କେନ୍ଦ୍ରାପଡ଼ା: ଡିସେମ୍ବର ୨୪ରୁ ଜିଲ୍ଲାରେ ଧାନକିଣା ଆରମ୍ଭ ହେବ ବୋଲି ପ୍ରଶାସନ ଘୋଷଣା କରିଥିଲା। କିନ୍ତୁ କାର୍ଯ୍ୟରତ ସୋସାଇଟି ସ˚ପାଦକ ମାନେ ଅନିର୍ଦ୍ଦିଷ୍ଟ ଆନ୍ଦୋଳନ ଚଳାଇଥିବାରୁ ଚାଷୀ ମାନେ ମଣ୍ତିରେ କିଭଳି ଧାନ ବିକିବେ, ତାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ହାତରେ ଆଉ ମାତ୍ର ତିନି ଦିନ ବାକି ଥିବାରୁ ପ୍ରଶାସନର ଧାନକିଣାକୁ ନେଇ ଚିନ୍ତା ବଢ଼ି ଯାଇଛି। ଏଭଳି ସ୍ଥିତିରେ ଯଦି ଶେଷ ଯାଏ ଆନ୍ଦୋଳନ ଜାରି ରହେ ଏବ˚ ସମବାୟ କର୍ମଚାରୀଙ୍କ ଦାବି ପୂରଣ ନ ହୁଏ, ତେବେ ଜିଲ୍ଲାର ୧୧୮ସୋସାଇଟି ପରିବର୍ତେ ୩୦ଟି କେନ୍ଦ୍ରରୁ ଧାନ କିଣିବାକୁ ପ୍ରଶାସନ ବିଚାରବିମର୍ଶ ଚଳାଇଥିବା ସୂଚନା ମିଳିଛି। ଆରଏମ୍‌ସି କର୍ମଚାରୀଙ୍କ ଜରିଆରେ ଏହି କେନ୍ଦ୍ର ପରିଚାଳିତ ହେବା ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଛି ଯୋଗାଣ ବିଭାଗ। ହେଲେ ସବୁକିଛି ପ୍ରସ୍ତାବ ସ୍ତରରେ ରହିଛି। ଆନ୍ଦୋଳନ ନ ତୁଟିଲେ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ଯୋଜନା କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ପ୍ରତିବର୍ଷ ଡିସେମ୍ବର ଶେଷ ସପ୍ତାହରୁ ଜିଲ୍ଲାରେ ଧାନ କିଣା ଶୁଭାରମ୍ଭ ହୋଇଥାଏ। ଏଥିପାଇଁ ଜିଲ୍ଲାର ୧୧୮ଟି ସୋସାଇଟିରେ ମଣ୍ତି ଖୋଲାଯାଇଥାଏ। ମାତ୍ର ଏଥର ସରକାରୀ କର୍ମଚାରୀ ମାନ୍ୟତା ଏବ˚ ସମବାୟ କର୍ମଚାରୀଙ୍କ ପାଇଁ ୧ହଜାର କୋଟିର ବଜେଟ୍‌ ବ୍ୟବସ୍ଥା ଆଦି ପାଞ୍ଚ ଦଫା ଦାବିରେ ରାଜ୍ୟ ସମବାୟ କର୍ମଚାରୀ ମହାସ˚ଘ ନଭେମ୍ବର ୧୪ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଧରି ଆନ୍ଦୋଳନରେ ବସିଥିବାରୁ ମଣ୍ତି ଖୋଲିବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ବାତ୍ୟା ‘ଜଵାଦ’ ମାଡ଼ରେ ଭୟଙ୍କର କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଉଜୁଡ଼ା କ୍ଷେତରୁ ଯାହା କିଛି ଧାନ ଅମଳ କରିବ, ତାକୁ ବିକିବାକୁ ଆଶା ଆଶଙ୍କାରେ ରହିଛି। ଗୋଟିଏପଟେ ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଏବ˚ ଅନ୍ୟପଟେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁର୍ଦ୍ଦଶା ଭିତରେ ପ୍ରଶାସନ ମଣ୍ତି ଖୋଲିବାକୁ ନେଇ ବିକଳ୍ପ ପନ୍ଥା ଆପଣାଇବାକୁ ବିଚାରବିମର୍ଶ ଚଳାଇଛି।

Advertisment

ଯୋଗାଣ ବିଭାଗ ବିକଳ୍ପ ବ୍ୟବସ୍ଥା ସ୍ବରୂପ ଜିଲ୍ଲାପାଳଙ୍କ ପାଖେ ଯେଉଁ ପ୍ରସ୍ତାବ ରଖିଛି, ସେହି ଅନୁଯାୟୀ ଚାରି ପା˚ଚଟି ଲେଖାଏ ସୋସାଇଟିକୁ ନେଇ ଗୋଟିଏ ଲେଖାଏ କେନ୍ଦ୍ର କରାଯିବ। ସେହି କେନ୍ଦ୍ରରେ ଜଣେ ଲେଖାଏ ଆରଏମ୍‌ସି କର୍ମଚାରୀ ରହିବେ। ଏହି ଅନୁସାରେ ୧୧୮ଟି ସୋସାଇଟିକୁ ୩୦ଟିକେନ୍ଦ୍ରରେ ପରିଣତ କରାଯିବ, ଯେଉଁଠୁ ଆରଏମ୍‌ସି କର୍ମଚାରୀଙ୍କ ଜରିଆରେ ଚାଷୀଙ୍କଠାରୁ ଧାନ କିଣିବାକୁ ପ୍ରସ୍ତାବ ରହିଛି। ଆବଶ୍ୟକ ପଡ଼ିଲେ ସୋସାଇଟି ନ ହେଲେ ପ˚ଚାୟତ ଅଫିସ୍‌ରେ ମଣ୍ତି ଖୋଲାଯିବାର ବ୍ୟବସ୍ଥା ବି ରହିଛି। ତେବେ ସବୁକିଛି ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ନିର୍ଭର କରୁଛି। ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ କହିଛନ୍ତି ଯେ ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଗଲେ ପୂର୍ବଭଳି ୧୧୮ମଣ୍ତିରେ ଚାଷୀ ମାନେ ଧାନ ଦେବେ। କିନ୍ତୁ ଆନ୍ଦୋଳନ ଜାରି ରହିଲେ ୩୦ଟି କେନ୍ଦ୍ରରୁ ଆରଏମ୍‌ସି କର୍ମଚାରୀଙ୍କ ଜରିଆରେ ଧାନ କିଣିବା ପାଇଁ ବିଚାରବିମର୍ଶ ଚାଲିଛି। ଆବଶ୍ୟକ ପଡ଼ିଲେ ସ୍ବୟ˚ ସହାୟକ ଗୋଷ୍ଠୀକୁ ଏଥିରେ ସାମିଲ୍‌ କରାଯିବ। କିନ୍ତୁ ଏ ସବୁ ଚୂଡ଼ାନ୍ତ ହୋଇନାହିଁ, ପ୍ରସ୍ତାବରେ ଥିବା ଶ୍ରୀ ଗନ୍ତାୟତ ସୂଚନା ଦେଇଛନ୍ତି।