ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ବେନଗାଁ ପଞ୍ଚାୟତ ୪ ଦିନ ହେଲା ବନ୍ଦ ରହିଛି। ୬ ମାସ ହେଲା ଭତ୍ତା ଟଙ୍କା ମିଳିନଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ହିତାଧିକାରୀମାନେ ପଞ୍ଚାୟତ ଅଫିସ୍ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରକାଶ ଯେ, ବେନଗାଁ ପଞ୍ଚାୟତ ହିତାଧିକାରୀ ବ୍ୟାଙ୍କ ପାସ୍ବହିରେ ଭତ୍ତା ଟଙ୍କା ଜମା ହେବା ଦିନଠାରୁ ୫ରୁ ୬ ମାସ ହେଲା ଟଙ୍କା ପାଇନାହାନ୍ତି। ଏନେଇ ଗତ ସୋମବାର ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଭତ୍ତା ଟଙ୍କା ବିଷୟରେ ପଚାରିବାରୁ ବେନଗାଁ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣି ନାଏକ ଉତ୍ତ୍ୟକ୍ତ ହୋଇ ଗାଳିଗୁଲଜ କରିଥିଲେ। ଏହା ପରେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରି ପଞ୍ଚାୟତ ଅଫିସ୍ରେ ତାଲା ପକାଇଥିଲେ।
ବିଡିଓ ଜିତେନ୍ଦ୍ର ମିଶ୍ର ୨୭ ତାରିଖ ଏନେଇ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ୨୭ ତାରିଖ ବିଡିଓ ଶ୍ରୀ ମିଶ୍ର ଘଟଣାସ୍ଥଳକୁ ନଯାଇ ୨୮ ତାରିଖ ଜିପିଇଓ ସରୋଜ ପ୍ରଧାନଙ୍କୁ ପିଇଓ ଯଦୁମଣି ନାଏକଙ୍କ ସହ ପଠାଇଥିଲେ। ହେଲେ ହିତାଧିକାରୀଙ୍କୁ ଭତ୍ତା ରାଶି ନମିଳିବା ପର୍ଯ୍ୟନ୍ତ ତାଲା ଖୋଲାଯିବା ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ। ଶେଷରେ ବେନଗାଁ ପିଇଓ ଶ୍ରୀ ନାଏକ କ୍ଷମା ପ୍ରାର୍ଥନା କରିବା ପରେ ମଧ୍ୟ କୌଣସି ସମାଧାନ ହୋଇ ପାରିନାହିଁ। ଯାହା ଫଳରେ ୪ ଦିନ ବିତି ଯାଇଥିଲେ ମଧ୍ୟ ପଞ୍ଚାୟତ ଅଫିସ୍ ବନ୍ଦ ରହିଛି। ଏନେଇ ଜିପିଇଓ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ଆବଶ୍ୟକ ଯାଂଚ ପରେ ବକେୟା ଭତ୍ତା ଟଙ୍କା ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଏଥିସହ ଶନିବାର ବିଡିଓ ଶ୍ରୀ ମିଶ୍ର ଘଟଣାର ତଦାରଖ କରିବେ ବୋଲି ଲୋକେ ପ୍ରକାଶ କରିଛନ୍ତି।