କୋରାପୁଟରେ ଚାଲିଛି କଟନି ଛଟନି: କୁଇଣ୍ଟାଲ ଧାନରେ ୮୮ କେଜିର ପଇସା ଦେଉଛନ୍ତି ସରକାର

କୋରାପୁଟ: କୋରାପୁଟ ଜିଲ୍ଲା ରବି ଋତୁରେ ଧାନ କିଣାକୁ ନେଇ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଚାଷୀ। ସମସ୍ତଙ୍କ ଜାଣତରେ ଚାଲିଛି କଟନି ଛଟନି। କେଜିଏ କି ଦୁଇ କେଜି ନୁହେଁ କୁଇଣ୍ଟାଲରେ ୧୨ କେଜି ଧାନ କଟାଯାଉଥିବା ଅଭିଯୋଗ ହୋଇଛି। ୧୦୦ କେଜି ଧାନ ଦେଲେ ୮୮ କେଜିର ପଇସା ଚାଷୀଙ୍କୁ ମିଳୁଥିବା ଜଣାପଡିଛି। କୋରାପୁଟ ଜିଲ୍ଲାର କୁନ୍ଦୁରା, ଜୟପୁର, ବୋରିଗୁମ୍ମା ଓ ବୈପାରିଗୁଡାରେ ଧାନ କିଣାରେ ଏପରି ଦୁନୀର୍ତି ହୋଇଥିବା ଜଣାପଡିଛି। ଯଦି ଚାଷୀମାନେ ଅଭିଯୋଗ କରୁଛନ୍ତି ତେବେ ମିଲରମାନେ ଧାନ କିଣୁ ନ ଥିବା ଜଣାପଡିଛି। ମିଳିଥିବା ସୁଚନା ମୁତାବକ କୋରାପୁଟ ଜିଲ୍ଲାରେ ମେ ୨୮ ତାରିଖରୁ ଜୁନ ୩୦ ତାରିଖ ଯାଏ ୧୫ ହଜାର ୧୨୮ଜଣ ଚାଷୀଙ୍କଠାରୁ ୨୪ ଲକ୍ଷ କୁଇଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିପାଇଁ ଚାଷୀମାନଙ୍କ ଠାରୁ ୨ଟି କୃଷି ସମବାୟ ସମିତି, ୧୫ଟି ସ୍ବଂୟ ସହାୟକ ଗୋଷ୍ଠୀ ପେକ୍ସ ଓ ୧୫ଲାମ୍ପସରେ ଏକାଧିକ ମିଲକୁ ଟ୍ୟାଗ କରାଯାଇଛି।

କୋରାପୁଟ ଓ ଜୟପୁର ଉପଖଣ୍ଡରେ ୧୦୩ଟି ମଣ୍ଡିରେ ଧାନ କିଣାଯାଉଥିବାବେଳେ ଜୟପୁର ଉପଖଣ୍ଡରେ ଧାନ କିଣା ନେଇ ଦୁର୍ନିତି ପଦାକୁ ଆସିଛି। ତେବେ ମେ ଶେଷ ସପ୍ତାହ ଓ ଜୁନ ପ୍ରଥମ ସପ୍ତାହରେ ଜିଲ୍ଲାରେ ରହିଥିବା ଚାଷୀଙ୍କୁ ଟୋକେନ ଜାରି ହୋଇଥିଲା। ଏହି ଟୋକେନ୍‌ ଜାରି ହେବାର ୧୦ ଦିନ ପରେ ଧାନ କିଣାହୋଇଥିବାବେଳେ ଆଉ ୧୦ ଦିନରେ ଧାନ ବିକ୍ରି କରିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି। ତେବେ ଚାଷୀଙ୍କଠାରୁ ସରକାର ଧାନ କିଣୁଥିବାବେଳେ ମିଲର କଷ୍ଟମ ମିଲିଂ ପାଇଁ ଚାଷୀଙ୍କଠାରୁ ଧାନ ଆଣୁଛନ୍ତି। ଚାଷୀମାନେ ଧାନ ଖଳାରୁ ମଣ୍ଡିକୁ ଗାଡି କରି ଆଣୁଛନ୍ତି, ସେଠାରୁ ଓଜନ ହେଲା ପରେ ସିଧା ମିଲକୁ ଯାଉଛି। ମିଲକୁ ଯିବା ପରେ ଧାନ ଓଦା ଅଛି ଆଦି କହି ୧୨ କେଜି ଲେଖା କାଟଛାଣ୍ଟ କରୁଥିବା ଅଭିଯୋଗ ହୋଇଛି। ଯେଉଁ ଚାଷୀ ଅଭିଯୋଗ କଲେ ସେମାନଙ୍କର ଧାନ ମିଲରମାନେ କିଣୁ ନାହାନ୍ତି। ଏବେକାର ଧାନ ଆସନ୍ତା ଋତୁକୁ ବିକ୍ରି ହୋଇପାରିବ ନାହିଁ ବୋଲି ସରକାର କହିବା ପରେ ଚାଷୀ ଯେମିତି ସେମିତି କରି ବିକ୍ରି କରୁଥିବା ଜଣାପଡିଛି। ବାଲିଆର ଚାଷୀ ମନୋଜ ପାତ୍ର କହିଛନ୍ତି ଯେ ପ୍ରଥମେ ଟୋକେନ୍‌ ଜାରି ହେବାର ୧୦ଦିନ ପରେ ଧାନ କିଣା ହେଲା। ଟୋକେନ୍‌ ଅବଧି ୨୦ଦିନ ରହିଥିବାବେଳେ ଜିଲ୍ଲାରେ ୧୫ହଜାରରୁ ଅଧିକ ଚାଷୀ ରହିଥିବାରୁ ଥରେ ଧାନ କିଣା ହେଲେ ତାହାର ୧୫ ଦିନ ପରେ ଧାନ କିଣିବାକୁ ଆଉ ଜଣେ ଚାଷୀଙ୍କର ପାଳି ଆସିବ।

ଜିଲ୍ଲାରେ ୨୪ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ପାଳି ଆସିଥିଲା ବେଳକୁ ଲକ୍ଷ୍ୟ ପୂରଣ ହୋଇଯାଇଥିବ। ତେଣୁ ଖଳାରୁ ଧାନ ଆଣି ସିଧା ମିଲକୁ ପଠାଇ ଦେଇଛୁ। ଧାନ ରହିଗଲେ ଆରବର୍ଷକୁ ବିକିବା କଷ୍ଟ। ରଖିବାକୁ ଜାଗା ନ ଥିବାରୁ ସେମାନେ ଯାହା କାଟ୍‌ ଛାଣ୍ଟ କରୁଛନ୍ତି କରନ୍ତୁ ସିନା ଧାନ ବିକ୍ରି କରି ଦେଉଛି ବୋଲି ସେ କହିଛନ୍ତି। ଆଜି ସୁଦ୍ଧା କୋରାପୁଟ ଜିଲ୍ଲାରେ ୧୫ହଜାର ୧୫୬ ଜଣ ଚାଷୀଙ୍କ ମଧ୍ୟରୁ ୧୧ ହଜାର ୭୭୮ ଚାଷୀଙ୍କଠାରୁ ୯୭୦୧୧୭୮ କୁଇଣ୍ଟାଲ ଧାନ କିଣାହୋଇଛି। ୧୫ଟି ଲାମ୍ପସ ୬୪୪୫୩୩ କୁଇଣ୍ଟାଲ ଧାନ, ୧୫ଟି ଏଏସଏସଜି ୨୯୭୩୦୫ କୁଇଣ୍ଟାଲ ଧାନ ଓ ୨ଟି ପାଣିପଞ୍ଚାୟତ ୩୪୦୯୫ କୁଇଣ୍ଟାଲ ଧାନ କିଣିଥିବା ଜଣାପଡିଛି। ଏନେଇ କୁନ୍ଦୁରାର ଚାଷୀ ରବିନ୍ଦ୍ର ମହାନ୍ତି କହିଛନ୍ତି ଯେ ୧୮ ଏକର ଜମିରେ ରବି ଋତୁରେ ଧାନ ଚାଷ ହୋଇଛି। କୁନ୍ଦୁରାରେ ଟୋକେନ୍‌ ଜାରି ହେବାର ୯ ଦିନ ପରେ ଧାନ କିଣା ହେଲା। ଘରେ ଧାନ ରଖିବାକୁ ଜାଗା ନ ଥିବାବେଳେ ଯେମିତି ସେମିତି କରି ଧାନ ବିକ୍ରି କରିଦେଉଛି। ଅଭିଯୋଗ କଲେ ଟାର୍ଗେଟ କରି ଧାନ କିଣୁ ନାହାନ୍ତି। ଧାର କରଜ କରି ଚାଷ କରିଥିବାରୁ ଯାହା କାଟଛାଣ୍ଟ କରୁଛନ୍ତି କରନ୍ତୁ ସିନା ଧାନ ବିକି ଦେଉଛି ବୋଲି ସେ କହିଛନ୍ତି। ଏନେଇ ସିଏସଓ ପ୍ରଦୀପ ପଣ୍ଡା କହିଛନ୍ତି ଯେ ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଅବଗତ ହୋଇଛି, ଚାଷୀଙ୍କଠାରୁ ଅଭିଯୋଗ ପାଇବା ପରେ ବିହିତ ପଦକ୍ଷେପ ନିଆଯିବ ।

ସମ୍ବନ୍ଧିତ ଖବର