ଚାଷୀମୁଣ୍ତ ଉପରେ କୋହଲା ପାଗ ଚଡକ: ଖୋଲୁନି ମଣ୍ଡି, ବିକ୍ରି ହେଉନି ଧାନ

ମଣ୍ଡି ଓ ଜମିରେ ରହିଛି ଶହ ଶହ କୁଇଣ୍ଟାଲ ଧାନ

ଜୟପୁର: ବାତ୍ୟା ‘ନିଭାର’ ଅବପାତ ନେଇ ଦୁର୍ବଳ ହୋଇସାରିଥିଲେ ବି କୋରାପୁଟ ଜିଲ୍ଲରେ ତିନି ହେଲା ଲାଗି ରହିଛି ଝିପି ଝିପି ବର୍ଷା ସହ କୋହଲା ପାଗ। ଖରିଫ ଧାନ ଅମଳ ଚାଲିଥିବାବେଳେ ଏହି କୋହଲା ପାଗ ଓ ଝିପି ଝିପି ବର୍ଷା ଚାଷୀଙ୍କ ଉପରେ ବୋଝ ଉପରେ କରୋଡା ମାଡ କରିଛି। ଅମଳ ସହ ବିକ୍ରି ପାଇଁ ଚାଷୀ ତରତର ହେଉଥିବାବେଳେ ଖୋଲୁନି ମଣ୍ଡି। ଆଜି କୁମୁଲିପୁଟ, ଉମୁରୀ, ବୋରିଗୁମ୍ମା ଓ କୋଟପାଡ ଲାମ୍ପସରେ ଧାନ ଉଠିଥିବାବେଳେ ଅନ୍ୟ ଲାମ୍ପସରୁ ଏବେ ଯାଏ କେଜିଏ ବି ଧାନ କିଣାଯାଇନାହିଁ। ଏହି ବର୍ଷା ଓ କୋହଲା ପାଗ ହେତୁ ଚାଷ ଓ ଚାଷୀଙ୍କ ଉପରେ ପ୍ରଭାବ ପକାଇଛି। ବର୍ଷା ଫଳରେ ଧାନ ଗଜା ହୋଇଥିବା ଦେଖିବାକୁ ମିଳିଛି। ଜୟପୁର ବ୍ଲକ ବାଲିଆ, ଡଙ୍ଗରଛିଞ୍ଚି, ଗଡପଦର, ଫାମ୍ଫୁଣୀ ଓ ରଣ୍ଡାପାଲି ଅଞ୍ଚଳରେ ଏହା ଦେଖିବାକୁ ମିଳିଛି। ତେବେ ବର୍ଷା ଯୋଗୁଁ ଧାନ ଘୋଡାଇ ହୋଇ ରଖାଯାଇଥିବାରୁ ଧାନର ରଙ୍ଗ ପରିବର୍ତ୍ତାନ ହୋଇସାରିଲାନି।

ଫଳରେ ଏଫକ୍ୟୁ ମାନର ଧାନ ଆଖି ଆଗ‌ରେ ନଷ୍ଟ ହୋଇଯାଉଥିବା ଦେଖି ଚାଷୀ ବିସ୍ତାପରେ ରହିଥିବା ଦେଖିବାକୁ ମିଳିଛି। ଏବେ ମାତ୍ର ୪ଟି ଲାମ୍ପସରେ ଧାନ କିଣାଯାଇଥିବାବେଳେ ୧୬ଟି ଲାମ୍ପସ ଓ ୨୦ଟି ଏସଏସଜି ମୁଠାଏ ବି ଧାନ କିଣି ନାହାନ୍ତି। ଅନ୍ୟପକ୍ଷରେ ଆଉ ଏକ ସାଇକ୍ଲୋନିକ୍ ସଞ୍ଚାରଣ ପୂର୍ବ ଇକ୍ୱାଟୋରିଆଲ୍ ଭାରତ ମହାସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବର୍ତ୍ତମାନ ଆଉ ଏକ ଲଘୁଚାପ ଦାନା ବାନ୍ଧିବାକୁ ଆରମ୍ଭ କରିଛି। କେଉଁଆଡେ ଏହାର ପ୍ରଭାବ ଦେଖିବାକୁ ମିଳି କି ନ ମିଳୁ କିନ୍ତୁ କୋରାପୁଟ ଜିଲ୍ଲାରେ ବର୍ଷା ହେବା ଆକଳନ କରାଯାଇଛି। ମିଳିଥିବା ସୂଚନା ମୁତାବକ ଜୟପୁର, ବୋରିଗୁମ୍ମା, କୁନ୍ଦୁରା, ବୈପାରିଗୁଡା ବ୍ଲକର ଏକାଧିକ ମଣ୍ଡିରେ ଏବେ ବି ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି। ଖାଲି ଯେ ମଣ୍ଡିରେ ଧାନ ପଡି ରହିଛି ତାହାନୁହେଁ ବିଲ ଓ ଖଳାରେ ମଧ୍ୟ ପଡି ରହିଛି ହଜାର ହଜାର କୁଇଣ୍ଟାଲ ଧାନ। କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର, ଲମତାପୁଟ, କୁନ୍ଦୁରା, କୋଟପାଡ, ବୈପାରୀଗୁଡା ଓ ବୋରିଗୁମ୍ମା ମୋଟ ଚଳିତ ଋତୁରେ ପ୍ରାୟ ୯୯ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା। କୋରାପୁଟ ଜିଲ୍ଲାରେ ୨୦ଟି ଲାମ୍ପସ ଓ ୨୪ଟି ଏସଏସଜି ଅଧୀନରେ ୩୪,୯୩୯ ଜଣଚାଷୀ ପଞ୍ଜୀକୃତ ହୋଇଥିବା ୨୫୨ଜଣ ଚାଷୀଙ୍କଠାରୁ ୨୦ହଜାର୬୩୪ କୁଇଣ୍ଟାଲ ଧାନକ୍ରୟ ହୋଇଛି। ଗୋଟିଏ ପଟେ ଆସନ୍ନ ବାତ୍ୟା ଓ ଏବେ ବର୍ଷା ଚାଷୀଙ୍କ ପେଟକୁ ଲାତ ମାରିଛି। ଭୟରେ ଏବେ ଚାଷୀ ଦିନ ରାତି ଏକ କରି ବିଲରେ ପଡିଥିବା ଦେଖିବାକୁ ମିଳିଛି।

ବିଲରେ ୪ ଦିନ ତଳେ କଟା ହୋଇଥିବା ପାଳମିଶା ଧାନ ପଡିରହିଛି। କେଉଁଠି ବିଲରୁ ବୋଝ କରି ମଧୢ ଧାନକୁ ଆଣାଯାଉଛି ତ କେଉଁଠି ଧାନକୁ ବଳଦ ଓ ପୋଢ ଲଗାଇ ମଳାଯାଉଛି। ଆଉ କେଉଁଠି ଯେଉଁ କାର୍ଯ୍ୟକୁ ୧୦ ଜଣ ଲୋକ କରିବା କଥା ମାତ୍ର ୩ ଜଣ ଲୋକ କରୁଛନ୍ତି। ଗୋଟିଏ ପଟେ ଅମଳ ପାଇଁ ଲୋକ ମିଳୁନାହାନ୍ତି ଅନ୍ୟପଟେ ପେଥାଇ ପ୍ରଭାରରେ ବଷା ଦାଉ। ଖଳାରେ ଗଦା ହୋଇଛି ଶହ ଶହ ବସ୍ତାର ଧାନ। ଏଥି ପାଇଁ ୪ ଜଣ ଲୋକଙ୍କୁ ମଧୢ ଖାଇବା ଓ ମୂଲ ଦେଇ ଜଗିବାକୁ ରଖାଯାଇଛି। ସେମାନେ ପ୍ରତିଦିନ ଏହି ଧାନ ନ ଶୁଖିବା ଯାଏ ଏପରି କରିବାକୁ ନିର୍ଦ୍ଦେଶ ରହିଛି। ଖାଲି ସେତିକି ନୁହେଁ ପଛରେ ଧାନ ଚାଷ ହୋଇଥିବାରୁ ପଛରେ କେଣ୍ତା ବାହାରିବାରୁ ଏପଯ୍ୟନ୍ତ କଟା ହୋଇନାହିଁ। ତେଣୁ ବର୍ଷା ହେଲେ କ’ଣ ହେବ ତାହାକୁ ଏନେଇ ଆଶା ଓ ଆଶଙ୍କାରେ ଚାଷୀ। ଜୟପୁର ବାଲିଆର ଚାଷୀ ମନୋଜ ପାତ୍ର କହିଛନ୍ତି ଯେ ୧୨ ଏକରରୁ ଅଧିକ ଜମିରେ ଧାନ ଚାଷ କରିଥିଲୁ। ୮୦ ପ୍ରତିଶତ ଧାନ ଅମଳ ସରିଛି।

୨୦ ପ୍ରତିଶତ ଧାନ ଏବେ ବି ଅମଳ ହେବାକୁ ରହିଛି। ପ୍ରତିଦିନ ମୂଲିଆ କାମ କରୁଥିଲେ ମଧୢ ଧାନ ଅମଳ ଶେଷ ହୋଇପାରିନାହିଁ। ଗୋଟିଏ ପଟେ ପ୍ରଶାସନ ଏଫଏକ୍ୟୁ ଧାନକୁ ନେଇ ମଣ୍ତିରୁ ଧାନ କିଣୁ ନ ଥିବାବେଳେ ଖଳାରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ପଡିରହିଛି। ବସ୍ତା ମରାଯାଇ ପାଲ ଘୋଡାଯାଇଥିବା ବେଳେ ଏହାକୁ ୪ ଜଣ ଲୋକ ଜଗି ରହିଛନ୍ତି। ଝିପ ଝିପ ବର୍ଷା ହେଲେ ଧାନ ସିନା ଭିଜିବନି କିନ୍ତୁ ବଡ ବର୍ଷା ହେଲେ ବର୍ଷକ ଯାକ ର ପରିଶ୍ରମ ମାଟିରେ ମିଶିବ ବୋଲି ସେ କହିଛନ୍ତି। ଏନେଇ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭାରତ ଚନ୍ଦ୍ର ନାଥ କହିଛନ୍ତି ଯେ ଚଳିତ ସିଜିନରେ କୋରାପୁଟ ଜିଲ୍ଲାର ଦୁଇଟି ଉପଖଣ୍ଡରେ ପ୍ରାୟ ୯୯ ହଜାର ହେକ୍ଟର ଜମିରେ ପ୍ରାୟ ୧ଲକ୍ଷ ୧୨ ହଜାର ଚାଷୀ ଚାଷ କରିଛନ୍ତି।

ଏବେ ସୁଦ୍ଧା ଜୟପୁର ଉପଖଣ୍ଡରେ ୩୫ ପ୍ରତିଶତ ଓ କୋରାପୁଟରେ ୨୦ ପ୍ରତିଶତ ଧାନ ଅମଳ ହୋଇଛି। ଏବେ ସୁଧା ଜମି ଓ ଖଳାରେ ଧାନ ପଡିକି ରହିଥିବା ଜଣାପଡିଛି। ବର୍ଷା ଚାଡିବା ପରେ କୃଷି କର୍ମଚାରୀ କ୍ଷୟକ୍ଷତି ଆକଳନ କରିବେ ବୋଲି ସେ କହିଛନ୍ତି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ କହିଛନ୍ତି ଯେ ବର୍ଷା ଓ ଭାରତ ବନ୍ଦ ଯୋଗୁଁ କିଛି ମଣ୍ଡିରୁ ଧାନ ଉଠି ନ ଥିଲା। କିନ୍ତୁ ଆଜି କିଛି ସ୍ଥାନରୁ ଧାନ ଉଠିଛି। ଆସନ୍ତା ସପ୍ତାହ ସୁଦ୍ଧା ସବୁ ମଣ୍ଡିରୁ ଧାନ କିଣାଯିବ ବୋଲି ସେ କହିଛନ୍ତି।

 

ସମ୍ବନ୍ଧିତ ଖବର