ରଜରେ ପୁରପଲ୍ଲୀ ପୁଲକିତ: ପାନ, ରଜପିଠାର ମହକ, ରଜଦୋଳି ଗୀତ

ବ୍ୟାସନଗର: ଅସହ୍ୟ ଗୁଳୁଗୁଳି ସତ୍ତ୍ବେ  ରଜପର୍ବ ବେଶ୍‌ ଜମିଛି। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି ପହିଲି ରଜ। ଘରେଘରେ ପୋଡ଼ପିଠା ଓ ମାଂସ ତରକାରିର ବାସ୍ନା। ସବୁଠି ଆନନ୍ଦ ଓ ଉତ୍ସାହ। ଘରେଘରେ ପିଠାପଣା ସାଙ୍ଗକୁ ଦୋଳିଖେଳ। ଛୋଟ ପିଲା ଓ ଝିଅମାନେ ସବୁଠୁ ଅଧିକ ଖୁସି ଥିଲେ। ନୂଆ ଜାମା, ପ୍ୟାଣ୍ଟ ପିନ୍ଧିବା ସହ ପାଟିରେ ପାନ ଜାକି କିଏ କେଉଁଠି ଦୋଳି, ପୁଚି ଖେଳୁଥିଲେ ତ ଆଉ କିଏ ସିନେମା ଦେଖିବାର ମଜା ନେଇଥିଲେ। ଏପରିକି ଅନେକ ଲୋକ ଘରେ ରହି ଲୁଡୁ, ତାସ୍, ଖେଳି ସମୟ ଅତିବାହିତ କରିଥିଲେ। ପ୍ରତ୍ୟେକ ଗାଁ’ମୁଣ୍ଡ ବରଗଛ, ଆମ୍ବଗଛରେ ଲାଗିଥିବା ବାଉଁଶ ଦୋଳି, ଚକିରି ଦୋଳି ନିକଟରେ ସକାଳୁ ସନ୍ଧ୍ୟା ଭିଡ଼ ଲାଗିଥିଲା। ରଜ ଦୋଳି କଟମଟ ଗୀତରେ ପୁରପଲ୍ଲୀ କମ୍ପଥିଲା। ସେହିପରି ଅନେକ ସ୍ଥାନରେ କବାଡ଼ି ପ୍ରତିଯୋଗିତା ହୋଇଥିଲା। ଉଭୟ ମହିଳା ଓ ପୁରୁଷ ଦଳ ଏଥିରେ ଭାଗ ନେଇଥିଲେ। ଗାଁ’ମୁଣ୍ଡ ବରଗଛଠାରୁ ଆରମ୍ଭ କରି କ୍ଲବ, ମଣ୍ଡପ, ଠାକୁରଘର ବାରଣ୍ଡା, ସ୍କୁଲ ଘର ବରଣ୍ଡା ଆଦି ସ୍ଥାନରେ ତାସ୍, ଲୁଡୁ, ଚେସ୍ ଆଦି ଖେଳର ଆସର ଜମିଥିଲା।
ପହିଲି ରଜରେ ନୂଆ ବୋହୂମାନଙ୍କ ସଜବାଜ ହୋଇଥିଲା। ନୂଆ ଶାଢ଼ି, ସିନ୍ଦୂର, ଅଳତା, ମେହେନ୍ଦି ଲଗାଇ ସଜେଇ ହୋଇଥିଲେ। ଝିଅ ଓ ସାଙ୍ଗସାଥୀଙ୍କ ସହିତ ନୂଆ ବୋହୂମାନେ ସମୟ କାଟି ପ୍ରଥମ ରଜର ଅନୁଭବ ସାଉଁଟିଥିଲେ।
ସେହିପରି ପହିଲି ରଜ ଶୁକ୍ରବାର ପଡ଼ିଥିବାରୁ ଆମିଷପ୍ରେମୀମାନେ ଏହି ଦିନକୁ ହାତଛଡ଼ା କରିନାହାନ୍ତି। ସକାଳୁ ମାଛମାଂସ ଦୋକାନରେ ଭିଡ଼ ଜମିଥିଲା। ମାଛ, ଚିକେନ୍, ଅଣ୍ଡା ଅଧିକ ବିକ୍ରି ହୋଇଥିଲେ ମଧ୍ୟ ଖାସି ମାଂସର ଚାହିଦା ଅଧିକ ଥିଲା। ଚାହିଦା ଦେଖି ବେପାରୀ ଦର ବଢ଼ାଇଥିବା ଲକ୍ଷ୍ୟ କରାଯାଇଥିଲା। ଦିନ ୧୧ ଟା ବାଜୁବାଜୁ ମାଂସ ମିଳିନଥିଲା।
ରଜ ଅବସରରେ ଗାଁଠାରୁ ଆରମ୍ଭକରି ବଜାରରେ ଥିବା ପାନ ଦୋକାନରେ ସ୍ପେଶାଲ ରଜପାନ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ସର୍ବନିମ୍ନ ୧୦ ଟଙ୍କାରୁ ଆରମ୍ଭ କରି ୨ ଶହ ଟଙ୍କାଯାଏ ପାନ ବିକ୍ରି ହୋଇଛି। ଗାଁଗହଳିରେ ୨୦ ଟଙ୍କା ପର୍ଯ୍ୟନ୍ତ ପାନ ବିକ୍ରି ହେଉଥିଲା। ଷ୍ଟ୍ରବେରି, ଚକୋଲେଟ୍ ଆଦି ସ୍ଵାଦର ପାନ ବିକ୍ରି ହେଉଛି। ସହରରେ ରାଧାନାଥ ମାର୍ଗ ନୀଳଚକ୍ର ପାନ ଦୋକାନରେ ଆଜି ୨୫ ହଜାର ଟଙ୍କାରେ ପାନ ବିକ୍ରି ହୋଇଛି। ଗୋପବନ୍ଧୁ ଛକରେ ଥିବା ଚକାଡୋଳା ପାନଦୋକାନରେ ରଜପାନ ପାଇଁ ଦିନ ତମାମ ଗହଳି ଲାଗିଥିଲା। ଗୋଟିଏ ଦିନରେ ପାଖାପାଖି ୫୦ ହଜାର ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର