କୋରାପୁଟ ଓ ଜୟପୁରରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ: ମୁଖ୍ୟ ଶାସନ ସଚିବଙ୍କ ଜୟପୁର ଗସ୍ତ

ଜୟପୁର: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜୟପୁର ଗସ୍ତରେ ଆସି କୋରାପୁଟ ଜିଲ୍ଲାର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। କୋରାପୁଟ ଜିଲ୍ଲାରେ କୋଭିଡ୍ ସଂକ୍ରମିତ ସଂଖ୍ୟା ହ୍ରାସ ସହିତ ରୋଗୀଙ୍କ ଚିକିତ୍ସା ଓ ମହାମାରୀରୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ସ୍ବତନ୍ତ୍ର ହେଲିକେପ୍ଟରରେ ଯୋଗେ ମୁଖ୍ୟ ଶାସନ ସଚିବ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ପୂର୍ବାହ୍ନ ୧୦ଟା ବେଳେ ଜୟପୁର ଏୟାରଷ୍ଟ୍ରିପରେ ପହଞ୍ଚଥିଲେ। ସ୍ଥାନୀୟ ଗ୍ଲୋକାଲ ଠାରେ ଆରମ୍ଭ ହେବାକୁ ଥିବା ନୂତନ କୋଭିଡ୍ ହସ୍ପିଟାଲର ସ୍ଥିତି ଦେଖିବାକୁ ଯାଇଥିଲେ। ସେଠାରେ ଉବଲବ୍ଧ ହସ୍ପିଟାଲର ଶଯ୍ୟା, ଅମ୍ଳଜାନା, ଆଇସିୟୁ, ଔଷଧପତ୍ର, ଡାକ୍ତର ଓ ଅନ୍ୟାନ୍ୟ ଚିକିତ୍ସା ସୁବିଧା ନିରୀକ୍ଷଣ କରିଥିଲେ। ଏହାପରେ କୋରାପୁଟ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ କୋଭିଡ୍ ସଂକ୍ରମଣ ଓ ଚିକିତ୍ସାର ସ୍ଥିତି ଅନୁଧ୍ୟାନ କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, କୋରାପୁଟ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ସଂଖ୍ୟା ପୂର୍ବରୁ ବୃଦ୍ଧି ପାଇଥିବା ବେଳେ ଏବେ ତାହା କମିବାରେ ଲାଗିଛି। ଗତ କିଛି ଦିନ ପୂର୍ବେ ପଜିଟିଭ୍ ସଂଖ୍ୟା ୨୦ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ତାହା କମିଯାଇ ୧୩ ପ୍ରତିଶତକୁ ଆସିଛି। ଆସନ୍ତା ଦିନରେ ସଂକ୍ରମଣ ମଧ୍ୟ କମିବ ବୋଲି କହିଛନ୍ତି। ଏଥିସହ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ପ୍ରସ୍ତାବ ମଞ୍ଜୁର ହୋଇଛି। ଏହାର କାମ ଖୁବ୍ ଶୀଘ୍ର ଆରମ୍ଭ ହୋଇ ୨ରୁ ୩ ମାସ ମଧ୍ୟରେ କାମ ଶେଷ ହେବ ବ‌ୋଲି କହିଛନ୍ତି। ଏଥିସହ ରୋଗୀଙ୍କ ସୁବିଧା ପାଇଁ ଘରୋଇ ହସ୍ପିଟାଲ ଗ୍ଲୋକାଲ ଠାରେ ୨ ଦିନ ମଧ୍ୟରେ କୋଭିଡ୍ ହସ୍ପିଟାଲ ଆରମ୍ଭ ହେବ।

ସେଠାରେ ୯୪ ଶଯ୍ୟା ରହିଥିବା ବେଳେ ୨୪ଟି ଆଇସିୟୁ, ୩ଟି ଭେଣ୍ଟିଲେଟର ଓ ୨୬ଟି ଅକ୍ସିଜେନ୍ ବେଡ୍‌ର ସୁବିଧା ରହିଛି। କୋରାପୁଟ ଜିଲ୍ଲାକୁ ୨୦ ହଜାର ଟିକା ଆସିଥିବା ବେଳେ ୧୮ ବ‌ର୍ଷରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯାଉଛି। ଅଳ୍ପ ଦିନ ମଧ୍ୟରେ ଯେଉଁ ଟିକା ଆସିବ ‌ଜୟପୁରରେ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିକୁ ଟିକା ପ୍ରଦାନ କରାଯିବ। ଆସନ୍ତାଦିନରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୬୫୦ ଓ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୦ ଶଯ୍ୟା ବିଶିଷ୍ଟ ନୂତନ ୱାର୍ଡ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି। ଏଥିସହ କୋଟିଆ ଗ୍ରାମପଞ୍ଚାୟତରେ ଉନ୍ନୟନ୍ନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରି ସେଠିକାର ପ୍ରାକୃତିକ, କୃଷି ଓ ମାନବ ସମ୍ବଳ ଆଦିକୁ ଭିତ୍ତିକରି ଜିବୀକା ନିର୍ବାହ ଓ ‌ରୋଜଗାର ସୁବିଧା ସୃଷ୍ଟି ପାଇଁ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତରଙ୍କ କହିବାନୁଯାୟୀ, ବର୍ତ୍ତମାନ ‌ଜୟପୁର କୋଭିଡ୍ ହସ୍ପିଟାଲରେ ଆବଶ୍ୟକୀୟ ବେଡ୍‌ର ସୁବିଧା ରହିଛି। କିନ୍ତୁ ଆସନ୍ତା ଦିନରେ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ୯୪ ଶଯ୍ୟା ବିଶିଷ୍ଟ ନୂତନ କୋଭିଡ୍ ହସ୍ପିଟାଲ ଭାବେ ଆରମ୍ଭ କରାଯିବ। ସେଠାରେ ସମସ୍ତ ବେଡ୍‌ରେ ରୋଗୀଙ୍କୁ ଅକ୍ସିଜେନ୍ ସୁବିଧା ଯୋଗାଇ ଦିଆଯିବ। ଜିଲ୍ଲାରେ ଟେଷ୍ଟିଂ ବଢ଼ିଥିବା ବେଳେ ପଜିଟିଭ୍ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି। ଜୟପୁର ସହରରେ ‌କେତେ ପରିମାଣରେ ଟିକାର ଆବଶ୍ୟକତା ରହିଛି ତାହା ଜାଣିବା ସହ କୋଭିନ୍ ଆପ୍ ମାଧ୍ୟମରେ ଲଗ୍ ଇନ୍ କରିବା ପରେ ସେହି ଅନୁପାତରେ ଟିକାକରଣ ସେଣ୍ଟର ଖୋଲାଯିବ। ଏହି ଗସ୍ତ ସମୟରେ କୋରାପୁଟ ଏସ୍‌ପି ବରୁଣ ଗୁଣ୍ଠପାଲି, ସିଡିଏମ୍‌ଓ ଡା. ମକରନ୍ଦ ବେହୁରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମ୍‌ଓ ଡା. ରବିନ୍ଦ୍ରନାଥ ମିଶ୍ର, ଉପଜିଲ୍ଲାପାଳ ହେମକାନ୍ତ ସୟ, ଏସ୍‌ଡିପିଓ ଅରୂପ ଅଭିଶେଖ ବେହେରା, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ ଭାସ୍କର ସାମନ୍ତରୟ ଓ ତହସିଲଦାର ପ୍ରଧାନ ଟୁଲିଆମ୍ମାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର