ଜୟପୁର: ଜିଲ୍ଲାରେ ଖରିଫ ମଣ୍ଡି ପରିଚାଳନା ଓ ଧାନ କ୍ରୟ ବାବଦକୁ ଆରଏମସି (ନିୟନ୍ତ୍ରିତ ବଜାର କମିଟି), ଆରଏମସି, ଲ୍ୟାମ୍ପ, ମହିଳା ସ୍ବୟଂ ସହାୟକ ଦଳ,ପାଣି ପଂଚାୟତକୁ କମିଶନ ବାବଦକୁ ୧୩କୋଟି ମିଳୁଛି। ଏହା ପରେ ବି ଜୟପୁର ଉପଖଣ୍ଡ ସମେତ ସମଗ୍ର ଜିଲ୍ଲାର ଅଧିକାଂଶ ମଣ୍ଡିର ଭିତ୍ତିଭୂମି ଅସଜଡ଼ା ହୋଇ ରହିଛି। ଫଳରେ ମଣ୍ଡିକୁ ଧାନ ବିକ୍ରୟ କରିବାକୁ ଆସୁଥିବା ଚାଷୀଙ୍କ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଅଯଥା ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଜିଲ୍ଲାରେ ଜୟପୁର ଉପଖଣ୍ଡରେ ୭୭ଟି ମଣ୍ଡି ଓ କୋରାପୁଟ ଉପଖଣ୍ଡରେ ୨୭ଟି ଏଭଳି ୧୦୪ଟି ମଣ୍ଡିରୁ ୨୦ଟି ଲ୍ୟାମ୍ପ, ୨୨ଟି ଏସଏଚଜି,ଓ ୨ଟି ପାଣି ପଂଚାୟତ ଜରିଆରେ ୪୧ହଜାର ଚାଷୀଙ୍କ ଠାରୁ ଧାନ କିଣାଯିବ।

Advertisment

ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ଆରଏମସି ମଣ୍ଡିର ଭିତ୍ତିଭୂମି ସଜାଡ଼ିବ। ଏଥି ପାଇଁ ଯେତେ କୁଇଣ୍ଟାଲ ଧାନ କିଣା ଯିବ ତାହାର ୨ପ୍ରତିଶତ କମିଶନ ଆରଏମସିକୁ ମିଳୁଛି। ଗତ ଖରିଫ ମଣ୍ଡିରେ ଏ ବାବଦରେ ଆରଏମସି ୬କୋଟି ୫୦ଲକ୍ଷ ଟଙ୍କା କମିଶନ ବାବଦକୁ ପାଇଛି। ଏତେ ଟଙ୍କା ପାଇବା ପରେ ବି ମଣ୍ଡିର ଭିତ୍ତିଭୂମି ସଜାଡିବାରେ ଆରଏମସି ଫେଲ୍ ମାରିଛି। ଜିଲ୍ଲାରେ ଆରଏମସିର ହାତ ଗଣତି ୨୦ଟି ଗୋଦାମ ରହିଛି। ନିଜସ୍ବ ଗୋଦାମ ନଥିବାରୁ ଖୋଲା ପଡ଼ିଆରେ କିମ୍ବା ହାଟପିଣ୍ଡିରେ ମଣ୍ଡି ଚାଲିଛି। ଫଳରେ ଚାଷୀ ଖୋଲା ଆକାଶ ତଳେ ହଜାର ହଜାର କୁଇଣ୍ଟାଲ ଧାନ ବସ୍ତା ରଖୁଛି। ମଣ୍ଡିରେ କିଛି ସୁବିଧା ସୁଯୋଗ ନ ଥିବାରୁ ମଣ୍ଡି ଚାଲିଥିବା ସମୟରେ ସାମାନ୍ୟ ବର୍ଷା ହେଲେ ଚାଷୀଙ୍କ ଦୁଃଖ ବଢ଼ିଯାଉଛି। ଏହି ସ୍ଥିତିରେ ଆଉ କେଉଁଠି ମଣ୍ଡିକୁ ନେବା ବଦଳରେ ସିଧାସଳଖ କିମ୍ବା ମଣ୍ଡିକୁ ଅଣାଯାଇଥିବା ଟ୍ରକ, ଭ୍ୟାନ, ଟ୍ରାକ୍ଟରରୁ ଧାନ ନ ଓହ୍ଲାଉଣୁ ହିଁ ମିଲକୁ ଧାନ ନେବାକୁ ଚାଷୀ ବାଧ୍ୟ ହେଉଛି। ମଣ୍ଡିରେ ପ୍ରତିକ୍ଷାଳୟ, ଶୌଚାଳୟ, ପିଇବା ପାଣି ସହ ଚାଷୀ ଧାନ ରଖିଲେ ଘୋଡାଇବା ପାଇଁ ତାରପୋଲିନର ବ୍ୟବସ୍ଥା ସହ ଓଜନ ମାପ ବ୍ରିଜର ସେବା ବି ଆରଏମସି ଯୋଗାଇଦେବା କଥା। କିନ୍ତୁ ଏସବୁ ବ୍ୟବସ୍ଥା ଆରଏମସି ପକ୍ଷରୁ କରାଯାଇ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଚାଷୀ ମଣ୍ଡିକୁ ଧାନ ଧରିକି ଯିବା ପରେ ସେଠାରେ କ୍ରୟକାରୀ ସଂସ୍ଥା ଗୁଡିକ ଧାନକୁ ଆରଏମସିର ଓଜନ ମାପକ ବ୍ରିଜରେ ଓଜନ କରି ଚାଉଳ ଦେବାକୁ ଥିବା ମିଲକୁ ହସ୍ତାନ୍ତର କରିବେ। ମିଲର୍ସ ମଣ୍ଡିରୁ ଧାନ ନିଜ ଗାଡିରେ ମିଲକୁ ପରିବହନ କରିବା ସହ ନିଜ ବସ୍ତାରେ ଧାନ ଭରି ଚାଷୀଙ୍କ ବସ୍ତା ଚାଷୀଙ୍କୁ ପୁଣି ଫେରାଇବେ। ଏଥିପାଇଁ କମିଶନ ବାବଦକୁ ସରକାର ୩୧.୨୫ପଇସା ଏମାନଙ୍କୁ ଦେଉଛନ୍ତି। ଏପରି ୬କୋଟି ୫୬ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଏମାନେ ପାଇଛନ୍ତି। ତେବେ ଏହି ମାର୍ଗଦର୍ଶିକା କାଗଜକଲମ ମଧ୍ୟରେ ହିଁ ସୀମିତ ହୋଇ ରହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।