ମୟୂରଭଞ୍ଜ: ପାହାଡି ପୂଜାରେ ଦେବୀ ପୀଠ ରକ୍ତ ରଂଜିତ, ୮ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାବେଶ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ କୁମ୍ଭାରମୁଣ୍ଡାକଟା ଓ କଳାବାଡିଆ ଫଚାୟତ ସୀମାରେ ଅବସ୍ଥିତ ମା’ ଆମ୍ବିଳିପାଟ ଦେବୀଙ୍କ ପାହାଡି ଅବସ୍ଥିତ। ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଆମ୍ବିଳିପାଟ ଦେବୀଙ୍କ ପାଇଁ ଆଯୋଜିତ ପାହାଡି ପୂଜାରେ ଆଠ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ଜନ ସମାବେଶ ହୋଇଥିଲା।

ଚଳିତ ବର୍ଷ ମଧ୍ୟ ପଶୁ ବଳିରେ ଦେବୀପୀଠ ରକ୍ତ ରଂଜିତ ହୋଇ ଥିଲା। ଶତାଧିକ ଛେଳି ଓ କୁକୁଡ଼ା ବଳି ଦିଆଯାଇଥିଲା। ବାଇଶମୌଜା ଅଧିଷ୍ଠିତ ଦେବୀ ମା’ ଆମ୍ବିଳିପାଟ ଦେବୀ କେଉଁ ଆବାହ କାଳରୁ ଏହି ପାହାଡିରେ ପୂଜା ପାଉଛନ୍ତି। ସଂକ୍ରାନ୍ତି ଓ ପୁର୍ଣ୍ଣିମାରେ ଦେବୀ ଏହି ପାହାଡିରେ ପୂଜା ପାଉଥିବା ବେଳେ ଅନ୍ୟ ଦିନରେ ଦେବୀ ଜଗନ୍ନାଥଖୁଣ୍ଟା ଗ୍ରାମରେ ଥିବା ପୀଠରେ ପୂଜା ପାଇଥାନ୍ତି।

ରଜ ସଂକ୍ରାନ୍ତି ଦିନ ପ୍ରଥମେ ବ୍ରାହ୍ମଣ ପୂଜା ଅର୍ଚ୍ଚନା ପରେ ଦେହୁରୀ ମା’ଙ୍କ ପୂଜା କରିବା ସହିତ ବଳି ଦେଉଥିବାର ଦେଖିବାକୁ ମିଳିଛି। ଯିଏ ଯାହା ମନାସି ଥାଏ ମା’ ପାଖରେ ନିଶ୍ଚିତ ମାନସିକ ପୂରଣ ହୁଏ ବୋଲି ଭକ୍ତ ମାନଙ୍କର ମନରେ ଦୃଢ ବିଶ୍ୱାସ ଥାଏ। ତେବେ ପଶୁବଳିକୁ ରୋକିବା ପାଇଁ କେହି ମଧ୍ୟ ଆଜି ପର୍ଯ୍ୟନ୍ତ ସାହସ କରିନାହାନ୍ତି। ତେବେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଝିପି ଝିପି ବର୍ଷା ଭକ୍ତ ମାନଙ୍କ ମନ ଜିଣି ନେଇଥିଲା।

ସମ୍ବନ୍ଧିତ ଖବର