ଅଖା ଦୁର୍ନୀତି ଯୋଗୁଁ ଚାଷୀଙ୍କ ଉପରେ ବୋଝ: ୭୦% ରୁ ଉର୍ଦ୍ଧ୍ବ ଚାଷୀଙ୍କ ଅଖା ଫେରାଇ ନାହାନ୍ତି ମିଲର୍ସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ୮ ବର୍ଷ ଧରି ଯୋଗାଣ ବିଭାଗରେ ୧୮ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ଅଖା ଦୁର୍ନୀତି ହୋଇଛି । ମିଲର୍ସମାନଙ୍କୁ ଅଖା ନଦେଇ ବାହାରେ ବିକ୍ରି କରି ବ୍ୟାପକ କିକ୍ ବ୍ୟାକ୍ ହୋଇଥିବା ଯୋଗୁଁ ମଣ୍ଡି ମାନଙ୍କରେ ଅଖାର ଘୋର ଅଭାବ ଦେଖାଯାଇଛି। ଚାଷୀ ମାନେ ନିଜ ଅଖାରେ ଗତ ଖରିଫ ମଣ୍ଡିରେ ମିଲର୍ସ ମାନଙ୍କୁ ଧାନ ବିକ୍ରି କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀମାନଙ୍କ ଅଖା ଫେରସ୍ତ ଦେଇ ନାହାନ୍ତି । ପ୍ରାୟ ୭୦ ଭାଗରୁ ଉର୍ଦ୍ଧ୍ବ ଚାଷୀଙ୍କ ଅଖା ମିଲର୍ସ ଫେରାଇ ନଥିବା ଯୋଗୁଁ ମଣ୍ଡିକୁ ଧାନ ନେବାପାଇଁ ଚାଷୀମାନେ ଅଡୁଆରେ ପଡିଛନ୍ତି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାରେ ଗତ ୮ ବର୍ଷ ଧରି ଯୋଗାଣ ବିଭାଗ ରେ ୮୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଖା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅଖା ନଥିବାର ଆଳ ଦେଖାଇ ମିଲର୍ସ ମାନେ ଚାଷୀ ଙ୍କ ଅଖାରେ ଗତ ଖରିଫ ମଣ୍ଡି ରେ ଧାନ ଉଠାଣ କରିଥିଲେ । ଖରିଫ ଯାଇ ରବି ମଣ୍ଡି ଆସିଲାଣି କିନ୍ତୁ ମିଲର୍ସମାନେ ଚାଷୀ ମାନଙ୍କ ଅଖା ଫେରସ୍ତ କରିବାର ନା ଧରୁ ନାହାନ୍ତି । ଅଖା ନଥିବା ଯୋଗୁଁ ବହୁ ଚାଷୀ ମଣ୍ଡିକୁ ଧନ ଆଣିପାରୁ ନାହାନ୍ତି ।

ଅଖା ଫେରସ୍ତ ପାଇଁ ମିଲର୍ସ ପାଖରେ ନେହୁରା ହେଲେ ମଧ୍ୟ ସେମାନେ ଧରାଛୁଆଁ ଦେଉନାହାନ୍ତି। ଯୋଗାଣ ବିଭାଗର ଅଖା କେଳେଙ୍କାରୀ ଯୋଗୁଁ ଚାଷୀ ଙ୍କ ଉପରେ ଏହାର ପ୍ରଭାବ ପଡିଛି । ଯୋଗାଣ ବିଭାଗ ପକ୍ଷରୁ ମିଲର୍ସ ମାନଙ୍କ ନାଁରେ କାଗଜପତ୍ର ରେ ଦର୍ଶାଇ ଅଖା ହରିଲୁଟ କରିଛନ୍ତି । ବର୍ଷ ବର୍ଷ ଧରି ଚାଷୀଙ୍କ ଅଖାରେ ମିଲର୍ସ ଧାନ କିଣୁଥିବା ବେଳେ ବର୍ତ୍ତମାନ ଚାଷୀଙ୍କ ଅଖା ନ ଫେରେଇ କୁତ୍ରିମ ଅଭାବ ସୃଷ୍ଟି କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୭୦ ପ୍ରତିଶତ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଅଖା ଫେରସ୍ତ ହୋଇନାହିଁ । ଗୋଟିଏ ପଟେ ଯୋଗାଣ ବିଭାଗର ମଣ୍ଡି ଟ୍ୟାଗିଙ୍ଗ ଓ ଟାର୍ଗେଟକୁ ନେଇ ଫିକ୍ସିଂ ହୋଇଥିବା ବେଳେ ଅନ୍ୟ ପଟେ ଅଖା ଦୁର୍ନୀତି ଯୋଗୁଁ ମଣ୍ଡିରେ ଏହାର ପ୍ରଭାବ ପଡିଛି ।

କଳାହାଣ୍ଡି ଜିଲ୍ଲାରେ ୧୩୩ ଟି ମଣ୍ଡି ଖୋଲିବାକୁ ଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୭୧ଟି ମଣ୍ଡି ଖୋଲିଛି । ଅନ୍ୟ ୬୨ ମଣ୍ଡିରେ ଚାଷୀ ଟୋକନ ଧରି ବୁଲୁଛନ୍ତି ଅଥଚ ବିଭିନ୍ନ ଆଳ ଦେଖାଇ ମଣ୍ଡି ଖୋଲୁ ନାହିଁ । ଜିଲ୍ଲାରେ ଚଳିତ ରବି ଋତୁରେ ୧୬ ଲକ୍ଷ ୨୩ ହଜାର ୫୦୦ କୁଇଣ୍ଟାଲ ଧାନ କିଣା ପାଇଁ ଟାର୍ଗେଟ ଆଛି । ଆଜି ପର୍ଯ୍ୟନ୍ତ ମାତ୍ର ୮୨୪୯୦ କୁଇଣ୍ଟାଲ ୭ କେଜି ଧାନ କିଣାଯାଇଛି । ୯୦୪ ଜଣ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଇଛି । କଳାହାଣ୍ଡି ଜିଲ୍ଲାର ତୁଣ୍ଡଲା ପ୍ୟାକ୍ସ ର ବେଳଖଣ୍ଡି ମଣ୍ଡିରେ ନିକଟସ୍ଥ ମିଲର୍ସଙ୍କୁ ମଣ୍ଡିରେ ଟ୍ୟାଗ କରାଯାଇନାହିଁ । ଅଥଚ କେସିଙ୍ଗା ଓ ଗଜବହାଲର ମିଲର୍ସ ମାନଙ୍କୁ ଟ୍ୟାଗ କରାଯାଇଛି ।

ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ନିକଟସ୍ଥ ମିଲର୍ସମାନଙ୍କୁ ଟାର୍ଗେଟ ନ ଦେଇ ବହୁ ଦୂରରେ ଥିବା ମିଲମାନଙ୍କୁ ମଣ୍ଡିରେ ଟ୍ୟାଗ କରାଯାଇଛି । ଦୂରରେ ଥିବା ମିଲର୍ସ ଆସିଲେ ପରିବହନ ଖର୍ଚ୍ଚ ଅଧିକ ହୋଇଥାଏ । ବହୁ ସ୍ଥାନରେ କାଗଜ ପତ୍ରରେ ଧାନ ଉଠାଣ କରି ପରିବହନ ଖର୍ଚ୍ଚକୁ ଚଳୁ କରିବା ପାଇଁ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଚାଲିଛି । ଏହା ଫଳରେ ପ୍ରତିବର୍ଷ ପରିବହନ ବାବଦକୁ କୋଟି କୋଟି ଟଙ୍କା ରାଜସ୍ୱ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି । ଯୋଗାଣ ବିଭାଗର ଫିକ୍ସିଂ ଯୋଗୁଁ ରାଜ୍ୟ ସରକାର ଏହାର କ୍ଷତି ସହୁ ଥିବା ବେଳେ ବିଭାଗୀୟ ଅଧିକାରୀ, ମିଲର୍ସ ଓ ପରିବହନ ଏଜେଣ୍ଟ ମାଲାମାଲ ହେଉଛନ୍ତି । ଏହି ମଣ୍ଡି ଟ୍ୟାଗିଙ୍ଗ ଫିକ୍ସିଂ ଓ ଟାର୍ଗେଟ ପ୍ରଦାନ କେଲେଙ୍କାରୀ ନେଇ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି ଚାଷୀ ମହଲରେ ଦାବି ହୋଇଛି । ଭିଜିଲାନ୍ସ ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର