ପାନବରଜ ଗୁଳିକାଣ୍ଡ ମାମଲା: ଏସଟିଏଫ୍ ଦ୍ୱାରା ଅମରେଶ ଗିରଫ, ବନ୍ଧୁକ ଓ ଗୁଳି ଜବତ

ଖୋର୍ଦ୍ଧା: ମଇ ୧୫ ତାରିଖରେ ପାନବରଜ ଠାରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ଏସ୍ଟିଏଫ୍ ଓ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସର ମିଳିତ ଚଢ଼ାଉରେ ଅନ୍ୟତମ ଅଭଯୁକ୍ତ ଅମରେଶ ଗିରଫ ହୋଇଛି ।

ସୂଚନାନୁସାରେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗତକାଲି ଅପରାହ୍ଣରେ ପୁଲିସର ଏକ ଟିମ୍ ପିତାପଲ୍ଲୀ ନିକଟସ୍ଥ ଏକ ଘରେ ଚଢ଼ଉ କରିଥିଲା । ଚଢ଼ଉରେ ଭାଲିଆବାଡ଼ିର ଅମରେଶ ବେହେରା (୨୫)କୁ ଗିରଫ କରିବା ସହ ତା’ ନିକଟରୁ ଦୁଇଟି ଜୀବନ୍ତ ଗୁଳି, ଏକ ବନ୍ଧୁକ ଓ ସ୍କୁଟି ଜବତ ହୋଇଥିଲା । ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ ଜବତ ବନ୍ଧୁକଟି ପାନବରଜ ଗୁଳିକାଣ୍ଡରେ ବ୍ୟବହୃତ ହୋଇଥିଲା । ଅମରେଶ ନାମରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ । ଆଜି ଅମରେଶକୁ କୋର୍ଟ ଚାଲାଣ କରାଯାଇଛି ।

ତେବେ ପାନବରଜରେ ଗୁଳିକାଣ୍ଡ ମଇ ୧୫ ତାରିଖ ରାତିରେ ଘଟିଥିବା ବେଳେ ୧୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ସତ୍ୟ ରଂଜନ ପ୍ରଧାନ (ରାଣା) ଗିରଫ ହୋଇଥିଲା । ସେହି ସମୟରେ ପୁଲିସର ସୂଚନାମୂତାବକ ସତ୍ୟ ନିକଟରୁ ଗୁଳିକାଣ୍ଡରେ ବ୍ୟବହୃତ ହୋଇଥିବା ବନ୍ଧୁକ ଜବତ ହୋଇଥିଲା । ତେବେ ସମ୍ବାଦର ୧୬ ତାରିଖରେ ପ୍ରକାଶିତ ଅନୁସନ୍ଧାନମୂଳକ ଖବରରେ ଗୁଳିକାଣ୍ଡ ସମୟରେ ଉପସ୍ଥିତ ଥିବା ଉଭୟ ପକ୍ଷର ଯୁବକଙ୍କ ନିକଟରେ ଏକାଧିକ ବନ୍ଧୁକ ଥିବା କଥା ଲେଖିଥିଲା । ବର୍ତମାନ ପୁଣିଥରେ ସେହି ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ ହୋଇଥିବା କଥା ପୁଲିସ କହିଥିବା ଘଟଣା ପଛର ଅନେକ କଥାକୁ ରହସ୍ୟଜନକ କରିଛି ।

ସମ୍ବନ୍ଧିତ ଖବର