ଭଞ୍ଜନଗର: କରୋନା ମହାମାରୀର ଦ୍ବିତୀୟ ଲହର୍ ବେଳେ ଅକ୍ସିଜେନ୍‌ର ବହୁଳମାତ୍ରାରେ ଆବଶ୍ୟକତାକୁ ନଜରରେ ରଖି ରାଜ୍ୟର ୪୦ଟି ସ୍ଥାନରେ ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିଲେ। ଏହି କ୍ରମରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହୋଇଥିଲା। ଏହାବାଦେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ଓ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ବି ଅକ୍ସିଜେନ୍‌ ପ୍ଲାଣ୍ଟ୍ ସ୍ଥାପନ ହୋଇଥିଲା। କିନ୍ତୁ ଉଦ୍‌ବେଗର ବିଷୟ, ଭଞ୍ଜନଗର ଡାକ୍ତରଖାନାରେ ଥିବା ପ୍ଲାଣ୍ଟ୍ ପୂର୍ଣ୍ଣାଙ୍ଗ ଭାବେ ଏଯାବତ୍ କାର୍ଯ୍ୟକ୍ଷମ ହୋଇପାରିନି। ରୋଗୀଙ୍କ ଶଯ୍ୟାକୁ ସିଧାସଳଖ ଅକ୍ସିଜେନ୍ ପହଞ୍ଚାଇବା ଲକ୍ଷ୍ୟରେ ୨୦୨୧ ମସିହାରେ ଏହି ପ୍ଲାଣ୍ଟ୍ ସ୍ଥାପନ ହେଲା ସତ। କିନ୍ତୁ ସ୍ଥାପନ ହେବାର ଦୁଇ ବର୍ଷ ପରେ ଚଳିତବର୍ଷ ଏପ୍ରିଲ୍ ମାସରେ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଗଲା। କିନ୍ତୁ ତିନି ମାସ ପରେ ଏବେ ତାହା ପୁଣି ବନ୍ଦ।

Advertisment

ଜିଲ୍ଲା ମୁଖ୍ୟାଳୟରୁ ୧୦୦ କିଲୋମିଟର ଓ ବ୍ରହ୍ମପୁରରୁ ୮୦ କିଲୋମିଟର ଦୂର ଭଞ୍ଜନଗର ଡାକ୍ତରଖାନାରେ ଆବଶ୍ୟକତାକୁ ଆଖି ଆଗରେ ପ୍ଲାଣ୍ଟ୍ ନିର୍ମାଣ ପାଇଁ ସରକାରୀ ନିଷ୍ପତ୍ତି ନେଇଥିଲେ। ୨୦୨୧ ମସିହା ଜୁନ୍‌ ମାସରେ ଭର୍ଚୁଆଲ୍‌ ମାଧ୍ୟମରେ ଅକ୍ସିଜେନ୍‌ ପ୍ଳ‌ାଣ୍ଟ୍ ସ୍ଥାପନ ପାଇଁ ଶିଳାନ୍ୟାସ ହୋଇଥିଲା। ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ୍ (ଏଆଇଏଫ୍‌) ଅର୍ଥ ପ୍ରଦାନ କରିଥିବା ବେଳେ ଗୁଜରାଟ ଅହମ୍ମଦାବାଦ ଲ୍ୟାବ୍‌ ଗ୍ରୁପ୍‌ ପ୍ଳାଣ୍ଟ୍‌ ସ୍ଥାପନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରିଥିଲା। ୨୦୨୧ ଅଗଷ୍ଟ ମାସରେ ପ୍ଲାଣ୍ଟ୍ ସ୍ଥାପନ କାମ ଶେଷ ହୋଇଥିଲା। ଏହାପରେ ପୂର୍ତ୍ତ ବିଭାଗ ପକ୍ଷରୁ ଡାକ୍ତରଖାନାର ପ୍ରାୟ ସବୁ ବିଭାଗର ପ୍ରତି ବ‌େଡ୍‌ ନିକଟକୁ ଅକ୍ସିଜେନ୍‌ ପାଇପ୍‌ ଯୋଗ‌େ ପହଞ୍ଚାଇବା ପାଇଁ ପାଇପ୍ ବିଛା କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇଥିଲା।

ତେବେ ପରୀକ୍ଷଣ ସମୟରେ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ର ମେସିନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ସଂପୃକ୍ତ କମ୍ପାନିକୁ ଅବଗତ କରାଯିବାର ଦୀର୍ଘଦିନ ପରେ ପ୍ଲାଣ୍ଟ୍‌ର ସେନ୍ସରକୁ ସଜଡ଼ାଯାଇଥିଲା। ଏଥିପାଇଁ ପ୍ରାୟ ୯୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସହାୟତା ଦିଆଯାଇଥିଲା। ଗତ ଏପ୍ରିଲ୍ ମାସରେ ଏହାକୁ କାର୍ଯ୍ୟକ୍ଷମ କରାଗଲା। କିନ୍ତୁ ବର୍ତ୍ତମାନ ପୁଣି ଉକ୍ତ ପ୍ଲାଣ୍ଟ୍‌ରେ ଥିବା ପ୍ରି-ଫିଲଟର୍ ଓ କାର୍ବନ ଫିଲଟର୍ ଭଳି ଯନ୍ତ୍ରାଂଶରେ ତ୍ରୁଟି ଦେଖାଦେଇଛି। ଫଳରେ ପ୍ଲାଣ୍ଟ୍‌କୁ ବନ୍ଦ କରିଦିଆଯାଇଛି।

ମେଡିକାଲ୍‌ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ କହିଛନ୍ତି, ପ୍ଲାଣ୍ଟ୍‌କୁ ସଜାଡ଼ିବା ଲାଗି ସ୍ଥାନୀୟ ଇଲାକାରେ ମେକାନିକ୍ ନାହାନ୍ତି କି, ଲାଗୁଥିବା ଯନ୍ତ୍ରାଂଶ ମଧ୍ୟ ଏଠାରେ ଉପଲବ୍ଧ ନାହିଁ। ଗୁଜରାଟର ଉକ୍ତ କମ୍ପାନି ସହ ଯୋଗାଯୋଗ କରି ଫିଲଟର୍ ସମସ୍ୟା ବିଷୟରେ ଅବଗତ କରାଯାଇଛି। ସଂପୂର୍ଣ୍ଣ ତଥ୍ୟ ପ୍ରଦାନ ପରେ ସିଡିଏମ୍‌ଓ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରି ଏହାକୁ ସଜାଡ଼ିବା ଦିଗରେ ପଦକ୍ଷେପ ନିଆଯିବ।
ଏହି ଡାକ୍ତରଖାନା ଉପରେ ବେଲଗୁଣ୍ଠା, ସୋରଡ଼ା, ବୁଗୁଡ଼ା, ଜଗନ୍ନାଥପ୍ରସାଦ ସମେତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି, ଚକାପାଦ ଔ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଆଦି ଅଞ୍ଚଳର ‌‌ରୋଗୀ ନିର୍ଭରଶୀଳ। ବର୍ତ୍ତମାନ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରୋଗୀମାନେ ଡାକ୍ତରଖାନା ଆସୁଥିବା ବେଳେ ଅନେକଙ୍କ କ୍ଷେତ୍ରରେ ଆଶୁ ଚିକିତ୍ସା ପାଇଁ ଅକ୍ସିଜେନ୍‌ର ବହୁଳ ଆବଶ୍ୟକତା ପଡୁଛି। ଚିକିତ୍ସା ପାଇଁ ଏବେବି ୮୦ କିଲୋମିଟର ଦୂର ବ୍ରହ୍ମପୁରରୁ ଅକ୍ସିଜେନ୍ ସିଲିଣ୍ଡର୍ ଆସୁଛି।