାଖୋଳି କରିବା ଫ୍ଲାଏଓଭର କା‌ମରେ ପ୍ରତିବନ୍ଧକ ସାଜିଛି।

Advertisment

ଜୁଲାଇ ମାସ ସୁଦ୍ଧା ଫ୍ଲାଏଓଭରର ଗୋଟିଏ ପାର୍ଶ୍ୱରେ ସର୍ଭିସରୋଡ କାମ ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ମହାନ୍ତ କହିଛନ୍ତି। ସେଠାରୁ ଶ୍ରୀ ପାଣ୍ଡିଆନ ବୃଦ୍ଧାଶ୍ରମ ଯାଇ ଅନ୍ତେବାସୀଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ସହିତ ମଧ୍ୟାହ୍ନଭୋଜନ କରିଥିଲେ। ଯୋଡ଼ା ବିକାଶ ପରିଷଦର ସଦସ୍ୟ ନିରଞ୍ଜନ ବହିଦାର, ହୃଷୀକେଶ ଜେନା, ମନୀନ୍ଦ୍ର ସୁନ୍ଦର ବାରିକ, ଆଶୁତୋଷ ପ୍ରଧାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ପରିଷଦ ପକ୍ଷରୁ ଯୋଡ଼ାରେ ଇଞ୍ଜିନିୟରିଂ ସ୍କୁଲ ପ୍ରତିଷ୍ଠା, ମୁର୍ଗା ମହାଦେବ ମନ୍ଦିର ତଥା ଜଳପ୍ରପାତର ଉନ୍ନତି ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ଯୋଡ଼ା ଟ୍ରକ୍ ମାଲିକ ସଂଘ  ସୋୟେବ ଖାନ୍‌, ଜିତେନ୍ଦ୍ର  ଜୟସ୍ବାଲ, ରାଜେଶ ରୋଶନ, ଅଶୋକ କାରୁଆ,ବିଜୁ ଆପଟ ପ୍ରମୁଖ ଏକ ଦାବିପତ୍ର ଦେଇଥିଲେ। ପରେ ୫-ଟି ସଚିବ କାନପୁର ପ୍ରକଳ୍ପ ପରିଦର୍ଶନ କରି ନଦୀବନ୍ଧ, ସ୍ପିଲ୍‌ୱେ କାମର ସମୀକ୍ଷା କରିଥିଲେ। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଏସ୍‌ପି ନିତିନ କୁଶଲକର ଡାଗଡୁ, ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ ମାଝୀ, ବଡ଼ବିଲ ତହସିଲଦାର ଆଲୋକ ପଟେଲ, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।