୩ ଦିନରୁ ୩୦ ଦିନ ବିତିଲା, ମୁକୁଳି ପାରିଲାନି ପାଇକ ସ୍ମାରକୀ ଜମି

ଖୋର୍ଦ୍ଧା : ବରୁଣେଇ ଠାରେ ପ୍ରସ୍ତାବିତ ପାଇକ ସ୍ମାରକୀ ପାଇଁ ଯେଉଁ ଜମି ରାଜ୍ୟ ସରକାର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ସେହି ଜମି ଏଯାଏଁ ମୁକୁଳି ପାରିନାହିଁ  । ଉକ୍ତ ଜମି ଉପରୁ କବଜା ହଟାଇବାକୁ  ଗତ ମାସରେ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜମି ଜବରଦଖଲ କରିଥିବା ଶିଳ୍ପାନୁଷ୍ଠାନକୁ ୩ ଦିନିଆ ମହଲତ ଦେଇଥିଲେ । ଏହା ମଧ୍ୟରେ ପ୍ରାୟ ୩୦ ଦିନ ବିତିଯାଇଛି କିନ୍ତୁ ଜମି ମୁକୁଳାଯାଇପାରିନାହିଁ ।

ଜାନୁଆରୀ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଜବର ଦଖଲ ଅଂଚଳକୁ ଯାଇଥିଲେ । ଜମି ଜବର ଦଖଲ କରିଥିବା ବ୍ରିଟାନିଆ ଓ ଟାଇଟ୍ ଇଂଜିନିୟରିଂ କଲେଜକୁ ଜବରଦଖଲ କରି ରଖିଥିବା ଜମି ନିଜଆଡ଼ୁ ଖାଲି କରିବାକୁ ୩ ଦିନ ସମୟ ଦେଇଥିଲେ । ଏହି ସମୟରେ ତହସିଲଦାର ପଦ୍ମଚରଣ ସାହୁ କହିଥିଲେ ଯେ ସେମାନଙ୍କୁ ୩ ଦିନ ସମୟ ଦିଆଯାଇଛି । ଯଦି ସେମାନେ ଜବରଦଖଲ ଅଂଚଳ ଖାଲି ନକରନ୍ତି ତେବେ ପ୍ରଶାସନ ଡୋଜର ଲଗାଇ ହଟାଇବାକୁ ବାଧ୍ୟ ହେବେ । ଏହା ସହ ଜମି ମୁକୁଳାଇ ଆସନ୍ତା ୧ ମାସ ମଧ୍ୟରେ ସଂସ୍କୃତି ବିଭାଗକୁ ହସ୍ତାନ୍ତର କରାଯିବ ।

ତେବେ ପ୍ରଶାସନର ଏଭଳି କଡ଼ା ଆଭିମୁଖ୍ୟରୁ ଆଶା କରାଯାଉଥିଲା ଯେ ଗତ ୧ ବର୍ଷ ଧରି ମୁକୁଳି ପାରିନଥିବା ଜମି ମୁକୁଳି ଆସିବ । କିନ୍ତୁ ଏହା ମଧ୍ୟରେ ୨୬ ଦିନ ବିତିଯାଇଛି, କିନ୍ତୁ ପ୍ରଶାସନର ପଦକ୍ଷେପ ନୋଟିସ୍ ଦିଆରେ ସୀମିତ ରହିଯାଇଛି । ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ୧୦ ଏକର ଜମି ଦେବା ପାଇଁ ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଘୋଷଣା ପରେ ୨୦୧୯ ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତି, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ତେବେ ପରବର୍ତୀ ସମୟରେ ୧୦ ଏକର ବଦଳରେ ପ୍ରଶାସନ ୯ ଏକର ୬୮୫ ଡେସିମଲ ଜମି ଯୋଗାଇ ଦେବାକୁ ସ୍ଥିର ହୋଇଥିଲା । ଏହି ଜମିରୁ ପ୍ରାୟ ଦେଢ଼ ଏକର ଜମି ଚତୁର୍ପାଶ୍ୱରେ ଥିବା ଶିଳ୍ପାନୁଷ୍ଠାନ ଓ ଘରୋଇ ଶିକ୍ଷାନୁଷ୍ଠାନର ଜବର ଦଖଲରେ ରହିଥିଲା । କିନ୍ତୁ ଏହା ମଧ୍ୟରେ ୧୪ ମାସ ବିତିଯାଇଛି କିନ୍ତୁ ଉକ୍ତ ଜମି ପାଇକସ୍ମାରକୀ ନିର୍ମାଣ ପାଇଁ ହସ୍ତାନ୍ତର ହୋଇପାରିନାହିଁ ।

ଏବେ ପାଇକ ସ୍ମାରକୀ ବିଳମ୍ବ ନେଇ ଜିଲ୍ଲାର ବିଭିନ୍ନସଂଗଠନ ପ୍ରଶ୍ନ ଉଠାଇଛନ୍ତି ଯେ ପାଇକ ସ୍ମାରକୀ ପାଇଁ ଯେଉଁ ଜମି ଦେବାକୁ ଘୋଷଣା କରିଥିଲେ ତାକୁ କିଭଳି ଜବରଦଖଲ ମୁକ୍ତ କରାନଯାଇ ରାଷ୍ଟ୍ରପତିଙ୍କ ଦ୍ୱାରା ଭିତ୍ତିଭୂମି ସ୍ଥାପନ କରାଗଲା । ଯଦି ଭିତ୍ତିପ୍ରସ୍ତର ସ୍ଥାପନ ହେଲା, ଗତ ୧ବର୍ଷ ଧରି ପ୍ରଶାସନ ଜବରଦଖଲ କାହିଁକି ଓ କେଉଁ ଚାପରେ ପଡ଼ି ଜମିକୁ ମୁକୁଳାଇପାରୁନାହିଁ ।

ଏନେଇ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆଙ୍କ ସହ ଯୋଗାଯୋଗ କରିବାରେ ସେ କହିଲେ ତହସିଲଦାରଙ୍କ ସହ ଯୋଗାଯୋଗ କରି ତଥ୍ୟ ନିଅନ୍ତୁ । ତେବେ ତହସିଲଦାରଙ୍କ ସହ ଯୋଗାଯୋଗ ହୋଇନପାରିବାରୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ କୁମାର ଦାସପଟ୍ଟନାୟକଙ୍କ ସହ ଏନେଇ ପଚାରାଯାଇଥିଲା । ସେ କହିଛନ୍ତି ଯେ ଆଜି ଏନେଇ ତହସିଲଦାର ଜମି ମୁକୁଳାଇବାନେଇ ରିପୋର୍ଟ ଦେବା ଆଶା ରହିଛି । ରିପୋର୍ଟ ମିଳିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

ସମ୍ବନ୍ଧିତ ଖବର