ବିରିଡ଼ି: ୧୯୯୨ରେ ପଞ୍ଚାୟତ ସୀମା ନିର୍ଦ୍ଧାରଣ ସମୟରେ ବରେଡିଆ ଗ୍ରାମ ପଞ୍ଚାୟତରୁ ଅଲଗା ହୋଇ ବିରିଡ଼ି ବ୍ଲକ ଅନ୍ତର୍ଗତ ୨୨ମୌଜା ବାସନ୍ଦରା ଗ୍ରାମ ପଞ୍ଚାୟତ ୨୧ଟି ୱାର୍ଡକୁ ନେଇ ଜନ୍ମଲାଭ କଲା। ଇତି ମଧ୍ୟରେ ୩୦ବର୍ଷ ବିତି ଯାଇଥିଲେ ସୁଦ୍ଧା ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠାଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ଏହା ବ୍ୟବହାର ଉପଯୋଗୀ ହୋଇପାରିନାହିଁ। ଇତିମଧ୍ୟରେ ୮ଜଣ ସରପଞ୍ଚ ଦାୟିତ୍ୱ ତୁଲାଇ ବିଦାୟ ନେଇଥିଲେ ହେଁ ପଞ୍ଚାୟତ ଘର କାମ ଶେଷ ହୋଇପାରି ନାହିଁ। ବିଡ଼ିଓଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ମାନଙ୍କର ଆନ୍ତରିକତାର ଅଭାବରୁ ଏହି କାର୍ଯ୍ୟ ଶେଷ ହୋଇନପାରି ଅଧାପନ୍ତରିଆ ହୋଇ ପଡ଼ି ରହିଛି। ନିୟମ ମୁତାବକ ନୂତନ ପଞ୍ଚାୟତ କୋଠାର କାମ ଆରମ୍ଭ ହେଲା। କାନ୍ଥ ଉଠି ଛାତ ପଡ଼ିଲା। ମାତ୍ର ପଲସ୍ତରା ହୋଇପାରି ନାହିଁ। ଉକ୍ତ ପଞ୍ଚାୟତରେ ମହିଳା ଲୋକ ପ୍ରତିନିଧି ପ୍ରତି ଅବଧିରେ ନିର୍ବାଚିତ ହେଉଥିଲେ ସୁଦ୍ଧା ସେମାନଙ୍କ ପାଇଁ ପରିସ୍ରାଗାର ଟିଏ ନାହିଁ। ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ପୂର୍ବ ଅବଧିରେ ବସୁଥିବା ସରପଞ୍ଚଙ୍କ କୋଠରୀ ଛାତରୁ ପଲସ୍ତରା ଖସି ଛାତ ରଡ୍‌ ଦେଖାଗଲାଣି। ପଞ୍ଚାୟତ ଷ୍ଟୋର ରୁମ୍‌ରେ ଅସ୍ଥାୟୀ ଭାବେ ସରପଞ୍ଚ କାର୍ଯ୍ୟ କରୁଥିବା ବେଳେ ଛାତରୁ ଖସୁଛି।

Advertisment

ବିପଦ ସଙ୍କୁଳ କୋଠରୀରେ ପିଇଓ ଓ ଜିଆରଏସ କାର୍ଯ୍ୟ କରୁଥିବା କହିଛନ୍ତି। ପଞ୍ଚାୟତ ସୁରକ୍ଷା ପାଚେରି କି ସୂଚନା ଫଳକ ମଧ୍ୟ ନାହିଁ।୨୦୦୦ରୁ ସାରା ରାଜ୍ୟ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନରେ ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନା ଆରମ୍ଭ ହୋଇ ୨୦୦୮ ମସିହା ପର୍ଯ୍ୟନ୍ତ ଚାଲିଥିଲା। ଏହି ଯୋଜନାରେ ପଞ୍ଚାୟତ ଗୃହ ନିର୍ମାଣକୁ ଅନ୍ତର୍ଭୁକ୍ତ କରାଯାଇଥିଲେ ଆଜି ପର୍ଯ୍ୟନ୍ତ ଅର୍ଦ୍ଧ ନିର୍ମିତ କୋଠାଟି ଭୂତକୋଠି ଅବସ୍ଥାରେ ରହି ନଥାନ୍ତା। ଏହାବାଦ୍ ୨୨ମୌଜା ତ୍ରିକୋଣଭୂମି ଅଞ୍ଚଳଟି ଦେବୀ ନଦୀ ଓ ବିଲୁଆଖାଇ ନଦୀ ଅବବାହିକାରେ ଅବସ୍ଥିତ ଅଟେ। କିଛି ବର୍ଷ ଅନ୍ତରାଳରେ ଏହି ଅଞ୍ଚଳ ବନ୍ୟା ପ୍ଲାବିତ ହେଉଥିବାରୁ ରାଜ୍ୟ ସରକାର ସ୍ଥାୟୀ ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରି ଆସୁଅଛନ୍ତି। ଏହି ଅର୍ଥରେ ମଧ୍ୟ କୋଠାର କାର୍ଯ୍ୟ ଶେଷ କରାଯାଇ ପାରିନାହିଁ। ଜଗତସିଂହପୁର ଜିଲ୍ଲାର ଉକ୍ତ ପଞ୍ଚାୟତଟି ବିରଳ ଘଟଣା । ଗୃହ ନିର୍ମାଣ ସମ୍ପର୍କରେ ବାସନ୍ଦରା ସରପଞ୍ଚ ଲକ୍ଷ୍ମୀପ୍ରିୟା ଜେନା କହିଛନ୍ତି ‘ମୁଁ ଏବେ ନୂଆ ଦାୟିତ୍ୱ ଗ୍ରହଣ କରିଛି। ପୂର୍ବରୁ ଅସମ୍ପୂର୍ଣ୍ଣ ରହିଯାଇଥିବା କାର୍ଯ୍ୟ ଗୁଡ଼ିକ ତୁରନ୍ତ ମରାମତି ସହ ଅନ୍ୟ ସମସ୍ତ ଆବଶ୍ୟକ କାର୍ଯ୍ୟକୁ ସମ୍ପୂର୍ଣ କରିବାକୁ ଉଦ୍ୟମ ଜାରି ରଖିଛି ବୋଲି କହିଥିଲେ।