ବାଜିଲା ପଂଚାୟତ ନିର୍ବାଚନ ବିଗୁଲ: ଚଳିତ ଆର୍ଥିକ ବର୍ଷରେ ୩ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ହାତପାଣ୍ଠି ୩ କୋଟି

ଖୋର୍ଦ୍ଧା: ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ପୌର ପରିଷଦ ନିର୍ବାଚନ ପାଇଁ ସରକାର ସଂରକ୍ଷଣ ତାଲିକା ପ୍ରକାଶ କରି ସାରିଛନ୍ତି। ଗତ  ୨ ବର୍ଷ ଧରି କରୋନା ସଂକ୍ରମଣ ଆଳରେ ବିଧାୟକ ହାତପାଣ୍ଠି ଅଟକି ରହିଥିଲା। ବର୍ତ୍ତମାନ ଏହାର ୨ୟ ଓ ୩ୟ ପର୍ଯ୍ୟାୟ ଖର୍ଚ୍ଚ କରିବାକୁ ସରକାର ଅନୁମୋଦନ ଦେଇଛନ୍ତି। ଚଳିତ ମାସ ୮ ତାରିଖରେ ରାଜ୍ୟ ସରକାରଙ୍କଠାରୁ ଜିଲ୍ଳାପ୍ରଶାସନକୁ ମିଳିଥିବା ଚିଠି ଅନୁସାରେ, ବେଗୁନିଆ-ବୋଲଗଡ଼, ଖୋର୍ଦ୍ଧା ଓ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ହାତପାଣ୍ଠିରୁ ସାଧାରଣ, ଉଚ୍ଚଶିକ୍ଷା ଓ ସଡ଼କ ତିନିଟି ବିଭାଗ ପାଇଁ  ୨ୟ ଓ ୩ୟ ପର୍ଯ୍ୟାୟ ଅନୁଦାନ ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଛି। ଏହି ଅନୁଦାନ ଅର୍ଥ ବିନିଯୋଗ ଓ କାର୍ଯ୍ୟାନ୍ୱୟନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ କରିବ। ଏଥିପାଇଁ ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ୧ କୋଟି ଟଙ୍କା ଲେଖାଏଁ ଅନୁଦାନ ମିଳିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସଡ଼କ ବିଭାଗ ପାଇଁ ୨ୟ ପର୍ଯ୍ୟାୟ ଅନୁଦାନ ପ୍ରତ୍ୟେକ ବିଧାନସଭା କ୍ଷେତ୍ରର ୨୫ଲକ୍ଷ ଟଙ୍କା ମିଳିଥିବା ବେଳେ ସାଧାରଣ ବିଭାଗ ପାଇଁ ୩ୟ ପର୍ଯ୍ୟାୟର ୭୫ଲକ୍ଷ ଟଙ୍କା ଲେଖାଏଁ ଓ ଉଚ୍ଚଶିକ୍ଷା ବିଭାଗ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ମିଳିଛି।

ଏହି ଅର୍ଥର ବିନିଯୋଗ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଶେଷ କରିବା ସହ ପ୍ରତ୍ୟେକ ମାସର ବିନିଯୋଗ ପ୍ରମାଣପତ୍ର ପରବର୍ତ୍ତୀ ମାସର ୧୫ ତାରିଖ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। କେବଳ ଏହାନୁହେଁ ଏହି ଅନୁଦାନ ଯେଭଳି ଠିକଣା ସମୟରେ ଓ ସଠିକ ଭାବେ ଖର୍ଚ୍ଚ ହେବ ସେଥିପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ନିୟମାନୁସାରେ, କୌଣସି ବିଭାଗର ଅନୁଦିତ ଅର୍ଥ ଅନ୍ୟ ବିଭାଗ ପାଇଁ ଖର୍ଚ୍ଚ କରାଯାଇପାରିବ ନାହିଁ। ଯଦି ଖର୍ଚ୍ଚ ହେବ ତେବେ ଏଥିପାଇଁ ଜିଲ୍ଲା ଯୋଜନା କମିଟିର ଅନୁମୋଦନ ଆବଶ୍ୟକ। ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଠାରେ ଘଟିଥିବା ବିବାଦରୁ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବଙ୍କୁ ଅଧ୍ୟକ୍ଷ ପଦରୁ ବାହାର କରି ଦିଆଯାଇଛି। ଦୀର୍ଘ ୪୫ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲାରେ ଯୋଜନା କମିଟି ଅଧ୍ୟକ୍ଷ ଭାବେ ଅନ୍ୟ କାହାରିକୁ ମନୋନୀତ କରାଯାଇନାହିଁ। ଏପରି ସ୍ଥଳେ ବର୍ତ୍ତମାନ ନିର୍ବାଚନ ସମୟରେ ବିଧାୟକ ହାତପାଣ୍ଠୀର ବିନିଯୋଗ ଆଦି ନେଇ କମିଟିର ବୈଠକ ବସିବାରେ ସମସ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର