ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ଅଧାରୁ ଅଧିକ ଲ୍ୟାମ୍ପରେ ଧାନ କିଣା ଆରମ୍ଭ ହୋଇନି। କିନ୍ତୁ ତା’ ପୂର୍ବରୁ ମିଲର ଓ ଦଲାଲମାନେ ନିଜ ନିଜ ଗୋଦାମରେ ଧାନ ଗଦେଇଦେଲେଣି। ଝାଡ଼ଖଣ୍ଡ ଓ ସ୍ଥାନୀୟ ଚାଷୀଙ୍କ ଠାରୁ ଶହ ଶହ କ୍ବିଣ୍ଟାଲ ଧାନ କିଣି ସାରିଲେଣି। ତାହା ପୁଣି କ୍ବିଣ୍ଟାଲ ପିଛା ୧୦୦୦ରୁ ୧୧ଶହ ଟଙ୍କାରେ। କିଛି ଧାନ ମିଲରଙ୍କ ମିଲ୍‌ରେ ତ ଆଉ କିଛି ଧାନ ଦଲାଲଙ୍କ ଗୋଦାମରେ। ଝାଡ଼ଖଣ୍ଡ ସୀମାନ୍ତ ଗାଁରୁ ଦଲାଲମାନେ ଟ୍ରକ, ଟ୍ରାକ୍ଟରରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ କିଣି ନିଜ ନିଜ ଗୋଦାମରେ ଗଚ୍ଛିତ ରଖି ସାରିଛନ୍ତି। ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର, ଯୋଗାଣ ବିଭାଗ ଓ ଯୋଗାଣ ନିରୀକ୍ଷକଙ୍କ ଦ୍ବାରା ଗଠିତ ଟିମ୍‌ ଚଢ଼ଉ ଜାରି ରଖିଛି। କିନ୍ତୁ ସେଥିରେ ସେମାନଙ୍କର ଆନ୍ତରିକତା ନଥିବାର ଚର୍ଚ୍ଚା ହେଉଛି।
ଗତ ୫ ଦିନ ମଧ୍ୟରେ ନୂଆଗାଁର ଖୁଣ୍ଟଗାଁ, କୁଆରମୁଣ୍ଡା ବ୍ଲକର ରାଏବୋଗା, ଲେଫ୍ରିପଡାର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସରକାରୀ କ୍ବାର୍ଟର୍ସ ଓ ବିଶ୍ରା ବ୍ଲକ ମନ୍‌କୋ ପଞ୍ଚାୟତ ‘ରାଧା ଗୋପୀ ରାଇସ୍‌ ମିଲ୍‌’ରେ ଚଢ଼ଉ କରିଛନ୍ତି। ଖୁଣ୍ଟଗାଁରୁ ୪୪ କ୍ବିଣ୍ଟାଲ, ରାଏବୋଗାରୁ ୨୨ କ୍ବିଣ୍ଟାଲ, ଲେଫ୍ରିପଡାର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସରକାରୀ କ୍ବାର୍ଟର୍ସରୁ ୧୫୪, ବିଶ୍ରା ରାଇସ୍‌ ମିଲ୍‌ରୁ ୧୩୧ ବସ୍ତା ଧାନ ଜବତ କରାଯାଇଛି। କିନ୍ତୁ ଅଧିକ ଧାନ ଥିବା ଅନେକ ମିଲ୍‌ ଓ ଦଲାଲଙ୍କ ଗୋଦାମ ଯାଞ୍ଚ କରିବାକୁ ଯୋଗାଣ ଅଧିକାରୀ ଓ ଯୋଗାଣ ନିରୀକ୍ଷକମାନେ ପଛଘୁଞ୍ଚା ଦେଉଛନ୍ତି। ବିଶ୍ରା ମନ୍‌କୋର ‘ରାଧେ ଗୋପି ରାଇସ୍‌ ମିଲ୍‌’ରୁ ୧୩୧ ବସ୍ତା ନା ଅଧିକ ଧାନ ଜବତ ହୋଇଛି, ଏଯାଏ କିଛି ସ୍ପଷ୍ଟ ‌ହୋଇ ନାହିଁ। ତାହା କେଉଁ କାରଣରୁ ଜବତ ହେଲା, ସେ ଧାନ ଝାଡ଼ଖଣ୍ଡ ନା ସ୍ଥାନୀୟ ଚାଷୀଙ୍କର ଓ ଉକ୍ତ ମିଲ୍‌ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି ବା ଯିବ, ସେ ସଂପର୍କରେ ପୂରା ଯୋଗାଣ ବିଭାଗ ନିରବତା ଅବଲମ୍ବନ କରୁଛି। ଉକ୍ତ ରାଇସ୍‌ ମିଲ୍‌ର ନାମ ଯେପରି ପ୍ରକାଶିତ ନହୁଏ, ସେଥିପାଇଁ ଅଧିକାରୀମାନେ ଗଣମାଧ୍ୟମକୁ ଲୁଚୁଥିବାର ଆଲୋଚନା ହେଉଛି।
ଏ ସଂକ୍ରାନ୍ତରେ ପାନପୋଷ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ ପ୍ରକାଶ ପ୍ରଧାନଙ୍କୁ ୨ଦିନରୁ ଅଧିକ ଯୋଗାଯୋଗ କରିବା ପରେ ମଧ୍ୟ ସେ ଆଦୌ ଫୋନ୍‌ ଉଠାଉ ନାହାନ୍ତି। ଅଫିସ୍‌କୁ ଗଲେ ମଧ୍ୟ ସେଠାରେ ତାଙ୍କର ଦେଖା ମିଳୁନହିଁ। ଯୋଗାଣ ନିରୀକ୍ଷକ ମଧ୍ୟ ସହକାରୀ ଯୋଗାଣ ଅଧିକାରୀଙ୍କ ପରି ଫୋନ୍‌ ଉଠାଉ ନାହାନ୍ତି। ତେଣୁ ଉପରୋକ୍ତ ଚର୍ଚ୍ଚାର ସତ୍ୟତା ରହିଥିବା ଭଳି ମନେ ହେଉଛି।
ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାରଙ୍କୁ ପଚାରିବାରୁ ସେ କହିଛନ୍ତି, ‘‘ଚଢ଼ଉ ପାଇଁ ସରକାରଙ୍କ ଷ୍ଟାଣ୍ଡିଂ ଅର୍ଡର ରହିଛି। ଅଭିଯୋଗ ଆସିଲେ ତୁରନ୍ତ ଚଢ଼ଉ କରି ଗୋଦାମରେ ଗଚ୍ଛିତ ଧାନକୁ ଜବତ କରାଯାଉଛି। ତେବେ ନିକଟରେ ବିଶ୍ରା ରାଇସ୍‌ ମିଲ୍‌ରୁ ଜବତ ଧାନ ସମ୍ପର୍କରେ ପାନପୋଷ ସହକାରୀ ଯୋଗାଣ ବିସ୍ତୃତ ଭାବେ କହିପାରିବେ।’’ ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ନିମୟିତ ବ୍ୟବଧାନରେ ଚଢ଼ଉ କରାଯାଉଛି ବୋଲି ଯାହା କୁହା ଯାଉଛି, ତାହା ଧର୍ମକୁ ଆଖିଠାର ସଦୃଶ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଲାଗିଥିବା ବ୍ଲକଗୁଡ଼ିକରେ ଯେମିତି ଚଢ଼ଉ କରାଯିବା କଥା, ତାହା ହେଉ ନାହିଁ। ଏହି ବ୍ଲକଗୁଡ଼ିକରେ ଥିବା ରାଇସ୍‌ ମିଲ୍‌ ଓ ଦଲାଲଙ୍କ ଗୋଦାମରେ ଚଢ଼ଉ କରିବାକୁ ଯୋଗାଣ ଅଧିକାରୀମାନେ ଯେପରି ପଛଘୁଞ୍ଚା ଦେଉଛନ୍ତି! ମିଲର୍‌ ଓ ଦଲାଲମାନଙ୍କ ସହ ଯୋଗାଣ ବିଭାଗର ଅନୈତିକ ଡିଲ୍‌ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ଆଲୋଚନା ହେଉଛି। ଉଲ୍ଲେଖଯୋଗ୍ୟ, ସୀମାନ୍ତ ହାତୀବାରି ଲ୍ୟାମ୍ପସ୍‌ ପକ୍ଷରୁ ଗତ ବର୍ଷ ୫୦ ହଜାର କ୍ବିଣ୍ଟାଲ ଧାନ କିଣାଯାଇଥିଲା। ପାଖାପାଖି ୧୪୦୦ ଚାଷୀ ଟୋକନ ପାଇଥିଲେ। ଟାର୍ଗେଟ ପୂରଣ ହୋଇଯାଇଥିବାରୁ ପ୍ରାୟ ୩୦୦ ଚାଷୀଙ୍କ ପାଖରେ ଟୋ‌କନ ଥିଲେ ମଧ୍ୟ ଧାନ ବିକି ପାରିନଥିଲେ। ଚଳିତ ଥର ପ୍ରାୟ ୧୨୦୦ ଚାଷୀ ଟୋକନ ପାଇବାକୁ ଲ୍ୟାମ୍ପସ୍‌ରେ ନାମ ପଞ୍ଜିକରଣ କରିଛନ୍ତି। ନୂଆଗାଁ ବ୍ଲକରେ ସେହି ସମାନ ସମସ୍ୟା ଉପୁଜିଥିଲା। ଗତବର୍ଷ ନୂଆଗାଁ ଲ୍ୟାମ୍ପସ ପକ୍ଷରୁ ୫୩ ହଜାର କ୍ବିଣ୍ଟାଲ ଧାନ କିଣାଯାଇଥିଲା। ପାଖାପାଖି ୨୫୦ରୁ ଅଧିକ ଚାଷୀଙ୍କ ପାଖ‌ରେ ଟୋକନ ଥିଲେ ମଧ୍ୟ ଧାନ ବିକି ପାରି ନଥିଲେ। କାରଣ ଲ୍ୟାମ୍ପସ୍‌ ତା’ର ଟାର୍ଗେଟ ପୂରଣ କରି ସାରିଥିଲା। ପ୍ରକୃତ ଚାଷୀ ଧାନ ବିକି ନଥିବାବେଳେ ଟାର୍ଗେଟ ପୂରଣ ହେବା ପଛରେ ଗୋଟିଏ ସାଂଘାତିକ ଚକ୍ରାନ୍ତ ରହିଛି। ଧାନ ବିକୁ ନଥିବା, ଏପରିକି ଆଦୌ ଚାଷ କରୁ ନଥିବା ଅନେକ ଲୋକଙ୍କ ନାମରେ ଟୋକନ ଦିଆ ଯାଉଛି। ସେମାନଙ୍କ ପାଇଁ ଦଲାଲମାନେ ଝାଡ଼ଖଣ୍ଡରୁ ଧାନ ଆଣି ବିକ୍ରି କରି ତାଙ୍କୁ ଅଳ୍ପ କମିଶନ ଦେଇ ନିଜ ପକେଟ ଗରମ କରୁଛନ୍ତି। ଏସବୁ ମାମଲା ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କର କେବଳ ଜାଣତରେ ନୁହେଁ, ସହାୟତାରେ ହେଉଛି।