ବେଆଇନ ଭାବ‌େ ଗଢ଼ି ଉଠିଛି ମାଳମାଳ ଇଟାଭାଟି: ଧରାପଡ଼ିଛନ୍ତି ୮୬, ତଣ୍ଡ ଗଣିଲେଣି ୩୫ ଭାଟି ମାଲିକ

କାର୍ଯ୍ୟାନୁଷ୍ଠାନ ପରେ ଶୁଣୁନାହାନ୍ତି ବ୍ୟବସାୟୀ

ଜୟପୁର: ମାଟି ଖୋଳା ଚାଲିଛି। କାଦୁଅରେ ଇଟା ତିଅରି ହୋଇ ଧାଡି ବନ୍ଧାଯାଉଛି। ଆଉ କେଉଁଠି ଭାଟିରେ ନିଆଁ ଲାଗିଛି। ଗାଁ ଠାରୁ ସ୍ବଳ୍ପ ଦୂରରେ କିଏ ରାସ୍ତା କଡରେ ଆଉ କିଏ ଚାଷ ଜମିରେ କରିଛନ୍ତି ଇଟା ଭାଟି। ଏହପରି ଭାବେ ଜୟପୁର ତହସିଲର ସହର ଉପକଣ୍ଠରେ ରହିଥିବା ବହୁ ଗାଁରେ ଚାଲିଛି ଶହେରୁ ଅଧିକା ଇଟାଭାଟି। ପ୍ରଶାସନର ନିଷେଧାଜ୍ଞା ଓ କଟକଣା ସତ୍ତ୍ବେ ଛତୁ ଫୁଟିଲା ପରି ବେଆଇନ ଇଟା ଭାଟିଗୁଡ଼ିକ ଗଢ଼ି ଉଠିଛି। ବେଆଇନ ଭାବେ ଗଛ କାଟି ଇଟା ପୋଡ଼ିବା ଦ୍ବାରା ଅଞ୍ଚଳରେ ଏକ ଉତ୍ତପ୍ତ ବଳୟ ସୃଷ୍ଟି ହେଉଛି। ସୁପ୍ରିମକୋର୍ଟ, ଏନଜିଟି ପ୍ରଦୁଷଣକୁ ନଜରରେ ରଖି ଇଟାଭାଟିକୁ ବେଆଇନ୍ ଘୋଷଣା କରିଛନ୍ତି। ମୃତ୍ତିକା କ୍ଷୟ ଓ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ମାଟି ତିଆରି ଇଟା ନିର୍ମାଣରେ ରୋକ ଲଗାଇଛନ୍ତି । କିନ୍ତୁ ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ଭାଟି ମାଲିକମାନେ ନିଜ ଇଚ୍ଛା ମୁତାବକ ଇଟା ତିଆରି କରୁଛନ୍ତି।

ସହରରେ ଦିନକୁ ଦିନ ଅଧିକା ସଂଖ୍ୟାରେ ଘର ନିର୍ମାଣ ସହ ବିଭିନ୍ନ ବିଭାଗ କୋଠା ତିଆରି ଚାଲିଛି। ଏଥି ପାଇଁ ବହୁ ବେଆଇନ ଇଟାଭାଟି ଚାଲୁଥିବା ବେଳେ ପ୍ରଶାସନ ପାଇଁ ଏହା ଚାଲେଞ୍ଜ ପାଲଟିଛି। ବିଶେଷ କରି ପୋଖରୀ ନିକଟ ଓ କେନାଲ ପଠା ଇଟାଭାଟି ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗଢ଼ି ଉଠିଥିବା ସମସ୍ତ ଇଟାଭାଟିର ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ) ନାହିଁ। ଜୟପୁର ସହରରେ ପାଖାପାଖି ଶହେରୁ ଅଧିକା ଇଟାଭାଟି ରହିଛି। ଆଉ ସମସ୍ତ ଇଟାଭାଟି ବେଆଇନ ଭାବେ ଗଢ଼ି ଉଠିଛି। ପ୍ରଶାସନ ପକ୍ଷରୁ ଜୟପୁର ତହସିଲ ଅଧିନରେ କାହାକୁ ମଧ୍ୟ ଲାଇସେନ୍ସ୍ ପ୍ରଦାନ କରାଯାଇନାହିଁ। କିନ୍ତୁ ମୁନାଫାଖୋର ବେପାରୀମାନେ ବେଆଇନ ଭାବେ ଚଲାଉଛନ୍ତି ଏହି ବ୍ୟବସାୟ। ପ୍ରଶାସନ ଏମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଅବାଧରେ ଏହି କାର୍ଯ୍ୟ କରୁଛନ୍ତି। ଏନେଇ ଜରିମାନା ଆଦାୟ କରୁଛନ୍ତି ସତ କିନ୍ତୁ ସେହି ଭାଟି ମାଲିକାମାନ‌େ ନିଜ ଇଚ୍ଛା‌ର ଇଟା ତିଆରି କରି ଲକ୍ଷାଧିକ ଟଙ୍କାର ଲାଭ ପାଉଛନ୍ତି।

ଜୟପୁର ସହର ଉପକଣ୍ଠରେ ମାଳ ମାଳ ଇଟା ଭାଟି ରହିଛି। ନନ୍ଦଗୁଡା, ବାରିଣୀପୁଟ, ରଣ୍ଡାପାଲି, ଉମୁରୀ, ଗଡପଦର, ଟାଙ୍କୁଆ ଭଳି ବିଭିନ୍ନ ଅଞ୍ଚଳରେ ବହୁ ଇଟା ଭାଟି ଚାଲିଛି। ଲକ୍ଷ ଲକ୍ଷ ଟଙ୍କାର ଇଟା ତିଆରି କରି ବିକ୍ରି କରୁଛନ୍ତି। ମାଲିକମାନେ ଜନବସତି ଅତି ନିକଟରେ ଇଟାଭାଟିଗୁଡିକରେ ନିଆଁ ଲଗାଇ ପରିବେଶକୁ ଉତ୍ତପ୍ତ କରୁଛନ୍ତି। ଏପରିକି ଅସାମାଜିକ ବ୍ୟକ୍ତି ମଧ୍ୟରେ ଏହି କାର୍ଯ୍ୟରେ ନ୍ୟସ୍ତ ରହୁଛନ୍ତି। ଫଳରେ ସଚେତନତା ସତ୍ତ୍ବେ କେହି ବନ୍ଦ କରିବାକୁ ସାହସ କରୁନାହାନ୍ତି। ଭୟରେ ସଚେତନ ନାଗରିକ ଚୁପ ରହୁଛନ୍ତି। ସେହିପରି ଇଟାଭାଟି ପାଇଁ ବେଆଇନ ଭାବେ ମାଟି ଖନନ ହେଉଥିବାରୁ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି। ଏହାଦ୍ବାରା ଜଳସ୍ତର ପ୍ରଭାବିତ ମଧ୍ୟ ହେଉଛି।  ପ୍ରଶାସନ ମଧ୍ୟ ଏକପ୍ରକାର ନିରବ ରହିଛି। କେତେକ ଅସାଧୁ କର୍ମଚାରୀଙ୍କ ପାଇଁ ଏହା ଆୟର ପନ୍ଥା ହୋଇଛି। ଯା’ଫଳରେ ବ୍ୟାପକ ରାଜସ୍ବ ହାନୀ ହେଉଛି। ସିମେଣ୍ଟ ଇଟା ଓ ମାଟି ଇଟାର ଦର ମଧ୍ୟରେ ବହୁ ଫରକ ରହିଛି। ମାଟି ଇଟା ସିମେଣ୍ଟ ଇଟା ଠାରୁ କମ୍ ଦରରେ ମିଳିଗଲେ ଲୋକେ ତାହାକୁ ବ୍ୟବହାର କରୁଛନ୍ତି। ଏହି ବେଆଇନ ଇଟାଭାଟିକୁ ସଂପୂର୍ଣ୍ଣ ବନ୍ଦ କରିବା ସହିତ ଏହି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

 

ଜୟପୁର ତହସିଲଦାର ଟୁଲିଆମ୍ମା ପ୍ରଧାନଙ୍କ କହିବାନୁଯାୟୀ, ଚଳିତବର୍ଷ ଜୟପୁର ତହସିଲ ଅଧିନରେ ୮୬ଟି ବେଆଇନ ଇଟାଭାଟି ରହିଥିବା ସୂଚନା ରହିଛି। ଏନେଇ ୩୫ଟି ଭାଟି ମାଲିକ ଠାରୁ ସାଢ଼େ ୪ ଲକ୍ଷ ଟଙ୍କାର ଜରିମାନ‌ା ଆଦାୟ କରାଯାଇଛି। ଏଥିସହ ବଳକା ଇଟାଭାଟି ମାଲିକମାନ‌ଙ୍କୁ ନୋଟିସ୍ ଦିଆଯାଇଛି। ସେମାନ ଯଦିଓ ଜରିମାନା ନଦେଲେ ସୋମନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର