ରାତାରାତି ବଡ଼ଲୋକ ହେବା ପାଇଁ ବାଘଛାଲ, ହାତୀଦାନ୍ତ ଓ ବଜ୍ରକାପ୍ତା କାତିି ବେପାର, ଜେଲ ଗଲା ଅଭିଯୁକ୍ତ

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍‌ ଅନ୍ତର୍ଗତ ବରଘାଟ ଗ୍ରାମରେ ଗୁରୁବାର ରାତିରେ ଏସ୍‌ଟିଏଫ୍‌ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଗୁରୁବାର ରାତିରେ ଗୋଟିଏ ବାଘଛାଲ, ଗୋଟିଏ ହାତୀ ଦାନ୍ତ ଓ ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରାଯାଇଥିଲା। ଉକ୍ତ ଘଟଣାରେ ବରଘାଟ ଗ୍ରାମର ମଦନ ଜୟପୁରିଆ ନାମକ ଜଣେ ଶିକାରୀକୁ ଗିରଫ କରିଥିବା ବେଳେ ତା ନିକଟରୁ ଗୋଟିଏ କଲରା ପତରିଆ ବାଘଛାଲ, ଗୋଟିଏ ହାତୀ ଦାନ୍ତ ଓ ୧୭୭୦ ଗ୍ରାମ ଓଜନର ବଜ୍ରକାପ୍ତା କାତି ଜବତ ହୋଇଛି। ଶକ୍ରବାର ମଦନକୁ କୋର୍ଟ ଚାଲାଣ କରାଯାଇଛି। ବନ୍ୟଜନ୍ତୁ ଶିକାର ଏବଂ ସେମାନଙ୍କ ମୂଲ୍ୟବାନ ଅଙ୍ଗକୁ ବିକ୍ରୟ କରିବା ଘଟଣାରେ ଗତ ୩ ବର୍ଷ ମଧ୍ୟରେ ୧୮ରୁ ଅଧିକ ଶିକାରୀ ଓ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଏଥିରୁ ଜିଲ୍ଲାରେ ଯେ ଏକ ବନ୍ୟଜନ୍ତୁଙ୍କ ମୂଲ୍ୟବାନ ଅଙ୍ଗ ତସ୍କର ରୢାକେଟ୍‌ ସକ୍ରିୟ ଥିବା ସ୍ପଷ୍ଟ ହୋଇଥିବା ସୂଚନା ମିଳୁଛି।

ମିଳିଥିବା ସୂଚନା ଅନୁଯାୟୀ, ବରଘାଟ ଗ୍ରାମରେ ବାଘଛାଲ ବିକ୍ରି ଯୋଜନା ଚାଲିଥିବା ସମ୍ପର୍କରେ ଏସ୍‌ଟିଏଫ ସୂଚନା ପାଇବା ପରେ ଦେବଗଡ ବନବିଭାଗ ସହଯୋଗରେ ଶ୍ରୀ ଜୟପୁରିଆଙ୍କ ଘରେ ଅତର୍କିତ ଭାବେ ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଉପରୋକ୍ତ ସାମଗ୍ରୀ ଜବତ କରାଯାଇଥିଲା। ହାତୀ ଦାନ୍ତ ଓ ବାଘ ଛାଲ ତାଙ୍କ ପାଖକୁ କେମିତି ଆସିଥିଲା ଏବଂ କେଉଁ ଅଞ୍ଚଳରେ ସେ ବିକ୍ରି କରିବାକୁ ଯୋଜନା କରୁଥିଲେ, ଆଉ କିଏ ସଂପୃକ୍ତ ଅଛନ୍ତି? ସେ ନେଇ ଏସଟିଏଫ ଓ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୨୧ ନଭେମ୍ବର ମାସ ୧୧ ତାରିଖରେ ପଳସମା ଫରେଷ୍ଟ ସେକ୍‌ସନ୍‌ ବ୍ରାହ୍ମଣୀପାଲି ଗାଁ ନିକଟ ଜଙ୍ଗଲ ମଧ୍ୟରେ ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଚଢ଼ଉ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ନିକଟରୁ ମଧ୍ୟ ବାଘ ଛାଲ ଜବତ କରାଯାଇଥିଲା। ଅନ୍ୟପଟେ ୨୦୨୧ ମାର୍ଚ୍ଚ ୨୩ ତାରିଖରେ ମଧ୍ୟ ଜିଲ୍ଲାର ବାରକୋଟ ଥାନା‌ ଅନ୍ତର୍ଗତ ବଣେଇ ଛକରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ ଟିମ୍‌ ଚଢ଼ଉ କରି କଲରାପତରିଆ ବାଘ ଛାଲ ଜବତ କରିଥିଲା। ଘଟଣାରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

୨୦୧୯ ଜୁନ ୧୯ରେ ବାରକୋଟ ଥାନା ଅଞ୍ଚଳରୁ କ୍ରାଇମ ବ୍ରାଞ୍ଚ ସ୍ପେସାଲ ଟାସ୍କଫୋର୍ସ ଦ୍ୱାରା ଚଢ଼ଉ କରାଯାଇ ବାଘ ଛାଲ ବ୍ୟବସାୟ ଅଭିଯୋଗରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ପରେ ୨୨ତାରିଖରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ବାଘ ଛାଲ ବ୍ୟବସାୟରେ ସଂପୃକ୍ତି ଥିବା ଅଭିଯୋଗରେ କ୍ରାଇମ ବ୍ରାଞ୍ଚ ଏସଟିଏଫ ୨୯ ତାରିଖ ଦିନ ପୁଣି ୪ ବ୍ୟବାସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଗତ ୨୦୧୯ ମସିହା ସେପ୍ଟେମ୍ବର ୨୪ ତାରିଖରେ ଦେବଗଡ଼ ବନ ବିଭାଗ ବାଘ ଛାଲ ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତ ୩ ବର୍ଷ ମଧ୍ୟରେ ଯେଉଁପରି ଭାବରେ ବାଘଛାଲ ବେପାରୀ ଓ ଶିକାର ଗିରଫ ହୋଇଛନ୍ତି ଏଥିରୁ ଜଣାପଡ଼ୁଛି ଯେ ଜିଲ୍ଲାରେ ଏହାକୁ ନେଇ ରୢାକେଟ୍‌ ସକ୍ରିୟ ରହିଛି। ଅନ୍ୟପକ୍ଷରେ ଏପରି ଶିକାର ଜାରି ରହିଲେ ଜିଲ୍ଲାରୁ ବାଘ ବଂଶ ନିପାତ ହୋଇଯିବ ବୋଲି ପଶୁପ୍ରେମୀ ଆଶଙ୍କା କରିଛନ୍ତି। ଜିଲ୍ଲାରେ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର ଏବଂ ବ୍ୟବସାୟ ଜାରି ରହିଥିବା ବେଳେ ଏଥିପ୍ରତି ବନବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର