ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତରେ ଆବାସ ଯୋଜନା ଅନିୟମିତତା ଅଭିଯୋଗରେ ଥାନାରେ ମାମଲା ରଜୁ ହେବା ପରେ ଫେରାର ଥିବା ତତ୍କାଳୀନ ପଞ୍ଚାୟତ ଇଓ ଲଳିତ ମେହେରଙ୍କୁ ଖପ୍ରାଖୋଲ ଥାନା ପୁଲିସ ବେଙ୍ଗାଲୁରୁରୁ ଗିରଫ କରିଛି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Advertisment

ପୁଲିସର ଅନୁସାରେ, ତେଲେନପାଲି ପଞ୍ଚାୟତ କର୍ଲାମାଲ୍ ଗାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ କୌଶଲ୍ୟା ଚିରାଙ୍ଗୁଲ ନାମ୍ନୀ ଜଣେ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଞ୍ଜୁର ହୋଇଥିଲା। ତଞ୍ଚକତା କରି ତାଙ୍କ କୋଡ୍‌ରେ ଗାଁର ଟିକେମଣି ବାଗଙ୍କୁ ଘର ଦିଆଯାଇଥିଲା। ଫଳରେ କୌଶଲ୍ୟା ଘର ପାଇବାରୁ ବଞ୍ଚିତ ହୋଇଥିଲେ। ଏନେଇ କୌଶଲ୍ୟା ଅଭିଯୋଗ କରିଥିଲେ। ସେହିପରି ଜୁନାନୀବାହାଲ ଗାଁରେ ମଧ୍ୟ ଭୋଇ ମୁଣ୍ଡା ନାମରେ କେହି ନଥିବା ବେଳେ ସେହି ନାମରେ ଅନ୍‌ଲାଇନ୍‌ରେ ଘର ଦର୍ଶାଉଥିବା ବେଳେ ସେହି କୋଡ୍‌ ବ୍ୟବହାର କରି ରୂପେ ଧରୁଆଙ୍କୁ ଘର ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅନିୟମିତତାରେ ତତ୍କାଳୀନ ପଞ୍ଚାୟତ ଇଓ ଲଳିତ ମେହେର, ତତ୍କାଳୀନ ଜିଆର୍‌ଏସ୍‌ ବିପିନ ବେହେରା, ଜିଓଟ୍ୟାଗର୍‌ ଗୋଲାପ ପୋଢ଼ ଦାୟୀ ବୋଲି ଜିଲ୍ଲା କର୍ତ୍ତୃପକ୍ଷ ଥାନାରେ ଏତଲା ଦେବାକୁ ଖପ୍ରାଖୋଲ ବିଡିଓ ବିଜୟ ହୋତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଡିଓଙ୍କ ଏତଲାକୁ ଆଧାର କରି ଖପ୍ରାଖୋଲ ଥାନା କେସ୍‌ ନଂ ୧୫୯/୨୩ରେ ଗତ ୫ ତାରିଖ ଦିନ ଏକ ମାମଲା ରୁଜୁ ହୋଇଥିଲା। ପରେ ଦୁଇ ନକଲି ହିତାଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେହିଦିନଠାରୁ ତିନି ଅଭିଯୁକ୍ତ ଫେରାର୍‌ ଥିଲେ। ତତ୍କାଳୀନ ପିଇଓ ଶ୍ରୀ ମେହେରଙ୍କୁ ପୁଲିସ ବେଙ୍ଗାଲୁରୁରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି।