ଜୟପୁର: ଗତ ମାସକ ହେବ ବନ୍ଦ ହୋଇ ପଡ଼ିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଅକ୍ସିଜେନ୍ ପ୍ଲାଣ୍ଟ। ବାରମ୍ବାର ଡିଏଚଏଚ ପକ୍ଷରୁ ଡିଏମଓ, ହସ୍ପିଟାଲ ମ୍ୟାନେଜର ପ୍ଲାଣ୍ଟର ଯନ୍ତ୍ରାଂଶ ସ୍ଥାପନ କରିଥିବା କଂପାନୀକୁ ଚିଠି ଉପରେ ଚିଠି କରିବା ପରେ ବି ବୈଷୟିକ ଯନ୍ତ୍ରୀ ଆସୁନାହାନ୍ତି । କରୋନା ମହାମାରୀ ସମୟରେ ଡିଏଚଏଚ ପରିସରରେ ଏହି ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା। ଆରମ୍ଭ ପର ଠାରୁ ଏହି ପ୍ଲାଣ୍ଟର ଯନ୍ତ୍ରାଂଶରେ ବାରମ୍ବାର ଖରାପ ହେବା ସହ ମରାମତି କରାଯାଉଥିଲା। ଗତ ମାସରୁ ଏହି ଅକ୍ସିଜେନ୍ ପ୍ଲାଣ୍ଟରୁ ଅକ୍ସିଜେନ ଉତ୍ପାଦନ ହେଉନି। ତେଣୁ ଡାକ୍ତରଖାନା ପକ୍ଷରୁ ଜରୁରୀ ରୋଗୀଙ୍କୁ ଅକ୍ସିଜେନ୍ ଦେବା ପାଇଁ ବଜାରରୁ ସିଲିଣ୍ଡର କିଣାଯାଉଛି। ନିଜସ୍ବ ଓକ୍ସିଜେନ ଉତ୍ପାଦନ ହେବା ପର ଠାରୁ ବାହାରୁ ଗ୍ୟାସ୍ ସିଲିଣ୍ଡର କିଣିବା ଏକରକମ ବନ୍ଦ ହୋଇଯାଇଥିଲା। ତେବେ ପୁଣି କିଣା ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment

publive-image

ସହର ନିକଟବର୍ତ୍ତୀ ରଣ୍ଡାପାଲ୍ଲୀ ଓ ସେମିଳିଗୁଡା ଅଂଚଳରୁ ସିଲିଣ୍ଡର ଅଣାଯାଉଥିବା ସୂଚନା ମିଳିଛି। ବାରମ୍ବାର ଚିଠି ଓ ଫୋନ କରିବା ପରେ ବୈଷୟିକ କର୍ମଚାରୀମାନେ କିଛି ଯନ୍ତ୍ରାଂଶ ଆଣିଥିଲେ ହେଁ ସଜାଡ଼ି ନଥିବା ସୂଚନା ମିଳିଛି। କୋଭିଡ୍ ସଂକ୍ରମଣ ସମୟ ପରଠାରୁ ଅଧିକାଂଶ ରୋଗୀ ଏବେ ଅକ୍ସିଜେନ ନେବାକୁ ପ୍ରାଥମିକତା ଦିଆଯାଉଛି। ତେଣୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ସିଲିଣ୍ଡର ଗଚ୍ଛିତ କରି ରଖାଯାଇଥିବା ଡିଏଚଏଚ୍ ପକ୍ଷରୁ ସୂଚନା ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ ନ କଲେ ଉକ୍ତ କଂପାନୀର ବୈଷୟିକ ଯନ୍ତ୍ରୀମାନେ ଆସି ଏହି ପ୍ଲାଣ୍ଟକୁ ସଜାଡ଼ିବେ ନାହିଁ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ନିଜସ୍ବ ପ୍ଲାଣ୍ଟ ରହି ବାହାରୁ ସିଲିଣ୍ଡର କିଣି ଆଣିବା କେତେ ଦୂର ଯୁକ୍ତିସଂଗତ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।