ନୂଆଗାଁ: ପଂଚାୟତ ନିର୍ବାଚନ ନିମନ୍ତେ ବିଭିନ୍ନ ପଦ ପଦବି ପାଇଁ ସଂରକ୍ଷିତ ଚିଠା ପ୍ରକାଶ ପାଇବା ପରେ ନୂଆଗାଁ ବ୍ଲକରେ ରାଜନୀତି ପାଣିପାଗ ପୂରା ସରଗରମ ହୋଇ ଉଠୁଥିବା ଜଣାପଡିଛି। ଏଥିରେ କିଛି ନେତାଙ୍କ ଭାଗ୍ୟର ତାଲା ଖୋଲୁଥିବା ବେଳେ ଆଉ କିଛି ନେତାଙ୍କ ଆଖିରୁ ନିଦ ହଜିଗଲାଣି। ଆଉ କିଛି ତୁଙ୍ଗ ନେତା ପଂଚାୟତ ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ୟାସ ନେବା କଥା ଚିନ୍ତା କରିସାରିଲେଣି। ଆଉ କିଛି ପଂଚାୟତରେ ରାଜନୈତିକ ବ୍ୟକ୍ତି ବିଶେଷ ମାନେ ଅଣ ରାଜନୈତିକ ବ୍ୟକ୍ତିଙ୍କ ପାଖକୁ ଯାଇ ରାଜନୀତି ପାଠ ପଢାଇବା ଆରମ୍ଭ କରି ଦେଲେଣି। ଏପରିସ୍ଥଳେ ହାଇକମାଣ୍ତ କାହା ଉପରେ ସନ୍ତୁଷ୍ଟ ହେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧିନରେ ୨୨ ଗୋଟି ପଂଚାୟତ ଥିବା ବେଳେ ୧୧ ଗୋଟି ପଂଚାୟତରେ ସରପଂଚ ଓ ସମିତିସଭ୍ୟ ପଦବୀ ପାଇଁ ମହିଳା ମାନଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି। ସେହିଭଳି ଉଭୟ ପଦବି ନିମନ୍ତେ ୧୧ ଗୋଟି ପଂଚାୟତରେ ଅସଂରକ୍ଷିତ ସିଟ୍ ଥିବା କାରଣରୁ ସେଠାରେ ଅଧିକ ଆଶାୟୀ ପାର୍ଥୀଙ୍କ ନାମ ଉଠୁଥିବା ଦେଖିବାକୁ ମିଳିଛି। ବର୍ତମାନ ସରପଂଚ ଏବଂ ସମିତିସଭ୍ୟ ପଦବୀରେ ଥିବା କିଛି ନେତା ମାନଙ୍କ କାର୍ଯ୍ୟଧାରାରେ ଜନସାଧାରଣ ସନ୍ତୁଷ୍ଟ ଥିବାରୁ ସେଠାରେ ସଂରକ୍ଷଣ କାରଣରୁ ସେମାନଙ୍କ ପତ୍ନୀମାନଙ୍କୁ ପାର୍ଥୀ ଭାବେ ଛିଡା କରିବା ପାଇଁ ମସୁଧା ଆରମ୍ଭ ହୋଇଗଲାଣି। କିଛି ଜାଗାରେ ରାଜନୀତି ବିଷୟରେ ଆଦୌ ଜ୍ଞାନ ନଥିବା ବ୍ୟକ୍ତି କେବଳ ଠିକାଦାର କାର୍ଯ୍ୟ କରି ଲୋକଙ୍କୁ ଲୁଟିବା ପାଇଁ ସରପଂଚ ପାର୍ଥୀ ହେବାକୁ ମନବଳାଉ ଥିବା ଦେଖା ଦେବା ସହ ରାତ୍ରୀ ସମୟରେ ମଦ ମାଂସର ଆସର ଜମାଇବା ଆରମ୍ଭ କରି ସାରିଲେଣି।
ଏପଟେ ୱାର୍ଡମେମ୍ବର ପାଇଁ ୨୨ ଗୋଟି ପଂଚାୟତର ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସରପଂଚ ଆଶାୟୀ ପାର୍ଥୀମାନେ ଅପ୍ରତିଦ୍ବନ୍ଦୀ ୱାର୍ଡମେମ୍ବର ଯୋଗାଡରେ ବାହାରି ପଡିଥିବା କିଛି ଜାଗାରେ ନଜର ଆସୁଛି। ପଂଚାୟତ ନିର୍ବାଚନରେ କିଛି ନେତାଙ୍କର ସ୍ଥିତି ଆଦୌ ଭଲ ନଥିବା ବେଳେ ଦଳୀୟ ସମର୍ଥନ ଯୋଗାଡିବା ପାଇଁ ଭୁବନେଶ୍ବର ଦୌଡିବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳୁଛି। କିଛି ପଂଚାୟତରେ ସରପଂଚ ଏବଂ ସମିତିସଭ୍ୟ ମାନଙ୍କୁ ପରିବର୍ତନ କରି ଅନ୍ୟ ବ୍ୟକ୍ତିଙ୍କୁ ପାର୍ଥୀ କରି ଜିତାଇବା ସହଜ ପାଠ ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି।
ତତସହିତ ନୂଆଗାଁ ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ନିମନ୍ତେ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା କାରଣରୁ କିଛି ନୂଆ ମୁହଁ ଚର୍ଚ୍ଚାକୁ ଆସୁଛି। ଏହି ପଦବୀ ନିମନ୍ତେ ବର୍ତମାନ ସୁଦ୍ଧା ବିଶେଷକରି ସିକ୍ରିଡା, ନୂଆଗାଁ, ପାରାଢିପି ଏବଂ ବେରୁଆଁବାରୀ ଭଳି ୪ ଗୋଟି ପଂଚାୟତରୁ ପାର୍ଥୀଙ୍କ ନାମ ଚର୍ଚ୍ଚାକୁ ଆସିଥିବା ଜଣାପଡିଛି। ଅନ୍ୟ ସମସ୍ତ ପଂଚାୟତ ଅପେକ୍ଷା ଏହି ୪ ଗୋଟି ପଂଚାୟତ ଉପରେ ସମସ୍ତଙ୍କ ନଜର ରହିଛି। ଏଥିପାଇଁ ଭୁବନେଶ୍ବରରେ କବାଟ କିଳା ବୈଠକ ଆରମ୍ଭ ହୋଇଯାଇଥିବା ନେଇ ବିଭିନ୍ନ ଜାଗାରେ ଆଲୋଚନା ହେଉଛି। ତେବେ ଆଗାମୀ ଦିନରେ ହାତୀ କାହା ମୁଣ୍ତରେ ସୁନା କଳସ ଢାଳୁଛି ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/vote.jpg)