ଦଲାଲ ଓ ଏଜେଣ୍ଟଙ୍କ କବଜାରେ ଧାନ ମଣ୍ଡି: ଟୋକେନ ମିଳିବାର ୨ ଦିନ ପରେ ଉଠୁଛି ଧାନ

ଜୟପୁର: ଗତ ୧୮ତାରିଖରୁ ଆରମ୍ଭ ହୋଇଛି ମଣ୍ଡି। ପ୍ରତିବର୍ଷ ଯେଭଳି ମଣ୍ଡି ଆରମ୍ଭରୁ କ୍ରୟକାରୀ ସଂସ୍ଥା ଓ ଚାଷୀଙ୍କ ମଧ୍ୟରେ ଦେଖାଦେଉଥିଲା ସେଭଳି ଏହି ବର୍ଷ ଏବେ ପର୍ଯ୍ୟନ୍ତ ଦେଖା ଦେଇନି। ଅନ୍ୟ ପକ୍ଷରେ ମଣ୍ଡି ଟ୍ୟାଗିଂ ରାଜ୍ୟସ୍ତରରେ ହେବା ପରେ ମିଲର୍ସ ମାନେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସଂପ୍ରତି ଜୟପୁର ଉପଖଣ୍ଡର ୭୬ଟି ଯାକ ମଣ୍ଡି ଆରମ୍ଭ ହୋଇଯାଇଥିବା ବେଳେ କୋରାପୁଟ ଉପଖଣ୍ଡର ୨୬ଟିରୁ ୬ଟି ମଣ୍ଡି ଆରମ୍ଭ ହୋଇଛି। ତେବେ ଯେଉଁ ଗତିରେ ଧାନ କିଣା ହେବା କଥା ସେହି ଜୋର ଏବେ ପର୍ଯ୍ୟନ୍ତ ଧରି ନାହିଁ।

ଜୟପୁର ଉପଖଣ୍ଡର ସମସ୍ତ ମଣ୍ଡି ଆରମ୍ଭ ହୋଇଥିଲେ ହେଁ ଟୋକେନ୍ ମିଳିବା ସମସ୍ୟା ତା ସାଙ୍ଗକୁ ଯେଉଁ ଦିନ ଟୋକେନ୍ ଆସୁଛି ସେ ଦିନ ଚାଷୀ ମଣ୍ଡିରେ ଧାନ ବିକ୍ରୀ କରି ପାରୁନି। ୧୮ତାରିଖରୁ ରିପୋର୍ଟ ଲେଖା ହେବା ଯାଏଁ ଜିଲ୍ଲାର ୧୨ଟି ଲ୍ୟାମ୍ପ, ୨୩ଟି ମହିଳା ସ୍ବୟଂସହାୟକ ଦଳ, ୨ଟି ପାଣି ପଂଚାୟତ କ୍ରୟ ସଂସ୍ଥା ପକ୍ଷରୁ ୮୪୪୯ଜଣ ଚାଷୀଙ୍କ ଠାରୁ ୬ଲକ୍ଷ ୭୨ହଜାର ୦୩୪କୁଇଣ୍ଟାଲ ଧାନ କିଣା ସରିଛି। ଜିଲ୍ଲାରେ ୧୦୨ଟି ମଣ୍ଡି ମଧ୍ୟରୁ ଅଧିକାଂଶ ଖୋଲା ଆକାଶ ତଳେ ଚାଳିଛି । ଆରଏମସି ପକ୍ଷରୁ କୋଟି କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହେଉଥିଲେ ମଧ୍ୟ ଏଯାବତ ଜିଲ୍ଲାର ସମସ୍ତ ମଣ୍ଡିରେ ଛାଉଣୀ ବ୍ୟବସ୍ଥା ହୋଇପାରିନାହିଁ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଭଳି କଟକଣାକୁ ପାଳନ କରିବା କଥା କରାଯାଉନି। ଜିଲ୍ଲାରେ ୧୦୨ଟି ମଣ୍ଡିରୁ ୨୦ଟି ମଣ୍ଡି ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ।

ଚାଷୀଙ୍କ ସୁବିଧା ପାଇଁ ଆରଏମସି ପକ୍ଷରୁ ଛାଉଣୀ ବ୍ୟବସ୍ଥା କରାଯାଇନି। ଧାନମଣ୍ଡି ଏବେ ଦଲାଲ ଓ ଏଜେଣ୍ଟଙ୍କ କବଜାରେ ରହିଛି। କ୍ରୟକାରୀ ସଂସ୍ଥା, ମିଲରଙ୍କ ସହ ଚାଷୀ ମାନଙ୍କର କଟନି ଓ ଛଟନି ବିବାଦକୁ ଏମାନେ ହ୍ୟାଣ୍ଡଲ କରି ଏଥରକ ସମାଧାନ କରିଛନ୍ତି। ପ୍ରତ୍ୟେକ ମଣ୍ଡିରେ ଦଲାଲଓ ଏଜେଣ୍ଟ ମାନେ ଡେରା ପକାଇ ଧାନ କିଣା କରାଉଥିବା ଦେଖିବାକୁ ମିଳିଛି। ଯଦିଓ କ୍ରୟକାରୀ ସଂସ୍ଥା ଗୁଡିକ ଧାନ କିଣୁଥିଲେ ହେଁ ଏହାକୁ ମଣ୍ଡି ଟ୍ୟାଗିଂ ହୋଇଥିବା ମିଲର ମାନେ ଧାନ ଉଠାଉଛନ୍ତି। ଅନ୍ୟ ପକ୍ଷରେ ବଡ଼ ବଡ଼ ଚାଷୀ ମାନେ ପୂର୍ବଭଳି ମଣ୍ଡିକୁ ଆସି ଧାନ ବିକ୍ରୀ କରୁଥିବା ଦେଖିବାକୁ ମିଳିନି। ସେମାନେ ମଣ୍ଡିକୁ ଆସି ନିୟମ ଅନୁଯାୟୀ ଆଇସ୍କାନର ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତି କରି ମିଲର ମାନଙ୍କର ଦଲାଲ ଓ ଏଜେଣ୍ଟମାନଙ୍କୁ ଏହା ହସ୍ତାନ୍ତର କରୁଛନ୍ତି।

ଧାନ ମଣ୍ଡିକୁ ନ ଆସି ସେମାନଙ୍କ ଧାନ ସିଧାସଳଖ ଭାବେ ଗାଡି ଗୁଡିକରେ ମିଲକୁ ଯାଉଛି। ନାମକୁ ମାତ୍ର, ମଧ୍ୟବିତ୍ତ ଚାଷୀ ମାନେ ହିଁ ଧାନ ମଣ୍ଡିକୁ ଆଣୁଛନ୍ତି। ସେହି ଧାନ ବି ସେଭଳି ଟ୍ରକ, ଟ୍ରାକ୍ଟର, ଭ୍ୟାନ ଆଦିରେ ଲୋଡ ହୋଇ ରହୁଛି। ଏପରିକି ମଣ୍ଡି ଗୁଡିକରେ ଧାନ ଓଜନ କରିବା ବ୍ୟବସ୍ଥା ବି କିଛି ନାହିଁ। ନାମକୁ ମାତ୍ର କିଛି ଚାଷୀଙ୍କର ଧାନକୁ ମଣ୍ଡିରେ ଜମା କରି ରଖାଯାଉଥିବା ଦେଖିବାକୁ ମିଳିଛି। ଏପରିକି କିଛି ମିଲର୍ସଙ୍କ ଦ୍ବାରା କିଣା ସରିଥିବା ଧାନକୁ ଲୋକଦେଖାଣିଆ ଭାବେ ସେଭଳି ମଣ୍ଡିରେ ଜମା କରି ରଖାଯାଉଥିବା ବେଳେ ଏଜେଣ୍ଟ ଓ ଦଲାଲଙ୍କ ଜରିଆରେ ଧାନ ମିଲକୁ ସିଧାସଳଖ ଯାଉଛି। ମଣ୍ଡିରେ ଚାଲିଥିବା ଏହି ଅନିୟମିତତାକୁ ରୋକିବା ପାଇଁ ୟୁଥ୍ ଅର୍ଗନାଇଜେସନ୍ କୋରାପୁଟ ପକ୍ଷରୁ ବି ଏହାକୁ ନେଇ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର