ଏମିତି ଚାଲିଛି କୋରାପୁଟ ପରିବହନ କାର୍ଯ୍ୟାଳୟ: ମାଲିକ ଜାଣୁନାହାନ୍ତି କେବେ ବଦଳିଯାଉଛି ତାଙ୍କ କାରର ମାଲିକାନା

ଚୋର ବଦଳାଇପାରୁଛନ୍ତି ମାଲିକାନା

କୋରାପୁଟ/ସେମିଳିଗୁଡା: ସାବଧାନ! ଗାଡି ଆପଣଙ୍କର ହୋଇପାରେ, କିନ୍ତୁ ଆଉ କିଏ ବି ମାଲିକାନା ଜାହିର କରି ପାରିବ। କୋରାପୁଟ ପରିବହନ କାର୍ଯ୍ୟଳୟରେ ଏପରି କରିତକର୍ମା କର୍ମଚାରୀ ରହିଛନ୍ତି ଯେ ବିକ୍ରେତା ଓ କେତ୍ରା ଅନୁପସ୍ଥିତ ରହିଥିଲେ ମଧ୍ୟ ମାଲିକାନା ପରିବର୍ତ୍ତନ ହୋଇପାରିବ। ଖୋଦ କୋରାପୁଟ ଜିଲ୍ଲା ସୁନାବେଡା ପୁଲିସ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି। ସୁନାବେଡା ପୁଲିସ ଦଣ୍ଡାସୀ ଗୁଡା ଅଞ୍ଚଳର ପିଣ୍ଟୁ ହନ୍ତାଳ ଓ ବୋରିଗୁମ୍ମା ଅଞ୍ଚଳର ଜୋସେଫ କୁଲଦୀପଙ୍କୁ ଗିରଫ କରି ଲୁଟ ହୋଇଥିବା କାର ବିଷୟରେ ପଚରାଉଚରା କରିବା ସମୟରେ ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିଥିଲା | ଲୁଟ ହୋଇଥିବା ଅଲ୍ଟୋ କାରକୁ ଦୁର୍ବୁତ୍ତମାନେ ଜାଲ କାଗଜପତ୍ର ଜରିଆରେ ଭେଜାପୁଟ ରେଲୱେ କଲୋନୀର ବିପିନ ଛତ୍ରୀୟାଙ୍କୁ ବିକ୍ରି କରି ଦେଇଥିବା ଜଣାପଡିଥିଲା |

ପୁଲିସ ବିପିନଙ୍କୁ ଥାନାକୁ ଡକାଇ ପଚରାଉଚରା କରିବା ପରେ ମାତ୍ର ୨୫ ହଜାର ଟଙ୍କା ବିନିମୟରେ ଦାମନଯୋଡି ଅଞ୍ଚଳରେ ଜନସେବା କେନ୍ଦ୍ର ଖୋଲିଥିବା ସନ୍ତୋଷ କୁମାର ଖଣ୍ଡେଇ ତାଙ୍କୁ ସମସ୍ତ କାଗଜପତ୍ର ଦେଇଥିବା କଥା ପ୍ରକାଶ କରିଥିଲା | ଗାଡିର ମାଲିକ ପରିବହନ କାର୍ଯ୍ୟାଳୟ ଆସିନାହାନ୍ତି କି କିଣିବା ଲୋକ ବି କାର୍ଯ୍ୟାଳୟ ଆସିନାହାନ୍ତି । କିନ୍ତୁ ଗାଡିଟି ବିକ୍ରି ହୋଇ ମାଲିକାନା ପରିବର୍ତ୍ତନ ହୋଇଛି । ଏହା ଆପଣଙ୍କୁ ମିଛ ଲାଗିପାରେ, କିନ୍ତୁ ଘଟଣାଟି ସଂପୂର୍ଣ୍ଣ ସତ । ଏହା ଆମେ କହୁନୁ କହିଛନ୍ତି ନିଜେ ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା । ୨୦୨୧ ମସିହା ସେପ୍ଟେମ୍ବର ୨୧ରେ କୋରାପୁଟ ଜିଲ୍ଲା ସିମିଳିଗୁଡା କଲେଜ ନିକଟରେ ଜଗୁ ହନ୍ତାଲ ଓ ତାଙ୍କ ସଙ୍ଗ ଏକ ମାରୁତି କାର ନିକଟରେ କଥା ହେଉଥିବାବେଳେଠାରୁ ଦୁଇଟି ବାଇକ୍‌ରେ ୫ ଜଣ ଆସି ଛଡାଇ ନେଇଯାଇଥିଲେ। ପରେ ସୁନାବେଡା ଥାନାରେ ଏତଲା ଦେଇଥିଲେ ଜଗୁ ।

ଘଟଣାର ତଦନ୍ତ କରିବା ପରେ ଜଣାପଡିଲା ଯେ ମାରୁତି କାର (ଓଡି-୧୦-୩୭୯୬) ଗାଡିର ମାଲିକାନା ପରିବର୍ତ୍ତନ ହୋଇଯାଇଛି । ପ୍ରକୃତ ଗାଡିର ମାଲିକ ଜଗୁ ହନ୍ତାଳଙ୍କ ନାମରୁ ବିପିନ ଛାତ୍ରୀଆଙ୍କ ନାମକୁ ବଦଳିଯାଇଛି । ଏହି ଚୋରି ଗାଡିକୁ ବିପିନ ୪୦ ହଜାର ଟଙ୍କାରେ କିଣି ମାଲିକାନା ପରିବର୍ତ୍ତନ କରିବା ପାଇଁ ଦାମନଯୋଡିର ଜନସେବା କେନ୍ଦ୍ରରେ କାଗଜପତ୍ର ଦେଇଥିଲେ । ସେହି ଗାଡିର କାଗଜ ପତ୍ରକୁ ଜାଲି କରି କୋରାପୁଟ ଜିଲ୍ଲା ପରିବହନ ବିଭାଗରେ ବିପିନ ଛାତ୍ରୀଆ ନାମରେ କରିଦେଇଥିବା ଏସଡିପିଓ କହିଛନ୍ତି । ସରକାରୀ ନିୟମ ଅନୁସାରେ ବିକ୍ରେତା ଓ କେତ୍ରା ଉପସ୍ଥିତି ନହେଲେ ଗାଡି ବିକ୍ରି ହୋଇପାରିବ ନାହିଁ । କିନ୍ତୁ ବିକିବା ଲୋକ ଜଗୁ ହନ୍ତାଳ ସେ ଆରଟିଓ କାର୍ଯ୍ୟାଳୟ ଯାଇ ନଥିବାବେଳେ କିଣିବା ଲୋକ ବିପିନ ଛାତ୍ରୀଆ ବି ଚୋରି ଗାଡି କିଣିଛନ୍ତି ସତ କିନ୍ତୁ ସେ ବି ଆରଟିଓ କାର୍ଯ୍ୟାଳୟ ଯାଇନାହାନ୍ତି । ତେବେ ଗାଡିଟିର ମାଲିକାନା କେମିତି ପରିବର୍ତ୍ତନ ହେଲା ତାହାକୁ ନେଇ ସନ୍ଦେହ ଉଠିଛି। ସରକାର ୫ଟିରେ ରାଜ୍ୟର ପ୍ରତି ପରିବହନ କାର୍ଯ୍ୟାଳୟରେ ଦଲାଲମୁକ୍ତ ବୋଲି ଘୋଷଣାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ମାଲିକାନା ପରିବର୍ତ୍ତନ କରିବାକୁ ଜନସେବା କେନ୍ଦ୍ର ଓ ଆରଟିଓର ଜଣେ ଡିଲିଂ କ୍ଲର୍କ ଏବଂ ଡାଟା ଏଣ୍ଟ୍ରି ଅପରେଟର ମଧ୍ୟରେ ସଲାସୁତରା ହୋଇଥିବାର କୁହାଯାଉଛି । ତାଙ୍କ ମାଧ୍ୟମରେ ଏହି କାର୍ଯ୍ୟ ହୋଇଥିବାରୁ ଆରଟିଓ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର