ବାରିପଦା: ବକେୟା ଦରମା ପ୍ରଦାନ ଦାବିରେ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ୪୦୪ ପିଏଜି କର୍ମୀମାନଙ୍କ ଗଣଧାରଣା ଦ୍ୱିତୀୟ ଦିନରେ । ମୟୂରଭଞ୍ଜ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଶୀତ, କାକରରେ ଖୋଲା ଆକାଶ ତଳେ ନିଜର ଝାଳବୁହା ପାରିଶ୍ରମିକ ପାଇବା ନିମନ୍ତେ ଆନ୍ଦୋଳନ ଚଳାଇଛନ୍ତି ।
୨୦୧୮ଠାରୁ ଆର୍ଯ୍ୟଭଟ୍ଟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ନାମକ ଏକ ଠିକା ସଂସ୍ଥା ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ୪୦୪ଟି ଗ୍ରାମ ପଞ୍ଚାୟତରେ ସରକାରଙ୍କ ୧୩ ସୂତ୍ରୀ କାର୍ଯ୍ୟକ୍ରମରେ କାର୍ଯ୍ୟ କରିବା ନିମନ୍ତେ ମାସିକ ୩ ହଜାର ଟଙ୍କା ବେତନରେ ଏମାନଙ୍କୁ ନିଯୁକ୍ତି ମିଳିଥିଲା ।
ସରକାରଙ୍କ ବିଭିନ୍ନ ଯୋଜନାରେ ଜନସାଧାରଣଙ୍କୁ ଯୋଡ଼ିବା ଭଳି ବିଭିନ୍ନ ଜନହିତକର କାର୍ଯ୍ୟ କରିବା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏମାନଙ୍କୁ ଠିକା ନେଇଥିବା ଆର୍ଯ୍ୟଭଟ୍ଟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ସଂସ୍ଥା ନିଯୁକ୍ତି ଦେଇଥିଲା । ହେଲେ ୨୦୧୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୫ ମାସର ଦରମା ମିଳିଥିବା ବେଳେ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିଲେ ମଧ୍ୟ ଦରମା ମିଳିପାରି ନାହିଁ ।
ନିଜର ହକ୍ ପାଇବା ପାଇଁ ଜିଲ୍ଲାରେ କାର୍ଯ୍ୟ କରିଥିବା ୪୦୪ ପିଏଜି କର୍ମୀ ଆର୍ଯ୍ୟଭଟ୍ଟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ସଂସ୍ଥାର ଏମଡ଼ିଙ୍କଠାରୁ ଆରମ୍ଭ କରି ମୟୂରଭଞ୍ଜ ଜିଲ୍ଲାପାଳ ପ୍ରମୁଖଙ୍କ ନିକଟରେ ବିଭିନ୍ନ ସମୟରେ ଗୁହାରୀ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ଏମାନେ ଚଳିତ ଥରକୁ ମିଶାଇ ୩ ଥର ଗଣଧାରଣାରେ ବସିଛନ୍ତି ।
ପୂର୍ବରୁ ୩ ଥର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ୪୦୪ ପିଏଜି କର୍ମୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଗତ ଡିସେମ୍ବର ୧୧ ଧାରଣାରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ିସେମ୍ବର ୩୧ ମଧ୍ୟରେ ବକେୟା ପ୍ରାପ୍ୟ ମିଳିବାର ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ପିଏଜିମାନଙ୍କୁ କାଣି କଉଡ଼ିଟିଏ ନ ମିଳିବାରୁ ସେମାନେ ଫେବୃଆରୀ ୧ରୁ ୩ୟ ଥର ଗଣଧାରଣାରେ ବସିବାକୁ ବାଧ୍ୟ ହୋଇଛନ୍ତି ଏବଂ ଚଳିତ ଥର ବକେୟା ପାଉଣା ନ ମିଳିବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ।
ଗାଣତାନ୍ତ୍ରିକ ପଦ୍ଧତିରେ ଦିବା ରାତ୍ର ୨୪ ଘଣ୍ଟା ଖୋଲା ଆକାଶ ତଳେ ଧାରଣା ଜାରି ରହିବ । ଏଥି ନିମନ୍ତେ ଯଦି ଜୀବନ ଚାଲି ଯାଏ ତେବେ ସେମାନେ ଜୀବନ ଦେବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ପିଏଜି ସଂଘର ସଭାପତି ରାମ ଟୁଡ଼ୁ ପ୍ରକାଶ କରିଛନ୍ତି । ଆଜିର ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଖଗେଶ୍ୱର କବି, ରବି ନାରାୟଣ ସାହୁ, ଗୁପ୍ତେଶ୍ୱର ପାତ୍ର, ଦୁଷ୍ମନ୍ତ ମୁର୍ମୁ, ପୂର୍ଣ୍ଣ ଚନ୍ଦ୍ର ନାଏକ, ବିଶ୍ୱଜିତ ମହାପାତ୍ର ପ୍ରମୁଖ ଶତାଧିକ ପିଏଜି କର୍ମୀମାନେ ଧାରଣାରେ ବସିଛନ୍ତି ।