ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଲଢ଼େଇ: ପ୍ରତାପ ବନାମ୍‌ ଦେବ-ସାରଦା; ଚନ୍ଦ୍ରସାରଥି ବନାମ୍ ଦିଲ୍ଲୀପ-ଅଭିଷେକ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ରହିଛି ଦୁଇଟି ବିଧାନସଭା ଅଧୀନରେ। ମାହାଙ୍ଗା ଓ କଟକ ସଦର। ୫ଟି ଜିଲ୍ଲାପରିଷଦ ଜୋନ୍ ଏବଂ ୪୧ଟି ପଂଚାୟତକୁ ନେଇ ଗଠିତ ରାଜ୍ୟର ଏହି ଅନ୍ୟତମ ବଡ଼ ପଂଚାୟତ ସମିତି। ନିଶ୍ଚିନ୍ତକୋଇଲି ବ୍ଲକର ୨୭ଟି ପଂଚାୟତ, ତିନୋଟି ଜିଲ୍ଲା ପରିଷଦ ଜୋନ୍ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ତଳୀରେ ଯାଉଥିଲା ବେଳେ ୧୪ଟି ପଂଚାୟତ, ୨ଟି ଜିଲ୍ଳାପରିଷଦ ଜୋନ୍ ରହିଛି କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ତଳୀରେ। ମାହାଙ୍ଗା ବିଧାୟକ ପ୍ରତାପ ଜେନା ହେଉଛନ୍ତି ରାଜ୍ୟ କ୍ୟାବିନେଟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ। କଟକ ସଦରର ବିଧାୟକ ଚନ୍ଦ୍ରସାରଥି ବେହେରା ହେଉଛନ୍ତି ଜଣେ ପୂର୍ବତନ ମନ୍ତ୍ରୀ। ଦୁଇ ବରିଷ୍ଠ, ପ୍ରଭାବଶାଳୀ ତଥା ଅନୁଭବି ନେତାଙ୍କ କ୍ଷେତ୍ରରେ ବି ୨୦୧୭ ନିର୍ବାଚନରେ ୨ଟି ଜିଲ୍ଲା ପରିଷଦ ଜୋନ ବିରୋଧୀଙ୍କ ହାତକୁ ଚାଲି ଯାଇଥିଲା। ଯଦିଓ ସେମାନଙ୍କୁ ବିଜେଡିରେ ଏବେ ମିଶାଇ ଦିଆଯାଇଛି। ୨୦୨୨ ନିର୍ବାଚନର ଫଳାଫଳ ଏ ଅଞ୍ଚଳରେ କ’ଣ ହେବ, ବିଜେଡିକୁ ବିରୋଧୀ ବିଜେପି, କଂଗ୍ରେସ ଟକ୍କର ଦେବେ ନା ବିଜେଡି ପାଇଁ ବିଜେଡିର ଅସନ୍ତୁଷ୍ଟ କାଳ ହେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ସାହୁ ଆଉ ବିଜେପି ପାଇଁ ଯୁବନେତା ଶାରଦା ପ୍ରଧାନ ରଣନୀତି ପ୍ରସ୍ତୁତ କରୁଛନ୍ତି।

ସେହିପରି କଟକ ସଦରରୁ କଂଗ୍ରେସ ପକ୍ଷରୁ ଅଭିଷେକ ମହାନନ୍ଦ ଏବଂ ବିଜେପିରୁ ଦିଲ୍ଲୀପ୍ କୁମାର ମଲ୍ଲିକ୍ ଯୋଜନା ପ୍ରସ୍ତୁତ କରୁଛନ୍ତି। ୫ଟି ଯାକ ଜିଲ୍ଲାପରିଷଦ ଜୋନରେ ଏକାଧିକ ପ୍ରାର୍ଥୀ ଶାସକ ବିଜେଡି ଦଳରୁ ପ୍ରାର୍ଥୀ ହେବା ପାଇଁ ଲବି ଚଳାଇଛନ୍ତି। ବିଜେପି ଓ କଂଗ୍ରେସ ଟିକଟ ପାଇଁ ସେତେଟା ଉତ୍ସାହ ଏଯାଏ ଦେଖିବାକୁ ମିଳୁନାହିଁ। କିନ୍ତୁ ସାରଦା, ଦେବେନ୍ଦ୍ର ଅଥବା ଦିଲ୍ଲୀପ ଯଦି ବିଜେଡି ଅସନ୍ତୁଷ୍ଟଙ୍କୁ ଅସ୍ତ୍ର କରିପାରନ୍ତି, ତେବେ ହୁଏତ ବିଜେଡି ଗଡ଼ରେ ପଶିବା ବିରୋଧୀଙ୍କ ପାଇଁ କିଛିଟା ସହଜ ହୋଇପାରେ। କିନ୍ତୁ ପ୍ରତାପ ଜେନାଙ୍କ ବିରୋଧରେ ମାହାଙ୍ଗା ଡବଲ ମର୍ଡର, ଆବାସ ଦୁର୍ନୀତି ଭଳି ଅଭିଯୋଗ ଆଣି ବିରୋଧୀ ଜୋରଦାର ଚର୍ଚ୍ଚାର ପ୍ରସଙ୍ଗ କରୁଥିଲେ ବି ପଂଚାୟତ ନିର୍ବାଚନ ପାଇଁ ଅଞ୍ଚଳରେ ବିଜେପି ଓ କଂଗ୍ରେସ ଶିବିରରେ ସେଭଳି ଉତ୍ସାହ ଏଯାଏ ଦେଖିବାକୁ ମିଳି ନାହିଁ। ମାହାଙ୍ଗା ନିର୍ବାଚନ ମଣ୍ତଳୀ ଓ ସଦର ନିର୍ବାଚନ ମଣ୍ତଳୀରେ ଦୁଇ ବିଜେଡି ନେତାଙ୍କ ଭୁବନେଶ୍ବରସ୍ଥିତ ବାସଭବନକୁ ଶତାଧିକ କର୍ମୀ ଏକାଧିକ ଗାଡି କରି ନିଜର ସମର୍ଥକମାନଙ୍କୁ ନେଇ ଏବେ ଲବି କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ବିଜେଡି ଦଳର ବ୍ଲକସ୍ତରୀୟ ନେତାଙ୍କର ସେଭଳି ପତିଆରା ପ୍ରଭାବ ନଥିବାରୁ ଦଳ ପାଇଁ ନିର୍ବାଚନ ପରିଚାଳନାକୁ ନେଇ ବି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ କ୍ଲବ୍, ପାର୍କ, ହୋଟେଲ୍ ମାନଙ୍କରେ ପ୍ରାର୍ଥୀ ଚୟନ ନେଇ ବିଜେଡିର ଘନଘନ ବୈଠକ ବସୁଥିଲେ ବି ହୋ ହାଲ୍ଲାରେ ବୈଠକ ଶେଷ ହେଉଛି।

ସମ୍ବନ୍ଧିତ ଖବର