ଅକ୍ସିଜେନ୍ ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ରାୟଗଡ଼ା ମେଡ଼ିକାଲର ୨୦୦ ଶର୍ଯ୍ୟାକୁ ହେଲା ସଂଯୋଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିସରରେ ନିର୍ମିତ ଅକ୍ସିଜେନ୍ ପ୍ଲାଣ୍ଟକୁ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୈନିକ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରୁ ରାୟଗଡ଼ା ମେଡ଼ିକାଲର ସମସ୍ତ ୱାର୍ଡରେ ଥିବା ୨୦୦ ଶର୍ଯ୍ୟାକୁ ଅକ୍ସିଜେନ୍ ସଂଯୋଗ ହୋଇଛି। ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ପରେ ପୂର୍ବରୁ ଅକ୍ସିଜେନ୍ ମହଜୁଦକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହୋଇଛି। ଚିକିତ୍ସାଳୟ ପରିସରରେ ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଭର୍ଚ୍ୟୁଆଲ ମୋଡ଼ରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଗୋଟିଏ ଦିନରେ ୩୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ମିତ ୧୨୨୪ଟି ପ୍ଲାଣ୍ଟକୁ ମୋଦି ଉତ୍ତରାଖଣ୍ଡର ଏମସି ହସ୍ପିଟାଲରେ ଅନୁଷ୍ଠିତ ଉତ୍ସବରେ ରହି ଉଦଘାଟନ କରିଛନ୍ତି। ଖୁବ୍ କମ ଦିନ ମଧ୍ୟରେ ଅକ୍ସିଜେନ୍ ପ୍ଲାଣ୍ଟ୍ ନିର୍ମାଣ ସହ କାର୍ଯ୍ୟକ୍ଷମ କରାଯିବା ଭାରତୀୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ୍ ବୋଲି ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ୨୦୧୯ ମସିହାରେ ଭାରତରେ ଅକ୍ସିଜେନ୍ ଉତ୍ପାଦନର କ୍ଷମତା ଦୈନିକ ୯୦୦ ମେଟ୍ରିକ୍ ଟନରେ ସୀମିତ ଥିଲା। କରୋନା ମହାମାରୀରେ ଅକ୍ସିଜେନ୍ ବହୁଳ ଆବଶ୍ୟକତା ପରେ ଭାରତ ସରକାର ଅକ୍ସିଜେନ୍ ସଙ୍କଟକୁ ଦୂର କରିବା ପାଇଁ ଦ୍ବିତୀୟ ଲହରୀରେ ପଦକ୍ଷେପ ନେଇଥିଲେ। ପ୍ରଧାନମନ୍ତ୍ରୀ କେୟାରର୍ସ ପାଣ୍ଠିରୁ ସମସ୍ତ ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ନିର୍ମାଣ ପାଇଁ ଅନୁଦାନ ଦେବା ପରେ ମାତ୍ର ଦେଢ଼ ମାସ ମଧ୍ୟରେ ପ୍ଲାଣ୍ଟ୍ ପ୍ରତିଷ୍ଠା କରାଯାଇ କାର୍ଯ୍ୟକ୍ଷମ କରାଯାଇଛି।

ନିର୍ମାଣଧୀନ ଥିବା ଆଉ ୧୧୪୦ ପ୍ଲାଣ୍ଟ୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ ଆଗାମୀ ଦିନରେ ପିଏମ୍ କେୟାରର୍ସରେ ଆଉ ୪ ହଜାର ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ। ଏଥି ପାଇଁ ଅନୁଦାନର ଅଭାବ ରହିବ ନାହିଁ ବୋଲି ମୋଦି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଦଘାଟନୀ ଉତ୍ସବରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତ୍ତବନ୍ଧୁ ନାୟକ, ଏଡିଏମ୍ଓ (ମେଡ଼ିକାଲ୍) ଡଃ. ବରଦା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ରାୟଗଡ଼ା ମେଡ଼ିକାଲକୁ ଆବଶ୍ୟକ ଅକ୍ସିଜେନ୍ ସିଲିଣ୍ଡର୍ ଯୋଗେ ବ୍ରହ୍ମପୁରରୁ ଆସୁଥିଲା। ବହୁ ସମୟରେ ପରିବହନ ବ୍ୟବସ୍ଥା ଓ ଅନ୍ୟ ସମସ୍ୟା ଯୋଗୁ ଠିକ୍ ସମୟରେ ଅକ୍ସିଜେନ୍ ପହଞ୍ଚି ପାରୁନଥିବାରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ରାୟଗଡ଼ାରେ ବେସରକାରୀ ଭାବେ ଏକ ମାତ୍ର ଅକ୍ସିଜେନ୍ ପ୍ଲାଣ୍ଟ୍ ରହିଥିବା ବେଳେ କରୋନା ମହାମାରୀ ପରେ ଜେକେପୁର କୋଭିଡ଼୍ ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ହୋଇଛି।

ସମ୍ବନ୍ଧିତ ଖବର