୧୦ଦିନ ହେବ ମଣ୍ଡିରେ ପଡ଼ିଛନ୍ତି ଚାଷୀ : ମଣ୍ଡିକୁ ମଣ୍ଡି ବୁଲିଲେ ବିଜେଡି ନେତ୍ରୀ, ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ

ଉଚ୍ଚସ୍ତରୀୟ କମିଟି ବୈଠକ ଜାରୀ ରହିଛି- ଜିଲ୍ଲା ଯୋଗାଣ ଅଧିକାରୀ ‌

ଜୟପୁର : ଗତ ୧୦ଦିନ ହେବ ମଣ୍ଡିରେ ପଡ଼ି ରହିଛନ୍ତି  ଜିଲ୍ଲାର ୯୯ଟି ମଣ୍ଡିରେ ୧୦ହଜାର ୫୧୨ଜଣ ଚାଷୀ । ୧୪ଲକ୍ଷ ୮୦ହଜାରରୁ ଉର୍ଦ୍ଧ୍ବ ଧାନ ବସ୍ତା ୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଛି। ଏହାକୁ ସେଭଳି  ଦିନ ରାତି ଜଗି ବସିଛନ୍ତି ଚାଷୀ।  ଏକା ଚାଷୀ ହିଁ ନୁହନ୍ତି ପୁରା ପରିବାର ଏହି ଧାନକୁ ଜଗି ବସିଛନ୍ତି। ଅନ୍ୟପକ୍ଷରେ ମଣ୍ଡିରେ ଧାନ ପଡ଼ିଥିବା ବେଳେ ଚାଷୀଙ୍କ ଦୁଃଖରେ ସମଦୁଃଖୀ ହେବା ପାଇଁ ବିଜେପି ମଣ୍ଡି ଚାଲ ଅଭିଯାନ ଆରମ୍ଭ କରିଥିବା ବେଳେ ଏବେ ବିଜେଡିର ବରିଷ୍ଠ ନେତ୍ରୀ ତଥା ସମବାୟବିତ୍ ଡ.ଇନ୍ଦିରା ନନ୍ଦ ଏବେ ମଣ୍ଡିକୁ ମଣ୍ଡି ବୁଲି ଚାଷୀଙ୍କ ସହ ଆଲୋଚନା କରି କିଭଳି ଧାନ ସରକାର ତୁରନ୍ତ କିଣ‌ିବେ ସେ ଦିଗରେ ସେ ସରକାରଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୃତି ଦେଇଥିଲେ।

ଏ ନେଇ ସେ ଜିଲ୍ଲାପାଳ, ଜିଲ୍ଲାଯୋଗାଣ ଅଧିକାରୀଙ୍କ ସହ ରାଜ୍ୟ ଖାଦ୍ୟ ଯୋଗାଣ ଓଖାଉଟି କଲ୍ୟାଣ ସଚିବଙ୍କ ସହ ବି ଅଲୋଚନା କରିଥିବା କହିଛନ୍ତି ଡ.ନନ୍ଦ। ସବୁ ମଣ୍ଡିର ଚାଷୀ ୱାରୀ ପୁଙ୍ଖା‌ନୁପୁଙ୍ଖ ବିବରଣୀ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ରାଜ୍ୟସରକାର ବି ଏହାକୁ ଗୁରତର ସହ ନେଇ ଆଜି ଉଚ୍ଚସ୍ତରୀୟ କମିଟି ବୈଠକ କରୁଛନ୍ତି। ଦିନକ ମଧ୍ୟରେ କିଛି ସକରାତ୍ମକ ଉତ୍ତର ଏବଂ ଟାର୍ଗେଟ ଆସିବ। ଟାର୍ଗେଟ ଆସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସବୁ ମଣ୍ଡିରୁ ଧାନ ଉଠାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ। ଚାଷୀ ଗତ ୧୫ଦିନ ହେବ ହଇରାଣ ହରକତ ହେଉଛନ୍ତି । ତାଙ୍କ ସମସ୍ୟାକୁ ଜିଲ୍ଲାପ୍ରଶାସନକୁ ଅବଗତ କରିଛନ୍ତି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ। ଅନ୍ୟ ପକ୍ଷରେ ଗତ ୧୦ଦିନ ହେବ ମଣ୍ଡିରେ ହିଁ ଘର କରି ବସିଛି ଚାଷୀ। ଚାଷୀର ଏ ଦୁଃଖ କେବେ ଦୁର ହେବ ଏବଂ କେବେ ଧାନ ଉଠିବ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ରାଜ୍ୟସରକାର ସମସ୍ତ ଧାନ ଉଠାଇବାକୁ ଟାର୍ଗେଟ ଦେବେ ତ ବୋଲି ଚାଷୀ ମାନଙ୍କ ମନରେ ବି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର