ବେତନଟୀ ସଦର: ସମ୍ବାଦ ବେତନଟୀ ବ୍ଲକ ପ୍ରତିନିଧି ଦୀପକ କୁମାର ସିଂହଙ୍କ ସଂଯୋଜନା ତଥା ବୈଶିଙ୍ଗା ସମ୍ବାଦ-ସାହିତ୍ୟଘରର ସଭାପତି ବିଶିଷ୍ଟ ଶିକ୍ଷକ ତଥା କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ବୈଶିଙ୍ଗା 'ସମ୍ବାଦ-ସାହିତ୍ୟଘର' ପକ୍ଷରୁ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଲାଲମିର୍ଚି ହୋଟେଲର ସମ୍ମିଳନୀ କକ୍ଷରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସାଂଗଠନିକ ଆଲୋଚନା ଓ ପଖାଳ ଦିବସ ଉପରେ ସ୍ବତନ୍ତ୍ର କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଅତିଥିଭାବେ ଆଖପାଖର ଏକାଧିକ କବି, ଲେଖକ, ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗଦେଇ ପଖାଳ ଦିବସ ପାଳନର ଯଥାର୍ଥତା ବିଷୟରେ କହିଥିଲେ।
ଓଡ଼ିଆ ଜାତିର ଅସ୍ମିତା କହିଲେ ପଖାଳକୁ ବୁଝାଏ। କି ଧନୀ କି ଗରିବ ପଖାଳ କଂସାଠାରୁ କେହି ଦୂରେଇ ରହି ପାରି ନାହାନ୍ତି। ଏପରିକି ବଡ଼ ଠାକୁର ଶ୍ରୀ ଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରେ ପଖାଳ ତାଙ୍କର ପ୍ରିୟ ଖାଦ୍ୟ ବୋଲି ସେ କହିଥିଲେ। ବରିଷ୍ଠ ସାମ୍ବାଦିକ ଭାବେ ସତ୍ୟପ୍ରକାଶ ପ୍ରଧାନ ଯୋଗଦେଇ ଓଡିଶାର ପ୍ରିୟ ଖାଦ୍ୟକୁ ଆମ ପଡୋଶୀ ରାଜ୍ୟ ସହ ବିଶ୍ବବାସୀଙ୍କ ନିକଟରେ ପହଂଚାଇବା ପାଇଁ ଏଭଳି ଦିବସର ଆବଶ୍ୟକତା ବର୍ତ୍ତମାନ ପରିସ୍ଥିତିରେ ନିହାତି ଆବଶ୍ୟକ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ସମ୍ବାଦ-ସାହିତ୍ୟଘର ବୈଶିଙ୍ଗାର ଏକ ମାତ୍ର ଅନୁଷ୍ଠାନ ଯିଏ ଆଗକୁ ନିରବଚ୍ଛିନ୍ନ ଭାବେ ପଖାଳ ଦିବସ ପାଳନ କରିବ ଓ ସମସ୍ତ କର୍ମକର୍ତ୍ତାଙ୍କ ସହ ଏହାର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କ ଦୂରଦୃଷ୍ଟିତା ପାଇଁ ଧନ୍ୟବାଦ ଜଣାଇଥିଲେ। ସମ୍ବାଦ ସାହିତ୍ୟଘର ବୈଶିଙ୍ଗାର ଉପସଭାପତି ନିମାଇଁ ଚରଣ ବେହେରା କହିଥିଲେ ପଖାଳ ଖାଇବା ଦ୍ବାରା ଆମ ଶରୀର ସୁସ୍ଥ ରହିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ଏହି ଅବସରରେ ଏକ କବିତା ପାଠ ଆସର ଅନୁଷ୍ଠିତ ହୋଇଥିଲା। କବୟିତ୍ରୀ ତୃପ୍ତି ପଟନାୟକ, କବିତା ଦାଶଙ୍କ ସହିତ କବି ତଥା ସାହିତ୍ୟ ଘର ସମ୍ପାଦକ ହିମାଂଶୁ ଶେଖର ଜେନା, କବି ପ୍ରିୟନାଥ ପାଣି, ନିରୋଦ ସୁନ୍ଦର ଜେନା, ପର୍ଶୁରାମ ସାହୁ, ହରେକୃଷ୍ଣ ସାହୁ, ସଭାପତି ପ୍ରଭାତ କୁମାର ଆଚାର୍ଯ୍ୟ ପ୍ରମୁଖ ନିଜ ରଚିତ କବିତା ପାଠ କରି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ। ସାମ୍ବାଦିକ ଦୀପକ କୁମାର ସିଂହ ସ୍ଵାଗତ ଭାଷଣ ଦେଇଥିଲେ। ବେତନଟୀ ବ୍ଲକ ପ୍ରେସ କ୍ଳବର ସଦସ୍ୟ ବିମଳେନ୍ଦୁ ମହାପାତ୍ର, ସଞ୍ଜୟ ମିଶ୍ର, ସୀତାନାଥ ବେହେରା, ଅବିନାଶ ପଣ୍ଡା, ରତନଲାଲ ଦାଶଙ୍କ ପ୍ରତ୍ୟକ୍ଷ ସହଯୋଗରେ ପଖାଳ ଦିବସ ପାଳନ ହୋଇଥିଲା। ଅନୁଷ୍ଠାନର ପ୍ରମୁଖ ସଦସ୍ୟ ତଥା ସାମ୍ବାଦିକ ରଣଜିତ କୁମାର ନାୟକ କାର୍ଯ୍ୟକ୍ରମର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।