ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ

ବାରିପଦା: ପବିତ୍ର ଅକ୍ଷୟ ତୃତୀୟାରେ ଜିଲ୍ଲାରେ ଅଖିମୁଠି ଅନୁକୂଳ କାର୍ଯ୍ୟ ସମ୍ପାଦିତ ହୋଇଛି। ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ପ୍ରେରଣାରେ ବାରିପଦା ନିକଟ ବାଉଁଶବିଲା ଗ୍ରାମରେ ସବୁଜ ମୟୂରଭଞ୍ଜର ଶାମାଖୁଣ୍ଟା ବ୍ଲକ ଆବାହକ କାଶୀନାଥ ସିଂଙ୍କର ଆବାହକତ୍ୱରେ ଆୟୋଜିତ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଚାଷୀ ଦିଗମ୍ବର ସିଂହ, ସୁନାରାମ ସିଂହ, ଭୈରବାନନ୍ଦ ସିଂହ, ଚନ୍ଦ୍ରଭାନୁ ସିଂହ, ବଳଦେବ ସିଂହ ଓ ଗୌରୀଶଙ୍କର ସିଂହ ପ୍ରମୁଖ କୋଭିଡ ନିୟମାନୁଯାୟୀ ପାରମ୍ପରିକ ପୂଜା ପଦ୍ଧତିରେ ପୂଜା କରିଛନ୍ତି। ପୂଜକ ନନ୍ଦୁରାମ ସିଂହ ଏହି ପୂଜା କାର୍ଯ୍ୟ କରିଥିବା ସମୟରେ ଦ୍ରୌପଦୀ ସିଂହ ସହାୟତା କରିଛନ୍ତି। ଅକ୍ଷିମୁଠି ଅନୁକୂଳ କରାଯିବା ସହ ଏବର୍ଷ ଚାଷ କାର୍ଯ୍ୟ ଭଲ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଯୁବ ନେତା ସିଦ୍ଧାର୍ଥ ପାତ୍ର, ସୁନୀଲ ସେଠି, ଅମିତ ବୈଠା ଓ ଆଶୀର୍ବାଦ ଦାସ ପ୍ରମୁଖ ଗ୍ରାମବାସୀଙ୍କୁ ସହଯୋଗ କରିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୪୨ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଜମା ଖାତାରେ ୨୦୨୧ଖରିଫ ଚାଷ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଶ୍ରୀ ମହାନ୍ତି କୃତଜ୍ଞତା ଜଣାଇବା ସହ କାଳିଆ ଯୋଜନା କୃଷି ଏବଂ କୃଷକଙ୍କର ପରିବାର ଜୀବନ ଜୀବିକା ପାଇଁ ଏକ ଆଦର୍ଶ ନମୁନା ଭାବେ ପରିଗଣିତ ହୋଇଛି ବୋଲି ବ୍ୟକ୍ତ କରିଛନ୍ତି।

Sambad

କାଳିଆ ଯୋଜନା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇବା ସହ ଏହି ଶ୍ରେଷ୍ଠ କୃଷି କଲ୍ୟାଣ ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ କ୍ଷୁଦ୍ର ନାମମାତ୍ର ଭୂମିହୀନ ଚାଷିଙ୍କ ପରିବାର ଉପକୃତ ହୋଇପାରୁଛନ୍ତି ବୋଲି କହିବା ସହ କୃଷି ଏବଂ କୃଷକଙ୍କର ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ମୟୂରଭଞ୍ଜ ଜିଲ୍ଲାରେ ମୋଟ ୪.୩୭ହଜାର ହେକ୍ଟର ଜମିରେ ଧାନ ଓ ଅଣଧାନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ତଦନୁଯାୟୀ ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ୍ସ ଓ ପଞ୍ଜିକୃତ ଘରୋଇ ବିହନ ବିକ୍ରେତାଙ୍କ ଜରିଆରେ ସମୁଦାୟ ୪୯୫୭ କୁଇଣ୍ଟାଲ ବିଭିନ୍ନ କିସମର ଧାନ ବିହନ ବିକ୍ରି ପାଇଁ ମହଜୁଦ ରଖାଯାଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର