ବାରିପଦା କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ, ଅକାଳରେ ଚାଲିଯାଉଛି କରୋନା ଆକ୍ରାନ୍ତଙ୍କ ଜୀବନ

ବାଲେଶ୍ବର ଓ କେନ୍ଦୁଝର ଉପରେ ନିର୍ଭରଶୀଳ, ଆସିଲେ ରୋଗୀଙ୍କ କାମରେ ଲାଗୁଛି

ବାରିପଦା: ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ (ଅମ୍ଳଜାନ) ଅଭାବ। ଆଉ ଏହା ଫଳରେ ଅକାଳରେ ଚାଲିଯାଉଛି ଏକାଧିକ କରୋନା ଆକ୍ରାନ୍ତଙ୍କ ଅମୂଲ୍ୟ ଜୀବନ। ଏହି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଏବଂ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ ସୂତ୍ରରୁ ଏପରି ଦୁର୍ଭାଗ୍ୟଜନକ ଖବର ମିଳିଛି। ଚଳିତ ସପ୍ତାହ ମଧ୍ୟରେ ବାଙ୍କିଶୋଳ କୋଭିଡ୍ ହସ୍ପିଟାଲରେ ବିଭିନ୍ନ ସମୟରେ ଅକ୍ସିଜେନ୍ ଅଭାବ ଥିବାର ସୂଚନା ମିଳିଛି। ଏହି ହସ୍ପିଟାଲକୁ କେନ୍ଦୁଝର ଏବଂ ବାଲେଶ୍ବରର ଦୁଇଟି ଘରୋଇ ସଂସ୍ଥାରୁ ଅମ୍ଳଜାନ ଯୋଗାଣ ହେଉଛି। ଏହି ହସ୍ପିଟାଲକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପାଣ୍ଠିର ମଧ୍ୟ ଅଭାବ ରହୁନାହିଁ। ମାତ୍ର ରୋଗୀଙ୍କୁ ଅମ୍ଳଜାନ ଯୋଗାଣରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା।

ଅମ୍ଳଜାନ ଅଭାବରୁ ଏକାଧିକ କରୋନା ଆକ୍ରାନ୍ତଙ୍କ ପ୍ରାଣ ଯାଉଥିବା ଅଭିଯୋଗ ହୋଇଛି। ଚଳିତ ସପ୍ତାହ ମଧ୍ୟ ଏକାଧିକ ଥର କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ରହିଥିବା ଜଣାପଡ଼ିଛି। ରୋଗୀମାନେ ହସ୍ପିଟାଲର ଡାକ୍ତର କିମ୍ବା କର୍ମଚାରୀଙ୍କୁ ଅକ୍ସିଜେନ୍ ଆବଶ୍ୟକତା ନେଇ ଅନୁରୋଧ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସମ୍ପର୍କୀୟଙ୍କ ମାଧ୍ୟମରେ ବହୁତ ଅନୁରୋଧ କଲାପରେ ଅମ୍ଳଜାନ ଅଭାବ ଥିବା ଜଣାପଡ଼ୁଛି। ମାତ୍ର ଏପରି ଘଟଣା ସମ୍ପର୍କରେ ବାହାରକୁ କୌଣସି ଖବର ଯେପରି ନଯାଏ ସେନେଇ ସତର୍କ ଦୃଷ୍ଟି ରଖୁଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଜିଲ୍ଲାର ଏକମାତ୍ର କୋଭିଡ୍ ହସ୍ପିଟାଲରେ ଅମ୍ଳଜାନ ଅଭାବକୁ ନେଇ ଜିଲ୍ଲାରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ଶହେ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୨୦ଟି ଆଇସିୟୁ ଶଯ୍ୟା ରହିଛି।

ଏଥିରୁ ୧୦ଟି ଭେଣ୍ଟିଲେଟର୍ ସୁବିଧାଯୁକ୍ତ। ଚଳିତ ବର୍ଷ କରୋନାର ଦ୍ବିତୀୟ ଲହର ଜିଲ୍ଲାରେ ତାଣ୍ଡବ ରଚୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଯାବତ୍ ଜିଲ୍ଲାରେ ୨୦ହଜାର ୪୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୯୩ ଦର୍ଶାଯାଉଛି। ମାତ୍ର ଏହି ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ସମସ୍ତେ ଜାଣିଛନ୍ତି। ବର୍ତ୍ତମାନ ସମୟରେ ଅକ୍ସିଜେନର ଆବଶ୍ୟକତାକୁ ନେଇ ସମସ୍ତେ ଅବଗତ। ଅଥଚ ମୟୂରଭଞ୍ଜ ଭଳି ଏକ ବୃହତ୍ ଜିଲ୍ଲାରେ ଏହାର ଅଭାବ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଥରେ କି ଦୁଇ ଥର ନୁହେଁ ଏକାଧିକ ଥର ଏପରି ଅମ୍ଳଜାନ ଅଭାବ ଅଭିଯୋଗ ଆସୁଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଜିଲ୍ଲାର ଏକମାତ୍ର କୋଭିଡ୍ ହସ୍ପିଟାଲରେ ଅମ୍ଳଜାନ ଅଭାବରୁ ରୋଗୀଙ୍କ ଜୀବନ ଯିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜିଲ୍ଲାବାସୀ। ଏନେଇ ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ଦୃଢ଼ ଦାବି ହୋଇଛି।

ସମ୍ବନ୍ଧିତ ଖବର