ନୂଆପଡ଼ା ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ: ପ୍ରଥମ ଦିନରେ ୧୭ ଜଣ ଚାଷୀଙ୍କ ଠାରୁ ୮୫୨.୫୭ କ୍ବିଇଣ୍ଟାଲ‌ ଧାନ ସଂଗ୍ରହ

ଆରମ୍ଭରୁ ମଣ୍ଡିରେ ପଡ଼ିରହିଲା ଏକ ହଜାର ବସ୍ତା ଧାନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଚଳିତ ୨୦୨୦-୨୧ଖରିଫ ଧାନ ସଂଗ୍ରହ ପାଇଁ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡି ଆରମ୍ଭ ହୋଇଛି। ମଣ୍ଡି ଆରମ୍ଭ ହେବାର ପ୍ରଥମ ଦିନରୁ ଚାଷୀ ସମସ୍ୟା ଭୋଗିଛନ୍ତି। ମିଲର୍ସଙ୍କ ଅବହେଳା ହେତୁ ଧରମବନ୍ଧା ମଣ୍ଡିରେ ୯ଜଣ ଚାଷୀଙ୍କ ଏକ ହଜାର ୫୦ ବସ୍ତା ଧାନ ମଣ୍ଡିରେ ପଡ଼ିରହିଛି। ମଣ୍ଡିକୁ ମିଲର୍ସ ଆସିନଥିବାରୁ ଧାନ ପଡ଼ିରହିଥିବା ବିଭାଗ ଠାରୁ ପ୍ରକାଶ। ଧାନ କିଣା ଆରମ୍ଭ ନହେଉଣୁ ଜିଲ୍ଲାର ମିଲର୍ସମାନଙ୍କ ମନମାନି ଆରମ୍ଭ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।

ବୁଧବାର ପ୍ରଶାସନ ପକ୍ଷରୁ ନୂଆପଡ଼ା ଆର୍‌ଏମସି ଠାରେ ନୂଆପଡ଼ା ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀଙ୍କ ଉପସ୍ଥିତିରେ ପୂଜାପାଠ ପରେ ମଣ୍ଡି ଉଦ୍‌ଘାଟନ୍‌ ହୋଇଥିଲା। ପରେ ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂ ଆର୍‌ଏମ୍‌ସି ଧାନ ସଂଗ୍ରହ ସ୍ଥାନକୁ ପହଞ୍ଚି ଚାଷୀଙ୍କ ଠାରୁ କିପରି ଧାନ ସଂଗ୍ରହ କରାଯାଉଛି ତାହାର ତଦାରଖ କରିଥିଲେ। ପ୍ରଥମ ଦିନରେ ୪ଟି ମଣ୍ଡିରେ ୧୭ଜଣ ଚାଷୀଙ୍କ ଠାରୁ ୮୫୨.୫୭ କ୍ବିଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଖରିଆର ରୋଡ଼ ମଣ୍ଡିରେ ୩ଜଣ ଚାଷୀଙ୍କ ଠାରୁ ୨୩୧.୭୧ କ୍ବିଇଣ୍ଟାଲ, ଧରମବନ୍ଧା ମଣ୍ଡିରେ ୨ଜଣ ଚାଷୀଙ୍କ ଠାରୁ ୬୦ କ୍ବିଇଣ୍ଟାଲ, ସିନାପାଲି ବ୍ଳକ୍‌ ନିଲଜୀ ମଣ୍ଡିରେ ୨ଜଣ ଚାଷୀଙ୍କ ଠାରୁ ୧୧୩.୭୬ କ୍ବିଇଣ୍ଟାଲ, ବେଲଟୁକୁରୀରେ ୧୦ ଜଣ ଚାଷୀଙ୍କ ଠାରୁ ୪୪୭.୧୦ କ୍ବିଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଜିଲ୍ଲାରେ ବୁଧବାର ମୋଟ୍‌ ୮୫୨.୫୭ କ୍ବିଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ମଣ୍ଡି ଉଦ୍‌ଘାଟନ୍‌ ସମୟରେ ଅତିରିକ୍ତ ଯୋଗାଣ ଅଧିକାରୀ ଥଣ୍ଡରାମ ନାଏକ, ଏଆର୍‌ସିଏସ୍‌ ଭିକାରି ସେଠ୍, ଆରଏମ୍‌ସି ସଂପାଦକ ଲାଲବାହାରୀ ଦାସ, ଯଶବନ୍ତ ସିଂ ମାଝୀ ସହ ଚାଷୀ ଜିତେନ୍ଦ୍ର ସାହୁ, ମନୋଜ ସାହୁ, ଆରଏମ୍‌ସି, ଏଆର୍‌ସିଏସ୍‌ ପେକ୍ସ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରକାଶ ‌ଯେ ଜିଲ୍ଲାରେ ୨୬ଟି ପେକ୍ସ ଓ ୨୨ଟି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଧାନ ସଂଗ୍ରହ ପାଇଁ ଦାୟିତ୍ବ ଦିଆଯାଇଥିଲା। ଜିଲ୍ଲାରେ ୭୮ଟି ମଣ୍ଡି ଖୋଲିବା ପାଇଁ ବୈଠକରେ ନିଷ୍ପତି ନିଯାଇଥିବା ବେଳେ ବୁଧବାର ମାତ୍ର ୪ଟି ମଣ୍ଡି ଆରମ୍ଭ ହୋଇଛି। ଅନ୍ୟ ମଣ୍ଡିକୁ ଜିଲ୍ଲା ପ୍ରଶାସନ ତୁରନ୍ତ ଆରମ୍ଭ କରିବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର