ଭଙ୍ଗାଗଲା ପାଇଲ୍‌ ଫୁଟ୍‌ବ୍ରିଜ୍‌, ପାଇଲିଂ ନ ଭାଙ୍ଗି ସ୍ଥାନ ପରିବର୍ତ୍ତନ ମସୁଧା !

କେନ୍ଦ୍ରାପଡା/ ରାଜନଗର: ରାଜନଗର ବ୍ଲକ ଘଡିଆମାଳ ପଂଚାୟତ ଦାରୁଓରା ନିକଟରେ ଡ୍ରେନ ଉପରେ ନିର୍ମାଣାଧୀନ ପାଇଲ୍‌ ଫୁଟ ବ୍ରିଜ୍‌ ଭଙ୍ଗାଯିବା କାମ ଶେଷ ହୋଇଛି। ବେସ୍‌ ଢଳେଇ ଓ ବିମ୍‌କୁ ଭାଙ୍ଗି ଦିଆଯାଇ ରଡ୍‌ ବାହାର କରି ଦିଆଯାଇଛି। ମାତ୍ର ପାଇଲିଂକୁ ଆଜିଯାଏ ଭଙ୍ଗା ଯାଇନାହିଁ। ପାଇଲିଂ ଭଙ୍ଗା ଗଲେ ଅନ୍ୟ ସେତୁ ଗୁଡ଼ିକରେ ହୋଇଥିବା ଦୁର୍ନୀତି ଧରା ପଡିଯିବାର ଭୟ ଥିବାରୁ ସେଠାରେ ପାଇଲିଂ ନ ଭାଙ୍ଗି ସେମିତି ଛାଡି ଦେଇ ଅନ୍ୟ ସ୍ଥାନରେ ପାଇଲ୍‌ ଫୁଟ ବ୍ରିଜ ନିର୍ମାଣ ପାଇଁ ମସୁଧା ଆରମ୍ଭ ହୋଇଛି। ଏ ସଂପର୍କରେ ଡ୍ରେନେଜ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନଥିଲେ ମଧ୍ୟ ସେହି ସ୍ଥାନ ପରିବର୍ତ୍ତେ ଅନ୍ୟ ସ୍ଥାନରେ ପାଇଲ୍‌ ଫୁଟ୍‌ ବ୍ରିଜ ନିର୍ମାଣ ପାଇଁ ସମସ୍ତ ବ୍ୟବସ୍ଥା ସରିଛି। ସେଥିପାଇଁ ସେଠାରୁ ଠିକାଦାର ସମସ୍ତ ନିର୍ମାଣ ସାମଗ୍ରୀ, ସେଣ୍ଟ୍ରିଂ ପଟା ଆଦି ଅନ୍ୟ ସ୍ଥାନକୁ ଉଠାଇ ଦେଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହି ସ୍ଥାନରେ ପାଇଲ୍‌ ଫୁଟ ବ୍ରିଜର ଆବଶ୍ୟକତା ଥିବା ବେଳେ ଅନ୍ୟ ସ୍ଥାନକୁ କାହିଁକି ସ୍ଥାନାନ୍ତର ହେବ ସେ ନେଇ ପ୍ରଶ୍ନ ଉଠିଛି। ଏହାବାଦ ୧୯ଟି ପାଇଲିଂ ପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ହୋଇଛି। ଯଦି ୧୯ଟି ପାଇଲିଂ ୬ମିଟର ଗଭୀର ଯାଏ ହୋଇଛି। ତେବେ ସେଠାରେ ପାଇଲ ଫୁଟ ବ୍ରିଜ ହେବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ୬ ମିଟର ବଦଳରେ ୨/୩ ମିଟର ଲେଖାଏ ପାଇଲିଂ କରାଯାଇଛି। ଅଳ୍ପ କେତୋଟି ଜାଗାରେ ୬ ମିଟର ପାଇଲିଂ କରାଯାଇଥିବା ବେଳେ ଅନ୍ୟ ସବୁ ୨ ରୁ ୩ ମିଟର ଯାଏ ପାଇଲିଂ କରାଯାଇଛି। ବ୍ରିଜ୍‌ ନିକଟରେ ବିଧାୟକଙ୍କ ଉପସ୍ଥିତିରେ ଡ୍ରେନେଜ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବାଙ୍କ ବିହାରୀ ସାମଲ ନିର୍ମାଣାଧୀନ ପୋଲକୁ ଭାଙ୍ଗି ଆଉ ଥରେ ନିର୍ମାଣ ହେବ। ଏହାବାଦ୍‌ ଲୋକେ ଯେଉଁ ପାଇଲିଂ କହିବେ, ସେ ପାଇଲିଂ ମଧ୍ୟ ତଡା ହେବ। ବ୍ୟବହୃତ ପିଏସପିଏଲ ରଡ୍‌ ବଦଳରେ ଟାଟା ରଡ୍‌ ବ୍ୟବହାର ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ମାଣ ହୋଇଥିବା ବେସ୍‌ ଓ ବିମ୍‌ ଢଳେଇ ଭାଙ୍ଗି ରଡ୍‌ ବାହାର କରିଦିଆଯାଇଛି। ‌ଲୋକେ ଅଭିଯୋଗ କରିଛନ୍ତି ଯେ, ଯଦି ପାଇଲିଂ ଭଙ୍ଗାଯାଏ ତେବେ ବିଭାଗରେ ଚାଲିଥିବା କେଳେଙ୍କାରୀ ସାମ୍ନାକୁ ଚାଲି ଆସିବ। ନିୟମ ଅନୁସାରେ ପାଇଲିଂ ସମୟରେ କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଉପସ୍ଥିତ ରହିବେ। ଯନ୍ତ୍ରୀଙ୍କ ଉପସ୍ଥିତିରେ ପଡିଥିବା ପାଇଲିଂର ଲମ୍ବ କମିଥିଲା କିପରି ବୋଲି ପ୍ରଶ୍ନ ଉଠିବ। ଯଦି ଦାରୁଓରା ପାଇଲ ଫୁଟ ବ୍ରିଜରେ ପାଇଲିଂରେ ଦୁର୍ନୀତି ବାହାରେ ଲୋକେ ନିର୍ମାଣ ହୋଇଥିବା ଅନ୍ୟ ପାଇଲ ଫୁଟବ୍ରିଜକୁ ନେଇ ପ୍ରଶ୍ନ ଉଠାଇବେ ଓ ବିଭାଗ, ଠିକାଦାର ଓ ଯନ୍ତ୍ରୀ ଅଡୁଆରେ ପଡିବେ। ଯନ୍ତ୍ରୀ ଓ ଠିକାଦାରଙ୍କୁ ସୁରକ୍ଷା ଦେବା ପାଇଁ ଦାରୁଓରା ଠାରେ ନିର୍ମାଣଧିନ ପାଇଲିଂ ଫୁଟ ବ୍ରିଜର ସ୍ଥାନ ପରିବର୍ତନ ପାଇଁ ମସୁଧା ହୋଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର