ସହରୀ ଶ୍ରମିକଙ୍କୁ ମିଳିବ କାମ: ଖର୍ଚ୍ଚ ହେବ ୯୪ ଲକ୍ଷ, ସୌନ୍ଦର୍ଯ୍ୟକରଣ ଓ କର୍ମ ଭିତ୍ତିକ କାମକୁ ଗୁରୁତ୍ବ

କୋରାପୁଟ: ମହାରାଷ୍ଟ୍ରରୁ ଫେରିଛନ୍ତି ଟୁଟୁ। କରୋନା ଲକ୍‌ଡାଉନ୍‌ ପାଇଁ କାମ ନ ମିଳିବାରୁ କୋରାପୁଟ ଫେରିଥିଲେ ସେ। ଏଠି କାମ ମିଳିବ କି ନାହିଁ, ତା’କୁ ନେଇ ସନ୍ଦେହରେ ରହିଥିଲେ। କାନ୍ଥରେ ଚିତ୍ରକଳା ଆଙ୍କିବା କାମ ଜାଣିଥିବାରୁ ଏମିତି କାମ ସନ୍ଧାନରେ ଥିଲେ। ଠିକ ଏତିକିବେଳକୁ ତାଙ୍କୁ କାମ ମିଳିଯାଇଛି। ପୌରପାଳିକା ପକ୍ଷରୁ ସହରର ବିଭିନ୍ନ କାନ୍ଥବାଡକୁ ସୌନ୍ଦର୍ଯ୍ୟକରଣ କରାଯାଉଥିବାରୁ ସେ ଏଥିରେ କାମ କରୁଛନ୍ତି। କେବଳ ତାଙ୍କୁ ଏକା ନୁହଁନ୍ତି, ବାହାରୁ ଫେରୁଥିବା ଲୋକଙ୍କୁ ଏବେ ବିଭିନ୍ନ କାମ ଯୋଗାଇଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କୋରାପୁଟ ପୌରପାଳିକା। ଏଥିପାଇଁ ପୌରପାଳିକାକୁ ୯୪ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲାବେଳେ ଏଥିରେ ସହର ସୌନ୍ଦର୍ଯ୍ୟକରଣ, ବନୀକରଣ, ଡ୍ରେନ ସଫେଇ, ନାଳ ନିର୍ମାଣ ଓ କମ୍ୟୁନିଟ ହଲ ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି। ଫଳରେ ସହରରେ ରହୁଥିବା ଶ୍ରମିକମାନେ କାମ ପାଇପାରିବେ।

ମହାମାରୀ କରୋନା ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯିବା ପରେ ଲୋକଙ୍କୁ କାମ ମିଳି ନ ଥିଲା। ଫଳରେ ବାହାରେ ରହିଥିବା ଲୋକମାନେ ଏବେ ଘର ମୁହାଁ ହୋଇଛନ୍ତି। କୋରାପୁଟ ସହରକୁ ମଧ୍ୟ ପ୍ରବାସୀ ଫେରିଛନ୍ତି। ଏମାନଙ୍କୁ କାମ ଯୋଗାଇବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ଗ୍ରାମାଞ୍ଚଳରେ ଏମଜିନରେଗା କାମରେ ଶ୍ରମିକମାନେ କାମ ପାଉଥିଲାବେଳେ ସହରରେ ସମସ୍ୟା ରହିଥିଲା। ଏହାକୁ ଦୂର କରିବା ସହ ପ୍ରବାସୀଙ୍କୁ କାମ ଦେବା ପାଇଁ କୋରାପୁଟ ପୌରପାଳିକା ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। ଏଥିପାଇଁ ସରକାର ୯୪ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲାବେଳେ ଏହି ଟଙ୍କାରେ ବିଭିନ୍ନ କାମ ଆରମ୍ଭ ହୋଇଛି।

ସହରର ବିଭିନ୍ନ ଅଂଚଳକୁ ସୌନ୍ଦର୍ଯ୍ୟକରଣ କରାଯାଉଛି। କାନ୍ଥବାଡରେ ବିଭିନ୍ନ ସଚେତନତା ଧର୍ମୀ ଚିତ୍ର କରାଯାଉଛି। ଏହା ସହିତ କୋରାପୁଟର ଆଦିବାସୀ ଜନଜୀବନକୁ ଦେଖାଇବା ପାଇଁ ବିଭିନ୍ନ ଚିତ୍ର କରାଯାଉଛି। ସହରର କାନ୍ଥ ରଙ୍ଗୀନ ହେଉଥିଲାବେଳେ ଏହା ସହରକୁ ନୂଆ ରୂପ ଦେଇଛି। ଏଥିରେ ବହୁ ଚିତ୍ରଶିଳ୍ପୀ କାମ ପାଇବାରେ ସଫଳ ହୋଇଛନ୍ତି। ଏପଟେ ବିଭିନ୍ନ ଡ୍ରେନ ସଫେଇ ଓ ନାଳ ନିର୍ମାଣ କରାଯାଉଛି। ଏଥିରେ ଶ୍ରମିକ ଓ ମିସ୍ତ୍ରୀମାନେ କାମ ପାଇ ପାରୁଛନ୍ତି। ବିଭିନ୍ନ ୱାର୍ଡରେ କମ୍ୟୁନିଟି ହଲ ନିର୍ମାଣ, ବୃକ୍ଷରୋପଣ ଓ ଅନ୍ୟାନ୍ୟ କାମ ମଧ୍ୟ ଚାଲିଛି। ଏହା ସହରୀ ଶ୍ରମିକଙ୍କୁ କାମ ଦେବାରେ ବେଶ ସହାୟକ ହେବ ବୋଲି ଆଶା ରଖିଛି ପୌରପାଳିକା। କୋରାପୁଟ ପୌରପାଳିକାର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ କହିବାନୁଯାୟୀ, ବାହାରୁ ଫେରିଥିବା ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ବିଭିନ୍ନ କାମ ଏବେ ଆରମ୍ଭ ହୋଇଛି। ଏହା ଫଳରେ ସହରର ସୌନ୍ଦର୍ଯ୍ୟ ବଢିବା ସହ ବିଭିନ୍ନ ଉନ୍ନୟନ କାମ ହୋଇ ପାରିବ। ବାହାରୁ ଫେରିଥିବା ଲୋକେ ବି କାମ ପାଇବେ। ବେକାରରେ ବସିବେ ନାହିଁ। ଏଥିପାଇଁ ୯୪ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର