ପାଇକ ସ୍ମାରକୀ ନିର୍ମାଣ ଅଚଳାବସ୍ଥା ନେଇ ପାଇକ ସଂଗଠନର କ୍ଷୋଭ

ଖୋର୍ଦ୍ଧା: ଐତିହାସିକ ବରୁଣେଇ ପାହାଡ଼ ପାଦ ଦେଶରେ ନିର୍ମାଣ ହେବାକୁ ଥିବା ପାଇକ ସ୍ମାରକୀର ଅଚଳାବସ୍ଥା ନେଇ ଆଜି କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ଏକ ପ୍ରତିନିଧି ଦଳ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଟଣୀ ଅରୁଗୁଳ ଆଇଆଇଟିଠାରେ ଭେଟିଛନ୍ତି । ରାଷ୍ଟ୍ରପତିଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ଇତିମଧ୍ୟରେ ପ୍ରାୟ ୪ ବର୍ଷ ହେବାକୁ ବସିଛି, କିନ୍ତୁ ଏଯାଏଁ କାମ ଆରମ୍ଭ ହୋଇପାରିନଥିବାରୁ ସଂଗଠନ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଥିଲା ।

ସଂଗଠନର ମୁଖ୍ୟ ସଂଚାଳକ ଇଂ ଶିଶିର କୁମାର ନାୟକ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ସରକାର ୫୦ଏକର ଜାଗା ମାଗିଥିଲେ । ରାଜ୍ୟ ସରକାର ୯ ଏକର ୬୫୮ ଡେସିମିଲ ଜମି ପ୍ରଦାନ କରିଛନ୍ତି । ଏହି ଜମି କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗକୁ ହସ୍ତାନ୍ତର ହୋଇନାହିଁ । ହୋଇଥିଲେ କାମ ଆରମ୍ଭ ହୋଇସାରନ୍ତାଣି । ମନ୍ତ୍ରୀ ନିର୍ମାଣ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ଫୋନ୍ ଯୋଗେ ସେଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିଛନ୍ତି । ଏହାକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଆଲୋଚନାରେ କଳିଙ୍ଗ ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରବକ୍ତା ସୁରଥ ବିଶ୍ୱାଳ, ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ମୁଖ୍ୟ ଉପଦେଷ୍ଟା ସତ୍ୟବାଦୀ ବଳିଆରସିଂହ ଓ ପିଣ୍ଡିକ ବାହୁବଳେନ୍ଦ୍ର ସ୍ମୃତି କମିଟି ସଂପାଦକ ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର