ଆଉ ୭ ଦିନ ଘୁଂଚିଲା ଖରିଫ ଧାନ ସଂଗ୍ରହ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ୨୦୨୦-୨୧ ଖରିଫ ଋତୁ ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ଆଉ ୭ ଦିନ ବୃଦ୍ଧି କରାଯାଇଛି । ନଭେମ୍ବର ମାସରେ ହୋଇଥିବା ଖରିଫ ଧାନ ସଂଗ୍ରହ ବୈଠକରେ ଡିସେମ୍ବର ୧ ତାରିଖରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ମିଲରମାନଙ୍କ ସହ ଚୁକ୍ତି ଓ ଧାନ କଟା ବିଳମ୍ବ ହେଉଥିବାରୁ ଏହାକୁ ୧୪ ଦିନ ଘୁଂଚାଇ ଡିସେମ୍ବର ୧୫ ତାରିଖରେ ଆରମ୍ଭ କରିବାକୁ ଯୋଜନା ହୋଇଥିଲା । ତେବେ ଏହାକୁ ପୁଣି ଆହୁରି ୭ ଦିନ ଘୁଂଚାଯାଇଛି ।

ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅନାମ ଚରଣ ସ୍ୱାଇଁ କହିଛନ୍ତି ଯେ ପଡ଼ୋଶୀ ପୁରୀ ଜିଲ୍ଲାରେ ଡିସେମ୍ବର ୨୮ରେ ଆରମ୍ଭ ହେବ ଜଗତସିଂହପୁର ଓ କଟକ ଆଦି ଜିଲ୍ଲାରେ ଆହୁରି ବିଳମ୍ବରେ ଧାନ ସଂଗ୍ରହ ହେବ । ଖୋର୍ଦ୍ଧାରେ ଯେଉଁ ୧୬ଟି ମିଲର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବାକୁ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ ୧୧ଟି ନିଜର ସମସ୍ତ ଆବଶ୍ୟକ ଅନୁମତି ଆଦି ପୂରଣ କରିଛନ୍ତି । ବଳକା ୫ଜଣଙ୍କ ପରିବେଶ ମଂଜୁରୀ ଓ ଅନ୍ୟ କିଛି ଛୋଟ ପ୍ରାଶାସନିକ ଅନୁମତିର ଆବଶ୍ୟକତା ରହିଛି । ସେଗୁଡ଼ିକ ପୂରଣ ହୋଇଗଲା ପରେ ସେମାନଙ୍କ ସହ ଚୁକ୍ତି ଚୂଡ଼ାନ୍ତ ହେବ । ଏହା ସହ ସମବାୟ ସମିତିଗୁଡ଼ିକ ମଧ୍ୟ ଧାନ କଟାରେ ବିଳମ୍ବ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଧାନ ସଂଗ୍ରହ ଆହୁରି ୭ ଦିନ ଗଡ଼ାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର