ଯୁଯୁମୁରା/କୁଚିଣ୍ଡା: ସତେ ଯେମିତି ଚଳିତ ବର୍ଷ ବର୍ଷା ଚାଷୀଙ୍କ ପ୍ରତି ଦାଉ ସାଧୁଛି। ଠିକ୍ ସମୟରେ ବର୍ଷା ନହେବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳ ବିଶେଷକରି ପଶ୍ଚିମାଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ବାରମ୍ବାର ଅଦିନିଆ ବର୍ଷା ଚାଷୀଙ୍କ ପ୍ରତି ସଂପୂର୍ଣ୍ଣ ଅବିଚାର କରି ଚାଲିଛି। ବାତ୍ୟା ଜୱାଦ ସମୟରେ ହୋଇଥିବା ବର୍ଷା ଯୋଗୁଁ ଚାଷୀମାନଙ୍କର ପ୍ରବଳ କ୍ଷତି ହୋଇଥିଲା। ବିଲରେ କଟା ହୋଇଥିବା ଧାନ କିଆରିରେ ପାଣି ପଶିଯାଇଥିଲା। ଧାନ ଗଜା ହୋଇଯାଇଥିଲା। ତଥାପି କିଛି ଅଞ୍ଚଳରେ ଧାନ ଅମଳ ହୋଇଥିଲା। ଏବେ ଗତ ମଙ୍ଗଳବାରରୁ ଜାରି ରହିଥିବା ଅଦିନିଆ ବର୍ଷାରେ ଅମଳ ହୋଇ ଖଳାରେ ଗଦା ହୋଇଥିବା ଧାନ, ମଣ୍ଡିରେ ଗଦା ହୋଇଥିବା ଧାନ ଭିଜିଯାଇଛି। ଲୋକମାନେ ଭିଜା ଧାନକୁ ଜାତୀୟ ରାଜପଥରେ ଶୁଖାଇଥିବା ବେଳେ ତାହା ବି ଭିଜି ଯାଇଛି। ଏବେ ଚାଷୀ କିପରି ଧାନ ବିକ୍ରି କରିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି।
ବାରମ୍ବାର ଯଦି ବର୍ଷା ଏମିତି ଦାଉ ସାଧିବ ତେବେ ଚାଷୀ କରିବେ କ’ଣ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ମଣ୍ଡିରେ ଧାନ ସାଇତି ରଖିବାକୁ ଭିତ୍ତି ଭୂମିର ଅଭାବ ଥିବାରୁ ଚାଷୀମାନେ ଖୋଲା ଆକାଶ ତଳେ ଧାନ ରଖିବାକୁ ବାଧ୍ୟ ହେଉଛନ୍ତ। ଫଳରେ ବର୍ଷା ହେଲେ ଧାନ ଭିଜି ନଷ୍ଟ ହେଉଛି। ମଙ୍ଗଳବାର ଓ ବୁଧବାର ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଅଞ୍ଚଳରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇଛି। ଫଳରେ ବିଭିନ୍ନ ମଣ୍ଡିରେ ଗଦା ହୋଇଥିବା ଧାନ ନଷ୍ଟ ହୋଇଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍, କୁଚିଣ୍ଡା ଉପଖଣ୍ଡରେ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଯୁଯୁମୁରା ଝାଙ୍କରପାଲି ଅଞ୍ଚଳରେ ଟ୍ରାକ୍ଟରେ ବୋଝେଇ ହୋଇଥିବା ଧାନ ଭିଜି ଯାଇଥିବା ଦେଖାଯାଇଛି। କୁଚିଣ୍ଡା ସୁବର୍ଣ୍ଣପାଲି ମଣ୍ଡିରେ ମଧ୍ୟ ଧାନ ଭିଜିଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଧାନ ସଂଗ୍ରହରେ ଆଜିବି ଚାଲିଛି ମିଲର୍ସ ରାଜ।
ଧାନ ସଂଗ୍ରହ କେନ୍ଦ୍ରର ସର୍ବନିମ୍ନ ସୁବିଧାର ଅଭାବର ଲାଭ ଉଠାଉଛନ୍ତି ମିଲର୍ସ। ଅଭାବୀ ଧାନ ବିକ୍ରି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପେକ୍ସ ଜରିଆରେ ମଣ୍ଡି କିମ୍ବା କ୍ରୟ କେନ୍ଦ୍ରରେ ସିଧାସଳଖ ଚାଷୀଙ୍କ ଠାରୁ ଧାନ କ୍ରୟ କରୁଛନ୍ତି। ମାତ୍ର ଏହି ମଣ୍ଡି ଏବଂ କ୍ରୟ କେନ୍ଦ୍ରରେ ଗୋଦାମ, ପିଣ୍ଡି, ଶୌଚାଳୟ, ପାନୀୟ ଜଳ, ଅପେକ୍ଷା କେନ୍ଦ୍ର, ଇଣ୍ଟରନେଟ ଭଳି ସର୍ବନିମ୍ନ ସୁବିଧା ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଚାଷୀକୁ ଧାନର ଉପଯୁକ୍ତ ପ୍ରାପ୍ୟ କିଭଳି ମିଳିବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି। ବିଶେଷକରି ବିକ୍ରି ପାଇଁ ଆସୁଥିବା ଧାନକୁ ରଖିବାକୁ ବ୍ୟବସ୍ଥା ନଥିବାରୁ ଚାଷୀମାନେ ଖୋଲା ଆକାଶ ତଳେ ଧାନ ରଖୁଛନ୍ତି। ଫଳରେ ବର୍ଷା ହେଲେ ଧାନ ଭିଜି ତାର ମାନ ନଷ୍ଟ କରୁଛି।