ଜିଲ୍ଲାରେ ବଢ଼ୁଛି ଧାନ ସଂଗ୍ରହ ଅଡ଼ୁଆ: ସବୁଠି ଅସନ୍ତୋଷ, ଚାଷୀଙ୍କ ଧାନ କିଣିପାରୁନି ଯୋଗାଣ ବିଭାଗ

ଜଣେ ମାତ୍ର ଲ୍ୟାମ୍ପ୍ ଅଧିକାରୀଙ୍କୁ ନିଲମ୍ବନ କରି ଚୁପ୍ ବସିଛି ଯୋଗାଣ ବିଭାଗ

ବାରିପଦା: ମୋବାଇଲ୍କୁ ମେସେଜ୍ ଯିବ। ଅତ୍ୟାଧୁନିକ ପଦ୍ଧତିରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ଯଥେଷ୍ଟ ସମୟ ପୂର୍ବରୁ ଧାନ ସଂଗ୍ରହ ତାରିଖ ଓ ସମୟ ବିଷୟରେ ଚାଷୀଙ୍କୁ ସୂଚନା ଦିଆଯିବ। କୌଣସି ଚାଷୀଙ୍କ ଧାନ ବିକ୍ରି ନହୋଇ ରହିବ ନାହିଁ। ଧାନ ସଂଗ୍ରହ ପୂର୍ବରୁ ଏମିତି ବାହାସ୍ପୋଟ ମାରିଥିବା ଯୋଗାଣ ବିଭାଗର ପ୍ରକୃତ ବ୍ୟବସ୍ଥା କିନ୍ତୁ ମୟୂରଭଞ୍ଜରେ ଫେଲ୍ ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲ୍ଲାର ବେତନଟୀରୁ ଆରମ୍ଭ କରି ବାଙ୍ଗିରିପୋଷି। ଶ୍ୟାମାଖୁଣ୍ଟାରୁ ଆରମ୍ଭ କରି ସାରସକଣା। ସବୁଠିଁ ତେଜୁଛି ଚାଷୀ ଅସନ୍ତୋଷ। ଆରମ୍ଭରୁ କଟ୍ନି ଛଟ୍ନିକୁ ନେଇ ଉପୁଜିଥିବା ବିବାଦ ଏବେ ଚରମସୀମାରେ ପହଞ୍ଚିଛି।

ସେହିପରି ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରୁନଥିବାରୁ ହତାଶ ହୋଇପଡ଼ିଛନ୍ତି ଚାଷୀକୁଳ। ଜିଲ୍ଲାର ଏମିତି କେଉଁ ବ୍ଲକ୍ ନାହିଁ ଯେଉଁଠି ଧାନ ବିକ୍ରିକୁ ନେଇ ଅସନ୍ତୋଷ ଦେଖାଯାଇନାହିଁ। କେତେବେଳେ ଧାନ ଦେବା ନିମନ୍ତେ ଟୋକନ ପାଇଥିବା ଚାଷୀଙ୍କ ନିକଟରୁ ମଣ୍ଡିରେ ଧାନ ନିଆଯାଉ ନାହିଁ ତ’ କେତେବେଳେ ଧାର୍ଯ୍ୟ ତାରିଖରେ ଟୋକନ ମିଳିପାରୁନାହିଁ। ପୁଣି ମିଲର ଧାନ ନେଉ ନାହଁ’ କହି ଚାଷୀଙ୍କୁ ଫେରାଇ ଦିଆଯାଉଛି । ୧୦/୧୫ ଦିନ ଧରି ଧାନ ମଣ୍ଡି ବାହାରେ ଧାନ ପଡ଼ି ରହୁଛି। ଶୀତ କାକରରେ ପଡ଼ିରହୁଥିବା ଚାଷୀ କିନ୍ତୁ ଧାନ ବିକ୍ରି କରିପାରୁନାହିଁ। ସମୟ ଗଡ଼ିଯାଉଥିବାରୁ ଟୋକନ ଲ୍ୟାପ୍ସ ହୋଇଯାଉଛି। ଫଳରେ ଆଉ ଧାନ ନେଉନି ମଣ୍ଡି। ସେହିପରି ଜିଲ୍ଲାରେ କଟ୍ନି ଛଟ୍ନି ପ୍ରକ୍ରିୟା ଉତ୍କଟ ରୂପ ଧାରଣ କରିଛି। କୁଇଣ୍ଟାଲ ପିଛା ୭ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କାଟି ଦିଆଯାଉଛି। ଅଖା ବବଦରେ କୌଣସି ଅର୍ଥ ଅଥବା ଅଖା ଯୋଗାଇ ଦିଆଯାଉ ନାହିଁ। ଯାହାକି ଗରୀବ ଚାଷୀ ଏବଂ କ୍ଷୁଦ୍ର ଚାଷୀଙ୍କୁ ନିରାଶା ମଧ୍ୟକୁ ଟାଣି ନେଉଛି।

ପରିସ୍ଥିତି ଏପରି ହେଲାଣି ଯେ ଧାନ ବିକିବାକୁ ରାଜରାସ୍ତାକୁ ଓହ୍ଲାଇଛି ଚାଷୀ। ଲ୍ୟାମ୍ପ୍ସ କର୍ମଚାରୀଙ୍କ ମନମୁଖୀ କାରବାର ଏବଂ ଯୋଗାଣ ବିଭାଗ ବରିଷ୍ଠ ଅଧିକାରୀଙ୍କ ବାସ୍ତବ ଚିତ୍ରକୁ ଅଣଦେଖା ଚାଷୀଙ୍କ ପାଇଁ ସମସ୍ୟା ଆଣୁଥିବା ସାରା ଜିଲ୍ଲାରେ ଅଭିଯୋଗ ହେଉଛି। ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଜାଲିଆତି ହେଉଥିବା ଅଭିଯୋଗ ହୋଇଆସୁଛି। ପଶ୍ଚମବଙ୍ଗକୁ ବେଆଇନ ଧାନ ଚାଲଣ ହେଉଥିବାର ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି। ଏପରିକି ଏହି ଚୋରା ଚାଲଣରେ ସଂପୃକ୍ତ ଏକ ଗାଡିକୁ ମଧ୍ୟ ଜବତ କରାଯାଇଥିଲା। ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ। କେବଳ ଜଣେ ମାତ୍ର ଲ୍ୟାମ୍ପ୍ସ ଅଧିକାରୀଙ୍କୁ ନିଲମ୍ବନ କରି ଚୁପ୍ ବସିଯାଇଛି ପ୍ରଶାସନ।

ଅଥଚ ଜିଲ୍ଲାରେ ମାଳ ମାଳ ଲ୍ୟାମ୍ପ ଏବଂ ଯୋଗାଣ ବିଭାଗ ଅଧିକାରୀ, କର୍ମଚାରୀଙ୍କ ମିଲରଙ୍କ ସହିତ ମଧୁଚନ୍ଦ୍ରିକା କାରଣରୁ ଚାଷୀ ହତାଶ ହୋଇପଡ଼ିଛନ୍ତି। ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ କାହାର ମଧ୍ୟ ନଜର ନଥିବା ଭଳି ପ୍ରତୀୟମାନ ହେଉଛି। ଚଳିତ ଖରିଫ ଋତୁରେ ଜିଲ୍ଲାରୁ ପ୍ରାୟ ୯ ଲକ୍ଷ ୪୫ ହଜାର କୁଇଣ୍ଟାଲ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏନେଇ ଜିଲ୍ଲାରେ ୫୨ଟି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ), ଲ୍ୟାମ୍ପସ୍ ଜରିଆରେ ୧୦୦ଟି ଧାନ ସଂଗ୍ରହ କେନ୍ଦ୍ର(ମଣ୍ଡି) ଖୋଲାଯାଇଥିଲା। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମୂଲ୍ୟ ଯଥାକ୍ରମେ ଏଫ୍ଏକ୍ୟୁ ଗ୍ରେଡ ଏ ଧାନ ପାଇଁ କୁଇଣ୍ଟାଲ ପ୍ରତି ୧୮୮୮ଟଙ୍କା ଏବଂ ସାଧାରଣ ଏଫଏକ୍ୟୁ ମାନ ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି୧୮୬୮ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନ କଳାବଜାରୀ ଏବଂ ଚୋରା ଚାଲଣ ରୋକିବା, ଦଲାଲଗିରି ବନ୍ଦ କରିବା ନିମନ୍ତେ ଏକାଧିକ ସ୍କ୍ବାର୍ଡ ଗଠନ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ମଣ୍ଡିରୁ କିଣାଯାଇଥିବା ଧାନ ଉଠାଇବାକୁ ମିଲରମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହା କେବଳ କାଗଜ କଲମ ସିମୀତ ରହିଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଦଲାଲ ଓ ମିଲରମାନଙ୍କ ସଲାସୁତୁରାରେ ଧାନ ମଣ୍ଡିରେ ଧାନ କିଣା ଯାଉଛି । ପରୋକ୍ଷରେ ଚାଷୀମାନେ କୁଇଣ୍ଟାଲ୍ ପିଛା ୧୨/୧୩ ଶହ ଟଙ୍କାରେ ଦଲାଲଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଆଉ ଏହା ପଛରେ ଲ୍ୟାମ୍ପ୍ ଏମ୍ଡି ଏବଂ କର୍ମଚାରୀମାନେ ପ୍ରମୁଖ ଭୂମିକା ନେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅଥଚ ଜିଲ୍ଲା ପ୍ରଶାସନ ଏବଂ ଯୋଗାଣ ବିଭାଗର ନିଷ୍କ୍ରିୟତା ଚାଷୀଙ୍କୁ ହତାଶା ମଧ୍ୟକୁ ଠେଲିଦେଇଛି। ମୟୂରଭଞ୍ଜରେ ଧାନ ସଂଗ୍ରହ ଏକପ୍ରକାର ଫେଲ୍ ମାରିଥିବା ଅଭିଯୋଗ ହୋଇଛି। ଧାନ ସଂଗ୍ରହ ଦୁର୍ନୀତିରେ ସାମିଲ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ଅନ୍ୟ ଜିଲ୍ଲା ଭଳି କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ନଚେତ ଆଗାମୀ ଦିନରେ ଚାଷୀ ଅସନ୍ତୋଷ ସରକାରଙ୍କୁ ଅଡ଼ୁଆରେ ପକାଇପାରେ ବୋଲି କୃଷକମାନେ ଚେତାଇଦେଇଛନ୍ତି।

ସମ୍ବନ୍ଧିତ ଖବର