ପାଇକ ସ୍ମାରକୀ ଜବରଦଖଲ ମାମଲା: ଜବରଦଖଲକାରୀଙ୍କୁ ୩ ଦିନ ମହଲତ, ତା’ପରେ ପ୍ରଶାସନ ହଟାଇବ ଜବରଦଖଲ

ଖୋର୍ଦ୍ଧା: ରାଷ୍ଟ୍ରପତିଙ୍କ ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ୧ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରସ୍ତାବିତ ପାଇକ ସ୍ମାରକୀସ୍ଥଳରୁ ଜବରଦଖଲ ହଟାଯାଇପାରିନାହିଁ କି ନିର୍ମାଣକାର୍ଯ୍ୟ ଆଗେଇ ପାରିନାହିଁ । ପାଇକସ୍ମାରକୀ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ଓ ନିୟମିତ ବ୍ୟବଧାନରେ ସ୍ମାରକପତ୍ର ଦିଆଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିଲା । ଶେଷରେ ଆଜି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଆଜି ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜମିର ମାପଚୁପ କରାଯିବା ସହ ଜବରଦଖଲକାରୀଙ୍କୁ ନୋଟିସ୍ ଦିଆଯାଇଛି । ୩ ଦିନ ମଧ୍ୟରେ ଜବରଦଖଲ ନ ହଟାଇଲେ ପ୍ରଶାସନ ନିଜଆଡ଼କୁ ହଟାଇବ ବୋଲି ଚରମବାଣୀ ଶୁଣାଇଛି ।

ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ । ଏହାର ୨୦୦ବର୍ଷ ପୂର୍ତି ଅବସରରେ ଐତିହାସିକ ବରୁଣେଇ ପାହାଡ଼ ତଳେ ପାଇକ ସ୍ମରକୀ ନିର୍ମାଣ କରିବାକୁ ୨୦୧୯ ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାମଧ୍ୟରେ ୧ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ସ୍ଥଳକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରାଯାଇପାରିନାହିଁ କି ନିର୍ମାଣ ପାଇଁ ହସ୍ତାନ୍ତର କରାଯାଇନାହିଁ ।

ସୂଚନାନୁସାରେ, ବରୁଣେଇ ପ୍ରସ୍ତାବିତ ପାଇକ ସ୍ମାରକୀ ପାଇଁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ୧୦ ଏକର ଜମି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ବର୍ତମାନ ମୋଟ ୯ ଏକର ୬୮୫ ଡେସିମଲ ସ୍ଥାନରୁ ପ୍ରାୟ ଅଧା ଏକର ବ୍ରିଟାନିଆ ଓ ଟାଇଟ୍ କଲେଜ୍ ଅଧୀନରେ ରହିଛି । ଆଜି ସକାଳେ ଜିଲ୍ଲାପାଳ ସନତ କୁମାର ମହାନ୍ତି, ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ, ତହସିଲଦାର ପଦ୍ମଚରଣ ସାହୁ ପ୍ରସ୍ତାବିତ ସ୍ଥଳରେ ପହଂଚି ମାପଚୁପ କରିବା ସହ ଚିହ୍ନ ଦେଇଥିଲେ ।

ଏନେଇ ତହସିଲଦାର ଶ୍ରୀ ସାହୁ କହିଛନ୍ତି ଯେ ପୂର୍ବେ ସେମାନଙ୍କୁ ଡିମାରକେସନ୍ ପାଇଁ ଟାଇଟ୍ ଓ ବ୍ରିଟାନିଆ କମ୍ପାନୀକୁ ନୋଟିସ୍ ଜାରି କରାଯାଇଥିଲା । କିନ୍ତୁ ଏନେଇ ସେମାନେ କୌଣସି ପ୍ରତ୍ୟୁତ୍ତର ଦେଇ ନଥିଲେ । ଆଜି ପୁଣି ଅଂଚଳର ମାପଚୁପ କରାଯାଇଛି । ସେମାନଙ୍କୁ ୩ ଦିନର ମହଲତ ଦିଆଯାଇଛି । ଯଦି ଏହି ସମୟ ମଧ୍ୟରେ ସେମାନେ ନିଜର ଅବୈଧ କବ୍ଜା ନହଟାଇବେ ତେବେ ପ୍ରଶାସନ ସେଗୁଡ଼ିକୁ ହଟାଇବ । ଆସନ୍ତା ୧ ମାସ ମଧ୍ୟରେ ସଂପୂର୍ଣ୍ଣ ସ୍ଥାନକୁ ମୁକ୍ତ କରାଯାଇ ସଂସ୍କୃତି ବିଭାଗକୁ ହସ୍ତାନ୍ତର କରାଯିବ ।

ସମ୍ବନ୍ଧିତ ଖବର